ଲଣ୍ଡନ ମହିଳା ବିଶ୍ୱକପ୍ ହକି ପାଇଁ ସୁନ୍ଦରଗଡ଼ର ୪ କ୍ରୀଡ଼ାବିତ୍ ଙ୍କୁ ଦିଲିପ ରାୟଙ୍କ ଅଭିନନ୍ଦନ

ଭୁବନେଶ୍ୱର/ରାଉରକେଲା, ୩୦ା୦୬ (ଓଡ଼ିଆ ପୁଅ): ଲଣ୍ଡନରେ ଅନୁଷ୍ଠିତ ହେବାକୁ ଯାଉଥିବା ମହିଳା ବିଶ୍ୱକପ୍ ହକି ପ୍ରତିଯୋଗିତା ଲାଗି ଗଠିତ ୧୮ ଜଣିଅ। ଭାରତୀୟ ଦଳରେ ସୁନ୍ଦରଗଡ଼ର ୪ ଜଣ ପ୍ରତିଭା ହକି ଖେଳାଳି ସ୍ଥାନ ପାଇଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଦିଲିପ ରାୟ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏହି ବିଶ୍ୱକପ୍ରେ ସୁନ୍ଦରଗଡ଼ର ଖେଳାଳିମାନେ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି।

ଏହି ମହିଳା ବିଶ୍ୱକପ୍ ହକି ଲାଗି ଭାରତୀୟ ଦଳରେ ଯେଉଁ ୪ ଜଣ ସ୍ୱନାମଧନ୍ୟା ଓଡ଼ିଆ କ୍ରୀଡ଼ାବିତ୍ ସ୍ଥାନ ପାଇଛନ୍ତି ସେମାନେ ହେଲେ ଦୀପ୍ଗ୍ରେସ୍ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା ଓ ଲିଲିମା ମିଞ୍ଜ୍। ଏହି ୪ ଜଣ ଯାକ ସୁନ୍ଦରଗଡ଼ ଜିଲ୍ଲାର। ଅତୀତରେ ଏହି କ୍ରୀଡ଼ାବିତ୍ମାନେ ରାଜ୍ୟ ଓ ଜାତୀୟ ଦଳରେ ବହୁ ହକି ମ୍ୟାଚ୍ ଖେଳି ସାଫଲ୍ୟ ଅର୍ଜନ କରିଛନ୍ତି। ଏହି ୪ ଜଣ ପୂର୍ବରୁ ରିଓ ଅଲମ୍ପିକ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଏଥର ଭାରତୀୟ ମହିଳା ହକି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଅଗଣିତ ଦେଶବାସୀ ଓ କ୍ରୀଡ଼ାପ୍ରେମୀ ଆଶା ରଖିଥିବା ବେଳେ ଶ୍ରୀ ରାୟ ମଧ୍ୟ ଏହି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ଏବେ ଜାତୀୟ ଓ ରାଜ୍ୟ ସ୍ତରର ମହିଳା ଓ ପୁରୁଷ ହକି ଟିମ୍ ରେ ଓଡ଼ିଶାର ୨୦ ଜଣ ଖେଳାଳି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣ ସୁନ୍ଦରଗଡ଼ ଓ ୨ ଜଣ ପଡ଼ୋଶୀ ଦେଓଗଡ଼ ଜିଲ୍ଲାର। ଏହି ଅବସରରେ ବିଧାୟକ ଶ୍ରୀ ରାୟ ରାଉରକେଲାରେ ଜାତୀୟ ଓ ଅନ୍ତର୍ଜାତୀୟ ହକି ମ୍ୟାଚ୍ମାନ କର୍ତ୍ତୃପକ୍ଷ ଆୟୋଜନ କରିବାକୁ ଦାବି କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହକିର ଏନ୍ତୁଡ଼ିଶାଳ ହୋଇଥିବାରୁ ରାଉରକେଲା ଏଭଳି ମ୍ୟାଚ୍ କରାଗଲେ କ୍ରୀଡ଼ାବିତ୍ମାନେ ଅଧିକ ଉତ୍ସାହିତ ହେବେ ବୋଲି ସେ କହିଛନ୍ତି। ଏଥିସହିତ ରାଜ୍ୟ ଓ ଜାତୀୟ ଦଳରେ ସାମିଲ ହୋଇଥିବା ସମସ୍ତ ହକି ଖେଳାଳିଙ୍କୁ ସରକାର ଅନ୍ୟୁନ ପ୍ରଥମ ଶ୍ରେଣୀ ପାହ୍ୟାରେ ନିଯୁକ୍ତି ଦେବା ଏବଂ ସୁନ୍ଦରଗଡ଼ ଜିଲ୍ଲାର ସବୁ ସ୍କୁଲ ଓ କଲେଜରେ ତାଲିମପ୍ରାପ୍ତ ହକି ଶିକ୍ଷକ ନିଯୁକ୍ତ କରିବା ଓ ଷ୍ଟାଡିୟମ୍ ଗୁଡ଼ିକର ଆନ୍ତର୍ଜାତିକ ସ୍ତରର ବିକାଶ କରିବା ଲାଗି ଶ୍ରୀ ରାୟ ଦାବି କରିଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରୁ ଏଯାବତ୍ ୫୩ ଜଣ ହକି ଖେଳାଳି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଲେଣି ଏବଂ ସେମାନଙ୍କ ମଧ୍ୟରୁ ୫୨ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର। ଏହି ହକି ଖେଳାଳିଙ୍କ ମଧ୍ୟରୁ ୨ ଜଣ ପଦ୍ମଶ୍ରୀ ସମ୍ମାନ ପାଇଥିବା ବେଳେ ଆଉ କେତେଜଣ ମଧ୍ୟ ଜାତୀୟ ହକି ଦଳର ନେତୃତ୍ୱ ନେଇଛନ୍ତି।

ହକିକୁ ଦେଶବାସୀ ଭାରତର ଜାତୀୟ ଖେଳ ଭାବେ ଗ୍ରହଣ କରିନେଇଥିବା ଏବଂ ପାଠ୍ୟପୁସ୍ତକ ତଥା ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏ ସଂକ୍ରାନ୍ତରେ ପ୍ରଶ୍ନ ଆସୁଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ହକିକୁ ଜାତୀୟ ଖେଳ ଭାବେ ତୁରନ୍ତ ଘୋଷଣା କରିବାକୁ ମଧ୍ୟ ଶ୍ରୀ ରାୟ ପ୍ରସ୍ତାବ ଦେଇଛନ୍ତି।

Leave a Reply

Your email address will not be published. Required fields are marked *