ଲଘୁଚାପ ବର୍ଷାରେ ଜିଲାର ୧୭୧ ପଞ୍ଚାୟତର ୯୪୩ଟି ଗ୍ରାମର୩.୧୩ଲକ୍ଷଲୋକ ବିପନ୍ନ

କେନ୍ଦ୍ରାପଡା ୮/୯ (ଓଡିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)- ଗତକାଲି ରାତିସୁଦ୍ଧା ବିଭିନ୍ନ ବ୍ଲକରୁ ଜିଲା ଜରୁରୀ ବିଭାଗକୁ ଆସିଥିବା ତଥ୍ୟ ଅନୁଯାୟୀ ଗତ ୭ତାରିଖର ଲଗାଣ ବର୍ଷା ଯୋଗୁ ଜିଲାର ୯ଟି ବ୍ଲକ ଏବଂ ଦୁଇଟି ପୌରସଂସ୍ଥାର ୧୭୧ ପଞ୍ଚାୟତ ଓ ୮ଟି ୱାର୍ଡର ୩ଲକ୍ଷ ୧୩ହଜାର ଲୋକ ବିପନ୍ନ ହୋଇପଡିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି। ଏହାଦ୍ୱରା ୯୪୩ଗ୍ରାମ ପ୍ରଭାବିତ ହୋଇଛି। ବିପନ୍ନ ଲୋକମାନଙ୍କପାଇଁ ୩୩ଟି ମାଗଣା ଭୋଜନ କେନ୍ଦ୍ର ଖୋଲାଯାଇଛି। ଭାଙ୍ଗିଯାଇଥିବା ୪୨୪୧ ବାସଗୃହ ମଧ୍ୟରୁ ୩୧୦ ସଂପୂର୍ଣ୍ଣ ଏବଂ ୨୪୧ଟି ଆଶିଂକ କ୍ଷତିଗ୍ରସ୍ତ ହୋଇଥବା ଏପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରାଯାଇଛି। ୨୪ହଜାର ୪୫୨ ହେକ୍ଟର ଧାନଜମି ପାଣିରେ ବୁଡି ରହିଥିବା ଏପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରାଯାଇଛି। କେନ୍ଦ୍ରାପଡା ପୌରସଂସ୍ଥାର ବିଭିନ୍ନ ୱାର୍ଡ ଏହି ଲଗାଣ ବର୍ଷାଦ୍ୱାରା କେଉଁ ପରିସ୍ଥିତିରେ ପ୍ରଭାବିତ ହୋଇଛି ଏବଂ କାହିଁକି ବିଭିନ୍ନ ୱାଡରୁ ଜଳ ନିଷ୍କାସନ ହୋଇପାରୁନାହିଁ ସେ ସମ୍ପର୍କରେ ଜିଲାପାଳ ଦାଶରଥି ଶତପଥୀଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେଥିବା କଲଭଟ୍ ଏବଂ ଡ୍ରେନ ଗୁଡିକ ନିୟମିତ ସଫା କରାଯାଉନଥିବାରୁ ବର୍ଷାଜଳ ନିଷ୍କାସନରେ ଅନ୍ତରାୟ ସୃଷ୍ଟି କରୁଛି। ଯାହା ଫଳରେ କି ସହରରେ ଡ୍ରେନେଜ ସିଷ୍ଟିମ ସଂପୂର୍ଣ ଅଚଳ ହୋଇପଡିଥିବାରୁ ଲୋକମାନଙ୍କ ଘର ଭିତରେ ପାଣି ପଶିଯିବା ସହିତ ବିଭିନ୍ନ ଖାଲୁଆ ସ୍ଥାନରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଯାହା ଫଳରେ କି ସହରରେ ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟସ୍ତ ହୋଇପଡିଥିବା ସମୀକ୍ଷା ବୈଠକରୁ ଜଣାପଡିଥିଲା।ତେଣୁ କେନ୍ଦ୍ରାପଡା ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଏବଂ ଜିଲାମୁଖ୍ୟ ଚିକିତ୍ସା ଅଧିକାରୀ ମିଳିତଭାବେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନକରି ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହିତ ସହରରେ ବଜ୍ୟବସ୍ତ୍ରୁ ପଚିସଢି ସଂକ୍ରାମ ରୋଗ ଦେଖାନଦିଏ ତାହାକୁ ନିୟନ୍ତ୍ରଣ କରିବାପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ଲଗାଣ ବର୍ଷାଯୋଗୁ ସାରା ଜିଲାରେ କେତେ ବିପନ୍ନ ହୋଇପଡିଛନ୍ତି ଏବଂ କେତେ ଚାଷଜମି ପାଣିଭିତରେ ବୁଡି ରହିଛି ଏବଂ କେତେଘର ଭାଙ୍ଗିଛି ତାହାର ଏପର୍ଯ୍ୟନ୍ତ ବସ୍ତବ ଚିତ୍ର ମିଳୀନାହିଁ। ବିଭିନ୍ନ ତହସିଲର ତହସିଲଦାରମାନେ ସେମାନଙ୍କ ଅଞ୍ଚଳ ଗସ୍ତକରି ରାଜସ୍ୱ ନିରୀକ୍ଷକଙ୍କ ସହାୟତାରେ କ୍ଷୟକ୍ଷତି ଆକଳନ କରୁଛନ୍ତି। ଏହି କାର୍ଯ୍ୟ କେତେଦିନ ଚାଲିବ ଏବଂ ତେବେ କ୍ଷୟକ୍ଷତିର ବାସ୍ତବ ଚିତ୍ର ମିଳିବ ତାହା ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ। ଜିଲା ଜରୁରୀ ବିଭାଗ ପ୍ରତିଦିନ ବିଭିନ୍ନ ତହସିଲରୁ ଯେତିକି କ୍ଷୟକ୍ଷତିର ରିପୋର୍ଟ ପାଉଛନ୍ତି ତାହାକୁ ଜିଲାପାଳଙ୍କ ଜରିଆରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପାଖକୁ ପଠାଉଛନ୍ତି। ହଜାର ହଜାର ଏକର ଚାଷଜମି ଓ ପୌରସଂସ୍ଥାର ବିଭିନ୍ନ ହାଇସ୍କୁଲ ଖେଳପଡିଆ ଏବଂ ଅନ୍ୟାନ୍ୟ ଖାଲୁଆ ସ୍ଥାନରୁ ଜଳ ନିଷ୍କାସନପାଇଁ କୌଣସି ବ୍ୟବସ୍ଥା ହେଉନଥିବାରୁ ସେ ସବୁ ଅଞ୍ଚଳରର ବଜ୍ୟବସ୍ତ୍ରୁ ଆବର୍ଜନା ପଚିସଢି ଗଲାଣି। ତାହାର ପ୍ରତିକାରପାଇଁ କୌଣସି ବ୍ୟବସ୍ଥା ହେଉନଥିବା ସାଧାରଣରେ ଅଭିଯୋଗ ହେଉଛି। ବିଭିନ୍ନ ତହସିଲରେ କର୍ମଚାରୀ ଅଭାବରୁ ଘରଭଙ୍ଗା ତାଲିକା ପ୍ରାସ୍ତୁତ ହୋଇପାରୁନଥିବା କୁହାଯାଉଛି। ତେଣୁ ବାହାର ଜିଲାରୁ ଅଧିକ ସଂଖ୍ୟକ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଣାଯାଇ ଏହି ଜିଲାର ବାସ୍ତବ କ୍ଷୟକ୍ଷତି ତୁରନ୍ତ ଆକଳନ କରାଯିବା ସହିତ ବିପନ୍ନ ଲୋକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *