ଜିଲ୍ଲା ପରିକ୍ରମା

ଲଗାଣ ବର୍ଷାରେ ସହରରେ କୃତ୍ରିମ ବନ୍ୟା ପାଇଁ ଦାୟୀ କିଏ ; ଟାଉନ ପ୍ଲାନିଂ ଓ ପୌର ପ୍ରଶାସନ ମଧ୍ୟେ ସମନ୍ୱୟ ନଥିବାବେଳେ ନିୟମିତ ସମନ୍ୱୟ ବୈଠକ ହେଉନାହିଁ – ଯାଜପୁର ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ

ଯାଜପୁର -୨୭/୭(ଓଡିଆ ପୁଅ/ଏ.ରାଉତ)ଗତ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଯାଜପୁର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘବର୍ଷର ରେକର୍ଡ଼ ଭାଙ୍ଗି ସହରର ବିଭିନ୍ନ ସ୍ଥାନରେ ବର୍ଷାଜଳ ମାଡ଼ିଯାଇଥିଲା। ଏପରିକି ବର୍ଷାଜଳ ଏସ୍.ଡି.ପି.ଓ.ଙ୍କ ବାସଭବନ, ତହସିଲ କାର୍ଯ୍ୟାଳୟରେ ପ୍ରବେଶ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରେ ମାଡ଼ିଯାଇଥିଲା। ଏପରିକି ଜିଲା ଜର୍ଜ କୋର୍ଟ ଭିତରେ ବର୍ଷାଜଳ ମାଡ଼ିଯିବାରୁ ବିଚାରପତି ବାଧ୍ୟହୋଇ କୋର୍ଟ କାର୍ଯ୍ୟକୁ ବାତିଲ କରିଥିଲେ। ଏହି ବର୍ଷାଜଳ ନିଷ୍କାସନ ହୋଇନପାରି ସହରେ କୃତ୍ରିମ ବନ୍ୟା ସୃଷ୍ଟି କରିବା ପଛରେ ରହସ୍ୟ କ’ଣ? ଏହି ଅବହେଳା ପାଇଁ ଦାୟୀ କିଏ? ପୌର ପ୍ରଶାସନ ନା ଟାଉନ ପ୍ଲାନିଂ। ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ। ଦୀର୍ଘ ୮ ବର୍ଷ ଭିତରେ ଯାଜପୁର ସହରର ବିକାଶ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନର ଯଥେଷ୍ଟ ପରିମାଣର ବିକାଶ ଘଟିଛି। ମେଡ଼ିକାଲ ଛକଠାରୁ କିଲ୍ଲାଘାଟ ପର୍ଯ୍ୟନ୍ତ ପ୍ରଶସ୍ତିକରଣ କରାଯିବା ସହ ମେଡ଼ିକାଲ ଛକରୁ ବିରଜା ମହିଳା ମହାବିଦ୍ୟାଳୟ ଛକପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତିକରଣ କରା୍ିବା ସହ ଗାନ୍ଧୀଛକରୁ ମାର୍କେଟ୍ ଛକ, ମାନସାପୋଲଠାରୁ ମେଡ଼ିକାଲ ଛକ ଓ ମାନସାପୋଲଠାରୁ କିଆନାଳୀକୂଳ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ସହରର ବର୍ଷାଜଳ ନିଷ୍କାସନ ନିମନ୍ତେ ବିଶେଷ ଗୁରୁତ୍ୱ ଦିଆଯାଉନଥିବା ଦେଖିବାକୁ ମିଳିଛି। ପୂର୍ବରୁ ଥିବା ଜଳ ନିଷ୍କାସନ ସ୍ଥାନଗୁଡ଼ିକ ଅବରୋଧ ଓ ପାଣି ନାଳଗୁଡ଼ିକ ପୋତିଦେଇ ଗୃହ ନିର୍ମାଣ କରିବା ଦ୍ୱାରା ବର୍ଷାଜଳ ନିଷ୍କାସନ ହୋଇନପାରି ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ବର୍ଷାଜଳ ନିଷ୍କାସନ ନହେବା ପଛରେ ବହୁଗୁଡ଼ିକଏ କାରଣ ରହିଥିବା ଜଣାପଡ଼ିଛି। ପୌର ପ୍ରଶାସନ ଓ ଟାଉନ ପ୍ଲାନିଂର ସମନ୍ୱୟ ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ସହରର ବହୁ ସ୍ଥାନରେ ବର୍ଷାଜଳ ନିଷ୍କାସନ ନିମନ୍ତେ ଛୋଟବଡ଼ କଲଭର୍ଟ ଥିଲା। ଏହି କଲଭର୍ଟ ଯୋଗୁ ବର୍ଷାଜଳ ଅବାଧରେ ନିଷ୍କାସନ ହୋଇପାରୁଥିଲା। କିନ୍ତୁ କଲଭର୍ଟଗୁଡ଼ିକ ସମ୍ମୁଖରେ ଗୃହ ନିର୍ମାଣ କରିବା ଯୋଗ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଏହି ସ୍ଥାନଗୁଡ଼ିକରେ ଗୃହ ନିର୍ମାଣ ନିମନ୍ତେ ଟାଉନ ପ୍ଲାନିଂ ଗୃହ ନିର୍ମାଣ ସ୍ଥାନକୁ ନଆସି ଅଫିସରେ ବସି ପ୍ଲାନ୍ଗୁଡ଼ିକ ଅନୁମୋଦନ କରୁଥିବା ଅଭିଯୋଗ ହେଉଛି। ଯାହାଫଳରେ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ଗୃହ ନିର୍ମାଣ କରିବା ନିମନ୍ତେ ଆବେଦନ କରିଥିବା ବ୍ୟକ୍ତିର ପ୍ଲାନକୁ ଟାଉନ ପ୍ଲାନିଂ ଅନୁମୋଦନ କରିବା ପୂର୍ବରୁ ସ୍ଥାନ ସମ୍ପର୍କରେ ଅବଗତ ହେବା ଓ ଏ ସମ୍ପର୍କରେ ପୌର ପ୍ରଶାସନ ସହିତ ଆଲୋଚନା କରିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଉନଥିବା ଅଭିଯୋଗ ହେଉଛି। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଟାଉନ ପ୍ଲାନିଂ ଓ ପୌର ପ୍ରଶାସନକୁ ନେଇ ଏକ ସମନ୍ୱୟ ବୈଠକ ହେବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଉନଥିବା ଦେଖିବାକୁ ମିଳିଛି। ଦୀର୍ଘଦିନ ହେବ ଟାଉନ ପ୍ଲାନିଂ ଅଧିକାରୀ ଅନୁପସ୍ଥିତ ଥିବାରୁ ଏହାର ସୁଯୋଗ ନେଇ ଜନୈକ କର୍ମଚାରୀ ପ୍ଲାନଗୁଡ଼ିକ ଅବାଧରେ ଅନୁମୋଦନ କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କେତେକ ଅଭିଯୋଗ କରିଛନ୍ତି। ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍ଚାରେ ଏହି ପାଣିନାଳଗୁଡ଼ିକ ଜବରଦଖଲ ହୋଇଥିବା ଜଣାପଡ଼ିଛି। ସେତିକି ନୁହେଁ, ଜଳ ନିଷ୍କାସନ ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ଥିବା କଲଭର୍ଟଗୁଡ଼ିକ ପୋତି ଦିଆଯିବା ଓ କଲଭର୍ଟ ସମ୍ମୁଖରେ ବାସପଯୋଗୀ ଗୃହ ଓ ଦୋମାନ ଗୃହ ନିର୍ମାଣ କରାଯିବା ଫଳରେ ବର୍ଷାଜଳ ନିଷ୍କାସନ ହୋଇନପାରି ବର୍ଷାପାଣି ରାସ୍ତା ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି। ସହରର ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ହୋଇନପାରିବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାବେଳେ କେତେକ ଲୋକଙ୍କ ଘରେ ବର୍ଷାଜଳ ମାଡ଼ିଯାଉଛି। ଯଦି ଏହି ଅବରୋଧ ଲାଗିରୁହେ, ତେବେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହିସବୁ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଟାଉନ ପ୍ଲାନିଂ ପୌର ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରିବାର ଆବଶ୍ୟକ ରହିଛି। ପୌର ପ୍ରଶାସନର ବିନା ପରାମର୍ଶରେ ପ୍ଲାନଗୁଡ଼ିକ ଅନୁମୋଦନ ନକାରାଯାଉ ବୋଲି କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ସେହିପରି ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ରଖାଯିବା ସହ ନିୟମିତ ବୈଠକ ବସିଲେ ଏହି ପରିସ୍ଥିତି ସୃଷ୍ଟି ହୋଇନପାରେ ବୋଲି କେତେକ ବରିଷ୍ଠ ନଗରିକ ମତ ଦେଇଛନ୍ତି। କଣ କୁହନ୍ତି ଯାଜପୁର ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ପୂର୍ବରୁ ଥିବା ନାଳଗୁଡ଼ିକ ପୋତିହୋଇ ପଡ଼ିବା ଓ ଜଳ ନିଷ୍କାସନ ସ୍ଥାନଗୁଡ଼ିକରେ ଗୃହ ନିର୍ମାଣ କରାଯିବା ଫଳରେ ବର୍ଷାଜଳ ନିଷ୍କାସନ ହୋଇନପାରି ସମସ୍ୟା ସୃଷ୍ଟି କରିଛି। ଏପରିକି ଟାଉନ ପ୍ଲାନିଂ ପ୍ଲାନଗୁଡ଼ିକ ଅନୁମୋଦନ କରିବା ପୂର୍ବରୁ ନିର୍ମାଣ ସ୍ଥାନ ସମ୍ପର୍କରେ ଅବଗତ ହେବାସହ ପୌର ପ୍ରଶାସନ ସହିତ ଆଲୋଚନାର ଆବଶ୍ୟକ ଥିବାବେଳେ ତାହା ମଧ୍ୟ କରାଯାଉନଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି। ଟାଉନ ପ୍ଲାନିଂ ଓ ପୌର ପ୍ରଶାସନ ମଧ୍ୟେ ସମନ୍ୱୟ ନଥିବାବେଳେ ନିୟମିତ ସମନ୍ୱୟ ବୈଠକ ହେଉନାହିଁ। ଯାହାଫଲରେ ସହରର ଜଳ ନିଷ୍କାସନ ସ୍ଥାନଗୁଡ଼ିକ ଅବରୋଧ ହେବା ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ପୌର ପ୍ରଶାସନ ପକ୍ଷରୁ ପ୍ଲାନିଂ ଦ୍ୱାରା ଅନୁମୋଦନ ହୋଇଥିବା କେତେକ ସ୍ଥାନରେ ଗୃହ ନିର୍ମାଣ ଉପରେ କଟକଣା ଜାରି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top