ଜିଲ୍ଲା ପରିକ୍ରମା

ଲଗାଣ ବର୍ଷାରେ ତଳିଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଲଗାଣ ବର୍ଷା ସହିତ ତୁହାକୁ ତୁହା ପବନ ବାସୁଦେବପୁର ଅଞ୍ଚଳର ସ୍ଥିତିକୁ ବିଗାଡି ଦେଇଛି। ଲଗାଣ ବର୍ଷାରେ ସହରରେ ଥିବା କେତେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏପରିକି ସହରର କେତେକ ଦୋକାନରେ ପାଣି ପଶି ଯାଇଛି। ଗାଁଗୁଡିକର ଅବସ୍ଥା ମଧ୍ୟ ବେହାଲ ହୋଇଛି। ଲଗାଣ ବର୍ଷାରେ କେତେକ ମାଟିକାନ୍ଥ ଦୁର୍ବଳ ହେବାରେ ଲାଗିଛି। ସହରରେ ବର୍ଷା ପାଣି ନିଷ୍କାସନ ହୋଇ ନପାରି ପ୍ରାଣୀ ଚିକିତ୍ସାଳୟ ପରିସର, ହାଇସ୍କୁଲ ଛକର ତଳି ଅଞ୍ଚଳରେ ଲହଡି ମାରୁଛି। ସହରର ସବୁ ମାର୍ଗରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଏହି ଅବ୍ୟବସ୍ଥାକୁ ନେଇ ସହରବାସୀ ସିଧାସଳଖ ପୌରାପାଳିକାକୁ ଦୋଷ ଦେଇଛନ୍ତି। ପୌରାଞ୍ଚଳ ଭିତରେ ଦୟନୀୟ ସ୍ଥିତିରେ ଲୋକ ପଡୁଥିଲେ ବି ପୌର କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି ବୋଲି କେତେକ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ବ୍ଲକ ରୋଡର କେତେକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ପାଣି ଜମି ରହିଥିଲେ ବି ନିଷ୍କାସନ ବ୍ୟବସ୍ଥା ହୋଇପାରୁନି। ରାସ୍ତାର ପଶ୍ଚିମ ପାଖରେ ଡ୍ରେନ ବ୍ୟବସ୍ଥା ପାଇଁ ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କରୁଥିଲେ ବି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନି। ମୁଖ୍ୟ ରାସ୍ତାଠାରୁ ବାଲି କଲୋନୀକୁ ଯାଇଥିବା ରାସ୍ତାରେ ବର୍ଷା ହେଲେ ପାଣିର ସୁଅ ଛୁଟୁଛି। ପାଣି ନିଷ୍କାସନର କୌଣସି ସୁବିଧା ନଥିବାରୁ ଲୋକମାନେ ଅସୁବିଧାରେ ପଡୁଛନ୍ତି। ସେହିପରି ବଂଶୀପାଟଣା ସ୍କୁଲ ରାସ୍ତା ଉପରେ ପାଣି ଚାଲୁଛି। ଛାତ୍ରଛାତ୍ରୀ ପାଣିରେ ପଶି ବିଦ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ତହସିଲଦାରଙ୍କୁୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ଜଳ ନିଷ୍କାସନ ପଥକୁ ଲୋକମାନେ ଅବରୋଧ କରିବା ସହ ଯୋଜନା ବିହୀନ ଭାବେ ଘର କରୁଥିବାରୁ ଏହି ସମସ୍ୟା ଦେଖା ଦେଉଛି। ତେବେ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପୌରାଧ୍ୟକ୍ଷ ଅଶୋକ କୁମାର ଦାସ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top