ଲକ୍ଷ୍ୟ ଠାରୁ ଦୁରେଇ ଯାଉଛି ହରିଶ୍ଚନ୍ଦ୍ର ଯୋଜନା, ସହାୟତା ରୁ ବଂଚିତ ସ୍ୱାଧିନତା ସଂଗ୍ରାମୀଙ୍କ ପୁତ୍ରବଧୁ

ବୌଦ୍ଧ, ୨୬ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା):ଦରିଦ୍ର ସୀମା ରେଖା ତଳେ ରହୁଥିବା ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ କ୍ରିୟା କର୍ମ ତୁଲାଇବା ପାଇଁ ରାଜ୍ୟ ସରକାର ହରଶ୍ଚନ୍ଦ୍ର ଯୋଜନା ଭଳି ମହତା୍ୱକାକ୍ଷି ଯୋଜନା କାର୍ଯ୍ୟକାରି କରିଛନ୍ତି। ମୃତକଙ୍କ ପରିବାର କୁ ତ୍ୱରିତ ୨ ହଜାର ଟଙ୍କାର ଅର୍ଥିକ ସହାୟତା ପଂଚାୟତ ପକ୍ଷରୁ ପ୍ରଦାନ କରିବା ପାଇଁ ଏହି ଯୋଜନା ରେ ପ୍ରାବଧାନ ରହିଛି। ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମ ରେ ନିର୍ବାଚିତ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଅନ୍ତରିକତା ର ଅଭାବ ଯୋଗୁଁ ଗତ ୨ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ଜଣେ ସ୍ୱାଧିନତା ସଂଗ୍ରାମୀ ଙ୍କ ପୁଅର ଅସହାୟ ବିଧବା ପତ୍ନୀ ଙ୍କୁ ଆଜି ପର୍ଯ୍ୟନ୍ତ ଏହି କଲ୍ୟାଣକାରୀ ଯୋଜନା ର ପ୍ରାପ୍ୟ ଅର୍ଥ ମିିଳିପାରି ନଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଶେଷ ରେ ବୌଦ୍ଧ ଜିଲ୍ଲାପାଳ ଙ୍କୁ ଡାକ ଯୋଗେ ଚିଠି ଲେଖି ସହାୟତା ଲୋଡିଥିବା ଜଣାପଡିଛି। ପ୍ରକାଶ ଥାଉକି ହରଭଙ୍ଗା ଗ୍ରାମ ର ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀ ଚିନ୍ତାମଣୀ ତ୍ରିପାଠୀ ନିଜ ପିଲା ପରିବାର ଛାଡି ଦେଶ ପାଇଁ ଭାରତଛାଡ ଅନ୍ଦୋଳନରେ ଯୋଗ ଦେଇ ବ୍ରିଟିଶ ସରକାର ଙ୍କ ଦ୍ୱାରା କାରାବରଣ କରିଥିଲେ। ତାଙ୍କର ତ୍ୟାଗ ଓ ନିଷ୍ଠାକୁ ଆଖି ଆଗରେ ରଖି ଭାରତ ସରକାରଙ୍କ ଦ୍ୱାରା ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମ୍ମାନ ସୂଚକ ସ୍ୱାଧିନତା ସଂଗ୍ରାମୀ ଭତା ପ୍ରଦାନ କରାଯାଉଥିଲା। ହେଲେ ଦରିଦ୍ର ସୀମାରେଖା ତଳେ ବାସ କରୁଥିବା ଏହି ସ୍ୱାଧିନତା ସଂଗ୍ରାମୀଙ୍କ ଏକମାତ୍ର ସନ୍ତାନ ସ୍ୱର୍ଗତ ବିରଂଚି ପ୍ରସାଦ ତ୍ରିପାଠୀ ଗତ ୨୦୧୬ ଏପ୍ରିଲ ୧୩ ରେ ମୃତ୍ୟୁବରଣ କରିବାର ଆଜକୁ ପ୍ରାୟ ୨ ବର୍ଷ ହେବାକୁ ବସିଥିଲେ ମଧ୍ୟ ତାଙ୍କ ବିଧବା ପତ୍ନୀ ଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ସୁଫଳ ନମିଳିବା ଘଟଣା ଯୋଜନା ର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ହରଭଙ୍ଗା ପଂଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ଠେଲା ଙ୍କ ମତାମତ ନେବାରୁ ଗତ ପ୍ରାୟ ଦେଢ ବର୍ଷ ହେଲା ଏହି ଯୋଜନାର ଅନୁଦାନ ପଂଚାୟତ କୁ ମିଳିନାହିଁ। ତେଣୁ ଆହୁରି ଅନେକ ହରଶ୍ଚନ୍ଦ୍ର ଯୋଜନାର ହିତାଧିକାରୀ ଙ୍କୁ ଆମେ ଅନୁଦାନ ଅର୍ଥ ଦେବାକୁ ସକ୍ଷମ ହେଉନାହୁଁ। ତେବେ ଆମେ ପଂଚାୟତ ର ନିଜସ୍ୱ ଆୟ ଫଣ୍ଡରୁ ସ୍ୱର୍ଗତ ବିରଂଚି ପ୍ରସାଦ ତ୍ରିପାଠୀ ଙ୍କ ପରିବାର କୁ ଦେବା ପାଇଁ ପଦକ୍ଷେପ ନେବୁ ବୋଲି କହିଥିଲେ। ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *