ଲକେଇପଶି ଗ୍ରାମବାସୀଙ୍କ ଖଣି ବନ୍ଦ ଆନ୍ଦୋଳନ

ତାଳଚେର, ୧/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଡଅଁରା ପଂଚାୟତ ଅନ୍ତର୍ଗତ ଲକେଇପଶି ଗ୍ରାମବାସୀଙ୍କ ପକ୍ଷରୁ ନିଯୁକ୍ତି, ଥଇଥାନ ଦାବିରେ ଏମ୍.ସି.ଏଲ୍ ଭରତପୁର କୋଇଲାଖଣିରେ ବନ୍ଦ ଆନ୍ଦୋଳନ କରାଯାଇଥିଲା। ଗ୍ରାମର ଶତାଧିକ ଆନ୍ଦୋଳନକାରୀ ବୁଧବାର ସକାଳୁ ଭରତପୁର କୋଇଲା ଖଣିର ଟାଇମ ଅଫିସ, ସି.ଏଚ୍.ପି, ରେଲୱେ ସାଇଡିଙ୍ଗ୍ ରେ ବସି ରହି ଆନ୍ଦୋଳନ କରିବାରୁ କୋଇଲା ଉତ୍ପାଦନ ଓ ପରିବହନ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ପ୍ରକାଶ ଥାଉକି, ଲକେଇପଶି ଗ୍ରାମର ସମସ୍ତ ଜମିବାଡି ଓ ଘରଦ୍ୱାର ଏମ୍.ସି.ଏଲ ଦ୍ୱାରା ୨୨/୧୦/ ୨୦୧୧ ମସିହାରୁ ଫୋର-ୱାନ(୪-୧) କରାଯାଇଅଛି। ମାତ୍ର ଅଦ୍ୟାବଧି ଗ୍ରାମବାସୀ ମାନଙ୍କୁ କୌଣସି ନିଯୁକ୍ତି ଓ କ୍ଷତିପୂରଣ ମିଳିନାହିଁ। ଗ୍ରାମବାସୀମାନେ ବିଭିନ୍ନ ସମୟରେ ଖଣିବନ୍ଦ ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତା୧୧.୦୧.୨୦୧୮ରିଖରେ ହୋଇଥିବା ବୈଠକରେ ଲକେଇପଶି ଗ୍ରାମର ୪୧୩ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଚଳିତ ମେ ମାସ ଶେଷ ସୁଦ୍ଧା ଏମ୍.ସି.ଏଲ୍ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଥିଲା। ତେବେ ଖଣି କତୃପକ୍ଷ ନିଯୁକ୍ତି ପ୍ରଦାନ କରିବାରେ କୌଣସି ପଦକ୍ଷେପ ନେଉ ନଥିବାରୁ ସେମାନଙ୍କୁ ଧାର୍ଯ୍ୟ ସମୟରେ ନିଯୁକ୍ତି ମିଳିପାରୁ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେଣୁ ସମସ୍ତ ଜମିହରା ପ୍ରଜାମାନଙ୍କୁ ଯଥାଶୀଘ୍ର ନିଯୁକ୍ତି ପ୍ରଦାନ କରିବା ଦାବିରେ ଗ୍ରାମ ପରିଚାଳନା କମିଟି ସଭାପତି ସୁମନ୍ତ ଦାସଙ୍କ ନେତୃତ୍ୱରେ ଶୁକ୍ରବାର ସକାଳୁ ଗ୍ରାମବାସୀମାନେ ଅନିଦ୍ଦିଷ୍ଟ ସମୟ ପାଇଁ ଆନ୍ଦୋଳନ ଚଳାଇଥିଲେ। ଏହାପରେ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ଉପସ୍ଥିତିରେ ଡେରା ଗେଷ୍ଟ ହାଉସଠାରେ ଏମ.୍ସି.ଏଲ୍ ଡି.ପି ଓ ଅନ୍ୟାନ୍ୟ ଖଣି ଅଧିକାରୀଙ୍କ ମଧ୍ୟରେ ଏକ ସମାଧାନୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୯୭ଜଣ କ୍ଷତିଗ୍ରସ୍ତଙ୍କର ଜୁନ୍ ମାସ ୧୫ ତାରିଖ ସୁଦ୍ଧା ମେଡିକାଲ୍ ଟେଷ୍ଟ କରିବା ସହ ଜୁନ୍ ୨୦ତାରିଖ ସୁଦ୍ଧା ଏଫ୍.ଡି ପଠାଇବାକୁ ନିଷ୍ପତି ନିଆଯାଇଥିଲା। ସେହିପରି ୧୪୫ ଜଣ ଜମିହରା ପ୍ରଜାଙ୍କର ନିଯୁକ୍ତି ପାଇଁ ଆବଶ୍ୟକୀୟ ପ୍ରକିୟା ଶେଷ କରି ଜୁଲାଇ ମାସ ଶେଷ ସୁଦ୍ଧା ଏଫ୍.ଡି ପଠାଇବାକୁ ସ୍ଥିର କରାଯାଇଥିଲା। ଏଥିସହିତ ଗ୍ରାମର ୧୮ ବର୍ଷରୁ କମ ଥିବା ନୋମିନିମାନଙ୍କୁ ଜବ କାର୍ଡ ପ୍ରଦାନ କରିବା ସହ ଗ୍ରାମ ପୋଖରୀକୁ ପାଇପ୍ ଯୋଗେ ଜଳ ଯୋଗାଣ କରିବାକୁ ଖଣି କର୍ତ୍ତୃପକ୍ଷ ପ୍ରତିଶୃତି ଦେବାରୁ ଅପରାହ୍ନରେ ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Leave a Reply

Your email address will not be published. Required fields are marked *