ରୋକାଯାଇ ପାରୁନାହିଁ ଗୋଚାଲାଣ, ରାସ୍ତାରେ ମଲା ଗୋରୁ ଫିଙ୍ଗି ଦେଲେ ବେପାରୀ : ପ୍ରସାଶନ ନିରବ ଦ୍ରଷ୍ଟା

ରେମୁଣା/ବାଲେଶ୍ୱର, ୧୨/୦୩(ଓଡ଼ିଆ ପୁଅ/ଭଗବାନ ଦାସ) – ବେଆଇନ ଗୋ ଚାଲାଣ ଥମିବାର ନାହିଁ। ଯେକୌଣସି ପ୍ରକାରେ ଆଇନ ଓ ପ୍ରସାଶନ ଆଖିରେ ଆଙ୍ଗୁଠି ଗେଞ୍ଜି ଗୋ ଚାଲାଣ ହେଉଛି। ପୁର୍ବରୁ ୧୬ନଂ ଜାତୀୟ ରାଜପଥରେ ବେଆଇନ ଗୋଚାଲାଣ ହେଉଥିବା ବେଳେ ବାରମ୍ବାର ଧରପଗଡ଼ ଯୋଗୁଁ ଚୋରା ଗୋରୁ ବେପାରୀ ଗୋଚାଲାଣ ପାଇଁ ବାଲେଶ୍ୱର -ବାସୁଦେବପୁର ସଲ୍ଟ ରୋଡ଼ ଉପରେ ଆଡ୍ଡା ଜମାଇଛନ୍ତି। ଯାହାର ନମୁନା ଶନିବାର ସକାଳେ ଦେଖିବାକୁ ମିଳିଛି। ସକାଳେ ସଲ୍ଟରୋଡ଼ର ଭୀମପୁର ଛକ ସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ପିକ୍ ଅପ ଭ୍ୟାନରୁ ୨ଟି ମଲା ଗୋରୁକୁ ଗାଡ଼ିରୁ କାଢି ବେପାରୀ ମାନେ ରାସ୍ତା କଡ଼ରେ ଫିଙ୍ଗି ଦେଇ ବାଲେଶ୍ୱର ଆଡ଼କୁ ଦୃତ ଗତିରେ ପଳାଇଥିଲେ। ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରେ ସ୍ଥାନୀୟ ଲୋକେ ମଲାଗୋରୁ ୨ଟିକୁ ରାସ୍ତାରୁ ହଟାଇଥିଲେ।ତେବେ ସ୍ଥାନୀୟ ଲୋକେ ଏହି ବେଆଇନ ଗୋ ଚାଲାଣକୁ ନିନ୍ଦା କରିବା ସହ ପ୍ରସାଶନ ସହଯୋଗରେ ଗୋଚାଲାଣ ହେଉଥିବାର ଅଭିଯୋଗ କରିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଭିନ୍ନ ଭିନ୍ନ ଦିବସରେ ଗୋରୁ ହାଟ ବସେ। ହାଟରୁ ତଥା ଗ୍ରାମାଞ୍ଚଳରୁ ବେପାରୀ ମାନେ କମ୍ ଦାମ୍ ରେ ଗୋରୁ କିଣି ଅମାନୁଷିକ ଭାବେ ଗୋରୁ ମାନଙ୍କୁ ଛୋଟଛୋଟ ଗାଡ଼ିରେ ଲଦି ଚାଲାଣ କରିଥାନ୍ତି। ପ୍ରସାଶନ ଆଖିରୁ ବର୍ତ୍ତିବା ପାଇଁ ଗାଡ଼ିରେ ତମ୍ବୁ ପକାଇ ଗୋରୁଙ୍କ ମୁହଁ ମଧ୍ୟ ବାନ୍ଧି ଦେଇଥାନ୍ତି। ଫଳରେ ଦୟନିୟ ଭାବେ ଚାଲାଣ ହେଉଥିବା ଗୋରୁ ଗୁଡ଼ିକ ଅକାଳରେ ମରିଥାନ୍ତି। ତେବେ ଆଗାମୀ ଦିନରେ ଉକ୍ତ ରାସ୍ତା ଦେଇ ଗୋଚାଲାଣ ବନ୍ଦ ନହେଲେ ସ୍ଥାନୀୟ ଅଧିବାସୀ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି। ଘଟଣା ବାବଦରେ ଜୟଦେବକସବା ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ଘଟଣା ବାବଦରେ ଜାଣି ନଥିବାର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *