ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଜଳସେଚନ କାର୍ଯ୍ୟ ନେଇ ବିଧାୟକଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ସମ୍ବଲପୁର, ୨/୪ (ଓଡ଼ିଆ ପୁଅ/ବ୍ୟୋମୋକୋଶ ପଣ୍ଡା) – ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଢ଼ାଖୋଲ, ନାକଟିଦେଉଳ, ମାନେଶ୍ୱର, ଯୁଯୁମୁରା ପ୍ରଭୃତି ବ୍ଲକରେ ଚାଲିଥିବା ଏବଂ ପ୍ରସ୍ତାବିତ ଜଳସମ୍ପଦ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଜି ଭୁବନେଶ୍ୱର ଜଳସମ୍ପଦ ବିଭାଗର ମୁଖ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ, ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ସର୍ବୋଚ୍ଚ ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ। ହୀରାକୁଦ ସେଚାଞ୍ଚଳରୁ ହୁମା ଅଞ୍ଚଳକୁ କେନାଲ ପାଣି ପହଞ୍ଚାଇବା ଉପରେ ଏଥିରେ ଆଲୋଚନା କରାଯାଇଥିଲା। ବିଧାୟକ ଇଂ. ପୂଜାରୀ ହୁମାକୁ ସ୍ୱଭାବିକ ଜଳପ୍ରବାହ ସକାଶେ ମାଳତୀ ଗୁଣ୍ଡେରପୁର ଠାରେ ମାଳତୀ ଯୋରରୁ ପାଣି ଉଠାଇ କେନାଲକୁ ଗତିଶୀଳ କରିବାକୁ ପ୍ରସ୍ତାବ ଦେଇଥିଲେ। ହୀରାକୁଦ କେନାଲର ବିଭିନ୍ନ ରାସ୍ତାର ନିର୍ମାଣ ଓ ରକ୍ଷଣାବେକ୍ଷଣ ସହିତ ସୌରଶକ୍ତି ଚାଳିତ ପ୍ଲାଣ୍ଟ ବସାଇବା, ନାକ୍ ଟିଦେଉଳର ଅରଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ନଦୀଜଳର ବ୍ୟବହାର କରି ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଯୋଜନା ବାବଦରେ ବୈଠକରେ ସମୀକ୍ଷା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ୪୮ଟି ଉଠାସେଚ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୭ଟିର କାମ ଚାଲିଥିବା ସୂଚନା ମିଳିଛି। ନଦୀଜଳ ବ୍ୟବହାର କରି ଉଦ୍ଦିଷ୍ଟ ବୃହତ୍ ଉଠାସେଚ ପ୍ରକଳ୍ପ ମଧ୍ୟରୁ ଗୋଟିଏ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୭ଟି କାର୍ଯ୍ୟକ୍ଷମ ଅପେକ୍ଷାକୁ ଆସିଗଲାଣି ବୋଲି ଜଣାପଡ଼ିଛି। ସେହିଭଳି ଏହି ଅଞ୍ଚଳରେ ଗଭୀର ନଳକୂପ ଖନନ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ୧୫୦ଟି ଉଠାସେଚ ପ୍ରକଳ୍ପରୁ ୫୦ଟି ଏବଂ ଅନ୍ୟାନ୍ୟ ୯୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଗିରିଶଚନ୍ଦ୍ରପୁରରୁ ବାଟଗାଁ ପର୍ଯ୍ୟନ୍ତ ଚାଲିଥିବା ପଥର ବନ୍ଧ କାର୍ଯ୍ୟ ବାବଦରେ ମଧ୍ୟ ବିଧାୟକ ଇଂ. ପୂଜାରୀ ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *