ଅନୁଗୋଳ, ୧/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର କଇଁଫୁଲିଆ ସାହି ନିକଟସ୍ଥ ରେଳ ଧାରଣାରେ କଟି ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଗ୍ରାମର ପ୍ରଶାନ୍ତ କୁମାର ସାହୁ ଓରଫ୍ ପିଣ୍ଟୁ (୩୦)। ପ୍ରଶାନ୍ତ ଭୋରରେ ନିଜ ବାଇକ ଯୋଗେ ତାଳଚେର ଅଭିମୁଖେ ଆସିବାପାଇଁ ରେଳ ଲାଇନ୍ ପାର ହେଉଥିବା ବେଳେ ଏକ ଏକ୍ସପ୍ରେସ ଟ୍ରେନ ତାଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା। ଫଳରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଦୀର୍ଘ ଘଣ୍ଟା ଧରି ଘଟଣାସ୍ଥଳରେ ରେଳରୋକ କରାଯାଇ କ୍ଷତିପୂରଣ ଦାବି କରାଯାଇଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଘଟଣାସ୍ଥଳକୁ ଯାଇ ଏ ସମ୍ପର୍କରେ ପଚାରି ବୁଝିଥିଲେ। ସୂଚନା ପାଇ ରେଳବାଇ କର୍ତ୍ତୃପକ୍ଷ ଏବଂ ଜିଆରପି ଅଧିକାରୀମାନେ ପଂହଂଚି ଘଟଣାର ତଦନ୍ତ କରିଥିଲେ। ଦୁର୍ଘଟଣା ଯୋଗୁଁ ବହୁ ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Loading...