ରେଳବାଇ ଦ୍ୱାରା ଘଂଟପଡ଼ାର ୧୮ନମ୍ବର ୱାର୍ଡ଼କୁ ରାସ୍ତାବନ୍ଦ ଉଦ୍ୟମକୁ ବିରୋଧ

ତାଳଚେର,୨୪/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରେଳବାଇର ସ୍ଥାନୀୟ କର୍ତୃପକ୍ଷଙ୍କ ଦ୍ୱାରା ତାଳଚେର ବ୍ଲକ ଅନ୍ତର୍ଗତ ଘଂଟପଡ଼ା ପଂଚାୟତର ୧୮ନମ୍ବର ୱାର୍ଡ଼କୁ ପାଚେରୀ ନିର୍ମାଣ ଦ୍ୱାରା ଚଲାପଥକୁ ବନ୍ଦ କରାଯିବାର ଅପଚେଷ୍ଟାକୁ ସ୍ଥାନୀୟ ବାସିନ୍ଦା ଏବଂ ଜନ ପ୍ରତିନିଧିଙ୍କ ତୀବ୍ର ବିରୋଧ ପରେ ପ୍ରଶାସନର ମଧ୍ୟସ୍ଥତାରେ ଏକ ସମାଧାନୀ ବୈଠକରେ ଲୋକଙ୍କ ନିମନ୍ତେ ୮ଫୁଟ ଓସାର ବିଶିଷ୍ଟ ରାସ୍ତା ପ୍ରଦାନ କରିବାକୁ ନିଷ୍ପତି ହୋଇଛି । ସୂଚନାଯୋଗ୍ୟ,ଗତ ୨୨ତାରିଖରେ ତାଳଚେରଠାରେ ଅବସ୍ଥାପିତ ଆଇ.ଓ.ଡବ୍ଲୁ୍ୟ ଅଧିକାରୀ ବି.ଏଲ.ମିଶ୍ର ରେଳ ସୁରକ୍ଷା ବାହିନୀର ସହାୟତାରେ ୧୮ ନମ୍ବର ୱାର୍ଡ଼ବାସୀଙ୍କ ଦ୍ୱାରା ବ୍ୟବହୃତ ପୁରୁଣା ଯାତାୟତ ପଥକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାପରେ ମଧ୍ୟ ବଳପୂର୍ବକ କାର୍ଯ୍ୟ କରାଯିବା ସେଠାରେ ଏକ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସୂଚନାପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଘଂଟପଡ଼ା ସରପଂଚ ମନୋଜ କୁମାର ବେହେରାଙ୍କୁ ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ । ଉକ୍ତ ରେଳ ଅଧିକାରୀଙ୍କ ଦ୍ୱାରା ଏପରି ମନମୂଖୀ କାର୍ଯ୍ୟକୁ ଉଭୟ ଜନ ପ୍ରତିନିଧି ବିରୋଧ କରିଥିଲେ । ଦୀର୍ଘ ୬୦ବର୍ଷ ହେବ ଏଠାରେ ଲୋକ ବାସ କରି ଆସୁଥିବାବେଳେ ମୂଖ୍ୟ ରାସ୍ତାକୁ ସଲଗ୍ନ ଉକ୍ତ ରାସ୍ତାକୁ ଦୈନନ୍ଦିନ ଯାତାୟତ ପାଇଁ ସେବେଠାରୁ ବ୍ୟବହାର କରିଆସୁଛନ୍ତି । ରେଲୱେର ବହୁତଳ କ୍ୱାର୍ଟର ନିମନ୍ତେ ୱାର୍ଡ଼ବାସୀ ବାଧକ ସାଜୁନଥିବା ବେଳେ ବର୍ତମାନ ହଠାତ୍ କାହିଁକି ଏହି ପୁରୁଣା ରାସ୍ତାକୁ ବନ୍ଦ କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ । ଏହାପରେ ସେଠାରେ ଏକ ଆପୋଷ ଆଲୋଚନା ଅନୁଷ୍ଠିତ ହୋଇଥିଲା । ପୁନଶ୍ଚ ୨୨ତାରିଖ ସନ୍ଧ୍ୟାରେ ତାଳଚେର ତହସିଲଦାର ସାଫଲ୍ୟ ମଣ୍ଡିତ ପ୍ରଧାନ ଘଟଣାସ୍ଥଳରେ ପହଁଚି ସରପଂଚ ଶ୍ରୀ ବେହେରାଙ୍କ ଉପସ୍ଥିତିରେ ଅଂଚଳବାସୀଙ୍କୁ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ୨୩ ତାରିଖ ଅପରାହ୍ନରେ ପ୍ରଶାସନର ମଧ୍ୟସ୍ଥତାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସହମତି ପ୍ରକାଶ ପାଇବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସ୍ଥିରୀକୃତ ସମୟ ଅନୁସାରେ ଗତ ୨୩ତାରିଖ ଅପରାହ୍ନରେ ତାଳଚେର ଉପଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏଥିରେ ଏସଡିପିଓ ହେମନ୍ତ କୁମାର ପଣ୍ଡା,ସରପଂଚ ଶ୍ରୀ ବେହେରା, ୱାର୍ଡ଼ ମେମ୍ବର ନିରଞ୍ଜନ ସାହୁ,ଯୋଗୀନାଥ ବେହେରା,ରେଳବାଇର ଉଚ୍ଚପଦସ୍ଥ ଅଧିକାରୀ ଓ ୱାର୍ଡ଼ବାସୀ ଯୋଗ ଦେଇଥିଲେ । ଏହି ବୈଠକରେ ନିଷ୍ପତି ଅନୁଯାୟୀ ଉକ୍ତ ୱାର୍ଡ଼ବାସୀ ଯାତାୟତ ନିମନ୍ତେ ବ୍ୟବହାର କରୁଥିବା ପୁରୁଣା ରାସ୍ତା ବଦଳରେ ୮ଫୁଟ ଓସାର ବିଶିଷ୍ଟ ରାସ୍ତାକୁ ବ୍ୟବହାର କରିବେ । ପ୍ରଶାସନ ଏବଂ ରେଲୱେର ଏହି ମିଳିତ ନିଷ୍ପତିକୁ ସରପଂଚ ମନୋଜ ବେହେରା ଓ ସମସ୍ତ ୱାର୍ଡ଼ବାସିନ୍ଦା ସ୍ୱାଗତ କରିବାସହ ଏଥିନିମନ୍ତେ ବିଧାୟକ ଶ୍ରୀ ପ୍ରଧାନ ଏବଂ ସରପଂଚ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି, ଘଂଟପଡ଼ା ପଂଚାୟତର ୭ଶହ ସଂଖ୍ୟା ଭୋଟର ବିଶିଷ୍ଟ ୧୮ନଂ ୱାର୍ଡ଼ର ଜନସାଧାରଣ ବ୍ୟବହାର କରିଆସୁଥିବା ପୁରୁଣା ଚଲାପଥକୁ ପାଚେରୀ ମାଧ୍ୟମରେ ବନ୍ଦ କରି ଦିଆଯିବ ବୋଲି ସ୍ଥାନୀୟ ଅଧିକାରୀ ଜଣକ କିଛି ମାସ ହେବ ଚେତାବନୀ ଦେଇ ଆସୁଥିଲେ ।

Leave a Reply

Your email address will not be published. Required fields are marked *