ରେବ-କପାଳୀ ନଦୀ ସଂସ୍କାର ଯୋଜନା କ୍ଷତିଗ୍ରସ୍ତ ଚାଷୀଙ୍କ ମାମଲାର ପୁନର୍ବିଚାର ନିର୍ଦ୍ଦେଶ

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ରେବ-କପାଳୀ ନଦୀ ସଂସ୍କାର ଯୋଜନାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ବନ୍ଦ କରାଯାଇଥିବା ମାମଲାର ପୁଣି ପୁନର୍ବିଚାର (ରିଓପନ) ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ ମାର୍ଚ୍ଚ ମାସ ୧୨ ତାରିଖରେ ମାନବାଧିକାର କମିଶନଙ୍କ ୫ ଜଣିଆ ପୀଠ (ଫୁଲ କମିଶନ) ପୁରୁଣା ମାମଲା କେଶ୍ ନଂ ୪୩୯/୧୮/୧୮/୨୦୦୯-୧୦ ସଂପର୍କିତ ସମସ୍ତ ରେକର୍ଡ ପତ୍ର ତର୍ଜମାହ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ତର୍ଜମା ସମୟରେ ସଂପୃକ୍ତ ଖଣ୍ଡପୀଠ କ୍ଷେତ୍ରୀୟ ତଦନ୍ତରେ ଭଦ୍ରକ ଆସିଥିବା ମାନବାଧିକାର କମିଶନଙ୍କ ସ୍ୱତନ୍ତ୍ର ଦୂତ (ରିପୋର୍ଟ) ଦାମୋଦର ଷଡଙ୍ଗୀ ଓ ଅଭିଯୋଗକାରୀ ମାନବାଧିକାରୀ କର୍ମୀ ତଥା ସୁପ୍ରିମ୍କୋର୍ଟର ଆଇନ୍ଜୀବୀ ରାଧାକାନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ପୂର୍ବ ମାମଲାରେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ଜିଲା ପ୍ରଶାସନ କାର୍ଯ୍ୟକାରୀ କରିଥିଲେ ହେଁ ବହୁତ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଗୁଡିକ ମଧ୍ୟରେ ମୁଖ୍ୟତଃ ସଂସ୍କାର କାର୍ଯ୍ୟରେ କ୍ଷୟକ୍ଷତି ଘଟିଥିବା ଅଂଚଳ ଗୁଡିକର ସାମାଜିକ ଅର୍ଥ ନୈତିକ ସର୍ଭେ କରାଯାଉନି। ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ବଣ୍ଟାଯାଇଥିବା ସଂସ୍କାର ଯୋଜନାରେ ପ୍ରାୟ ୫୦ ପ୍ରତିଶତ କ୍ଷତିଗ୍ରସ୍ତ ଚାଷୀ ବାଦ୍ ପଡିଛନ୍ତି। ଏହାବ୍ୟତୀତ ନଦୀ ଖନନ ସମୟରେ ସଂପୃକ୍ତ ଅଂଚଳ ଗୁଡିକରେ କ୍ଷତିଗ୍ରସ୍ତ ହୋଇଥିବା ନଦୀବନ୍ଧ, ଚେକ୍ଡ୍ୟାମ୍, ନଳକୂପ, ଅଦ୍ୟାବଧି ମରାମତି କରାଯାଇନାହିଁ। ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀଙ୍କ ଏହିସବୁ ଅଭିଯୋଗ ଗୁଡିକର ପାଠ ବିଚାର ସମୟରେ ଏହାର ସତ୍ୟାସତ୍ୟ ଅନୁଭବ କରିଥିଲେ। ଅନ୍ୟପକ୍ଷରେ ରେବ-କପାଳୀ ନଦୀ ଖନନ କାର୍ଯ୍ୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯାଇଥିବା କ୍ଷତି ପୂରଣ ସହାୟତା ରାଶି ଓ ଥଇଥାନ ସଂପର୍କରେ ସମସ୍ତ ତଥ୍ୟ (ଷ୍ଟାଟସ୍ ରିପୋର୍ଟ) ୬ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଜିଲାପାଳଙ୍କୁ ମାନବାଧିକାର କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ନଦୀ ଖଣ୍ଡନ କାର୍ଯ୍ୟରେ କ୍ଷୟକ୍ଷତି ଘଟିଥିବା ଉପରୋକ୍ତ ଉନ୍ନୟନ କାର୍ଯ୍ୟ ଗୁଡିକର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫଳପ୍ରଦ କରାଇବାକୁ ମାନବାଧିକାର କମିଶନ ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀଙ୍କୁ ପରାମର୍ଶ ଦେଇଛନ୍ତି। ଆର୍ଥିକ ଦୂରାବସ୍ଥା ଯୋଗୁଁ ଏହି ସବୁ କ୍ଷୟ କ୍ଷତି ଘଟିଥିବା ଉନ୍ନୟନ କାର୍ଯ୍ୟ ଗୁଡିକର ପୁନରୁଦ୍ଧାର ସମ୍ଭବ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ଏଠାରେ ପ୍ରକାଶଯୋଗ୍ୟ ଡ୍ରେନେଜ୍ ବିଭାଗ ପକ୍ଷରୁ ରେବ-କପାଳୀ ନଦୀ ଖନନ କାର୍ଯ୍ୟ କରାଯାଇଥିଲା। ଏହି ନଦୀ ଖନନ କାର୍ଯ୍ୟରେ ୧୬ଟି ଗାଁ କ୍ଷତିଗ୍ରସ୍ତ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଥଇଥାନ ଓ କ୍ଷତିପୂରଣ, ସହାୟତା ରାଶି ପ୍ରଦାନରେ ଅବହେଳା ପ୍ରଦର୍ଶନ କରିବା ନେଇ ସଂପୃକ୍ତ ଅଂଚଳର କ୍ଷତିଗ୍ରସ୍ତ ଚାଷୀମାନଙ୍କ ତରଫରୁ ଜାତୀୟ ମାନବାଧିକାର କର୍ମୀ ତଥା ଆଇନ୍ଜୀବୀ ଶ୍ରୀ ତ୍ରିପାଠୀ ମାନବାଧିକାର କମିଶନଙ୍କ ନିକଟରେ ୨୦୦୯ ମସିହାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ଏକ ମାମଲା (୪୩୯/୧୮/୧୮/୨୦୦୯/୧୦) ରୁଜୁ କରାଯାଇଥିଲା। ପରେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କ୍ରମେ କମିଶନଙ୍କ ସ୍ୱତନ୍ତ୍ର ଦୂତ ଭଦ୍ରକ ଗସ୍ତରେ ଏହି ସବୁ କ୍ଷତିଗ୍ରସ୍ତ ଅଂଚଳ ଗୁଡିକର କ୍ଷେତ୍ରୀୟ ତଦନ୍ତ କରି ମାନବାଧିକାର କମିଶନଙ୍କ ନିକଟରେ ରିପୋର୍ଟ ଦେଇଥିଲେ। ଏହି ରିପୋର୍ଟକୁ ଭିତ୍ତି କରି କମିଶନ ରାଜ୍ୟ ସରକାରଙ୍କୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଥଇଥାନ ଓ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶାନୁଯାୟୀ ଡ୍ରେନେଜ୍ ବିଭାଗ ଭଦ୍ରକ ଜିଲା ପ୍ରଶାସନକୁ ୫ କୋଟି ଟଙ୍କା ଦେଇଥିଲେ। ପ୍ରଶାସନ ପକ୍ଷରୁ ଅଦ୍ୟାବଧି ୧୬ଟି ଗାଁରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପାଖାପାଖି ୮୦ ପ୍ରତିଶତ ଅର୍ଥ ବଣ୍ଟନ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।

Leave a Reply

Your email address will not be published. Required fields are marked *