ରେଡକ୍ରସ୍ ପ୍ରତୀକ ସଚେତନତା ବୈଠକ ଅନୁଷ୍ଠିତ

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ରେଡକ୍ରସର ପ୍ରତୀକ ସଂକ୍ରାନ୍ତୀୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ରେଡକ୍ରସର ପ୍ରତୀକକୁ ବିଶେଷ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବାରୁ ଏହାର ଅପବ୍ୟବହାର ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ରେଡକ୍ରସର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇବା ସହ ଆବଶ୍ୟକ ସ୍ଥଳେ ଦଣ୍ଡ ବିଧାନ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଛି। ଏପରିକି ଏଥିଲାଗି ରାଜ୍ୟ ସ୍ତରରେ ଟୋଲ ଫ୍ରି ନମ୍ବର ପ୍ରଚଳନ ନିମନ୍ତେ ସଦସ୍ୟମାନେ ଦାବି କରିଛନ୍ତି। ଏହି ପ୍ରତୀକକୁ ଡାକ୍ତର, ଔଷଧ ଦେକାନୀ, ଚିକିତ୍ସା ସହ ସଂପୃକ୍ତ ବ୍ୟକ୍ତି ବ୍ୟବହାର କରୁଥିବାବେଳେ ଅନେକ ସମୟରେ ରେଡକ୍ରସ ସହ ସଂପୃକ୍ତ ନଥିବା ଅନୁଷ୍ଠାନ ଏହାକୁ ବ୍ୟବହାର କରୁଥିବା ଦେଖାଯାଏ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ଦାସ ଅଧ୍ୟକ୍ଷତା କରି କହିଲେ ଯେ ପ୍ରତୀକର ଅପବ୍ୟବହାର ରୋକିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯିବ ଓ ଏଥିଲାଗି ରେଡକ୍ରସ ସ୍ୱେଚ୍ଛାସେବୀମାନେ ଆଗେଇ ଆସିବା ଉଚିତ୍। ଏହି ଅବସରରେ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ସଂଯୁକ୍ତା ବାରିକ୍ ରେଡକ୍ରସର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ, ସରକାରୀ ମହିଳା ମହାବିଦ୍ୟାଳୟ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଏବଂ କର୍ମକର୍ତାମାନଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଦିଗବାରିଣୀ ପର୍ଯ୍ୟନ୍ତ ଯାଇଥିଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ, ଏ.ଡି.ଏମ.ଓ ଡଃ ବ୍ରଜବନ୍ଧୁ ଦାଶ, ରେଡକ୍ରସ ପ୍ରକଳ୍ପ ସଂଯୋଜକ ଶ୍ରୀ ଗୁଲଶନ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନା, ରେଡକ୍ରସର ସଦସ୍ୟସଦସ୍ୟା ଶ୍ରୀମତୀ ପ୍ରତିମା ମିଶ୍ର, ଗୀତାଞ୍ଜଳୀ ପଣ୍ଡା, ମଧୁମିତା ମହାପାତ୍ର, ଛବି ମହାନ୍ତି, ଶ୍ରୀ ଚକ୍ରଧର ମହାପାତ୍ର, ମାୟାଧର ମହାରଣା, ଶ୍ୟାମ ପ୍ରକାଶ ସେନାପତି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *