“ରୂପାୟନ” ପକ୍ଷରୁ ବିଶ୍ୱ ମାତୃ ଦିବସ ପାଳିତ ଆପୁଲୁ କୁଣ୍ଡାଙ୍କୁ “ଆଦର୍ଶ ମା’” ସମ୍ମାନ

ଭଦ୍ରକ, ୧୩ା୫ (ଓଡିଆ ପୁଅ / ପ୍ରମୋଦ ରାୟ) : ଆଜିର ଅବକ୍ଷୟମୁଖୀ ସମାଜରେ ଜଣେ ମା’ ତାର ସନ୍ତାନକୁ ଦେଶପ୍ରେମ, ସଂହତି, ଭାଇଚାରାର ଶିକ୍ଷା ଦେବା ସହ ଦୁଷ୍କର୍ମ-ମହାମାରୀ କବଳରୁ କିଭଳି ନିଜକୁ ଦୂରେଇ ରଖିହେବ, ସେ ଦିଗରେ ସଚେତନ କରାଇ ପାରିଲେ ଭବିଷ୍ୟତରେ ଏ ଦେଶ ଜଣେ ଜଣେ ଭଲମଣିଷ ରୂପୀ ମହାପୁରୁଷଙ୍କୁ ସୃଷ୍ଟି କରିପାରନ୍ତା। ଏବଂ ଏହି ଦିବସର ମହାନତା ପ୍ରତିପାଦିତ ହୋଇପାରିବ ବୋଲି ଆଜି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ରୂପାୟନ” ପକ୍ଷରୁ ଭଦ୍ରକର ମହେନ୍ଦ୍ର ଭବନ ପରିସରରେ ଆୟୋଜିତ ବିଶ୍ୱ ମାତୃ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନ ୧୦ଟାରେ ଆୟୋଜିତ ଏହି ଉତ୍ସବରେ “ରୂପାୟନ” ର ଭଦ୍ରକ ଜିଲା ସଭାପତି ତଥା ସାମ୍ବାଦିକ ପ୍ରମୋଦ ରାୟ ଅଧ୍ୟକ୍ଷତା କରିଥିବାବେଳେ ଏହାକୁ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ୧୯୦୮ ମସିହାରେ ଆମେରିକାରେ ବିଶ୍ୱ ମାତୃ ଦିବସ ଆନୁଷ୍ଠାନିକ ଭାବେ ଘୋଷଣା ହେବାର ବହୁ ପୂର୍ବରୁ ଆମ ଦେଶରେ ‘ମାତୃ ଦେବଃ ଭବୋ’ ଏକ ମହାନ ମନ୍ତ୍ର ଭାବେ ବିବେଚନା କରାଯାଉଥିଲା ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏବଂ ବରିଷ୍ଠ ଅଧିବକ୍ତା ରାଖାଲ ଚନ୍ଦ୍ର ଦାସ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ତଥା ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଓ ରୂପାୟନର ନିର୍ଦ୍ଦେଶିକା ଶ୍ରଦ୍ଧାଞ୍ଜଳି ରାୟ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସର ମହାନତା ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ଆମ ପରଂପରାରେ ମାତୃ ଜାତି ଆଦ୍ୟା ଶକ୍ତିି ବୋଲି ଅଭିହିତ କରିଥିଲେ। କିନ୍ତୁ ନୂତନ ପିଢ଼ି ମାନସିକ ବିକାରଗ୍ରସ୍ତ ହୋଇ ନାରୀକୁ ଭୋଗ୍ୟ ବସ୍ତୁ ଭାବେ ଧରି ନେଇ ଥିବାରୁ ଆମେ ଅବକ୍ଷୟ ଆଡକୁ ଅଗ୍ରସର ହେଉଛୁ। ପ୍ରତ୍ୟେକ ନାରୀ ଭିତରେ ମାତୃ ଶକ୍ତି ବିଦ୍ୟମାନ। ଗର୍ଭରେ ସନ୍ତାନ ଧାରଣ କରି ନ ଥିଲେ ସେ ହେଉଛି ବିଶ୍ୱ ଜନନୀ। ଯାହା ମା ସାରଦା ଦେବୀ ଏବଂ ମଦର ଟେରେସା ଆମ ଆଗରେ ଏହି ବଳିଷ୍ଠ ଦୃଷ୍ଟାନ୍ତ ରଖିଯାଇଛନ୍ତି। ଆଜିର ସମୟରେ ଭାଲେଣ୍ଟାଇନ ଦିବସ ଖୁବ୍ ପ୍ରସାର ଲାଭ କରିଥିବାବେଳେ ଯୁବ ପିଢ଼ିଙ୍କ ପାଖରେ ମାତୃ ଦିବସ ଗୌଣ ହୋଇପଡିବା କ୍ଷୋଭର ବିଷୟ ବୋଲି ବକ୍ତାମାନେ ନିଜ ଭାଷଣ ପ୍ରସଙ୍ଗରେ ସୂଚାଇଥିଲେ। ଏହି ଅବସରରେ ବରିଷ୍ଠ ଅଧିବକ୍ତା ରାଖାଲ ଚନ୍ଦ୍ର ଦାସ ମାତୃ ଶକ୍ତି ସଂପର୍କରେ ମହାଭାରତର ଏକ ସୁନ୍ଦର ଆଖ୍ୟାୟିକା ଉପସ୍ଥାପନା କରିଥିଲେ। କାଉନ୍ସିଲର ଉର୍ମିଳା ଚୌଧୁରୀ ଅନୁଷ୍ଠାନ ପକ୍ଷରୁ “ଆଦର୍ଶ ମା’ ସମ୍ମାନରେ ସମ୍ବର୍ଦ୍ଧିତ ଚରମ୍ଫାର ଆପୁଲୁ କୁଣ୍ଡାଙ୍କ ସଂପର୍କରେ ସୂଚନା ଦେବା ପରେ ତାଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ସଦାଶିବ ନାୟକ, ଧାନଫୁଲ ସାହିତ୍ୟ ପତ୍ରିକାର ସଂପାଦକ ସୀତାକାନ୍ତ ପତ୍ରି, କବି କୈଳାସ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ପ୍ରଣବ ସାହୁ, ଅନୁଷ୍ଠାନର ସାଧାରଣ ସଂପାଦିକା ସ୍ନିଗ୍ଧା ରାୟ, କୋଷାଧ୍ୟକ୍ଷ ଅଂଜଳି ଲେଙ୍କା, ସମାଜସେବୀ ମଂଜୁଲତା ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ମାକ୍ରୋୱେବ୍ ଟେକ୍ନୋଲୋଜିର ପରିଚାଳନା ନିର୍ଦ୍ଦେଶିକା ନମ୍ରତା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *