ରିଟେଲର ନେତାଙ୍କ ଗୁଡ୍ବୁକରେ ରହିବା ଜରୁରୀ

ଭଦ୍ରକ, ୧୬ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନିୟୋଜିତ ରିଟେଲରଙ୍କୁ ସେମାନଙ୍କ ଲାଇସେନ୍ସ ନବୀକରଣ ସକାଶେ ନେତାଙ୍କ ଗୁଡ୍ବୁକ୍ରେ ରହିବା ଜରୁରୀ । ବିଶେଷକରି ଭଦ୍ରକ ବ୍ଲକ୍ ଏବଂ ପୌରପାଳିକାରେ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ବିଭାଗୀୟ ଅଧିକାରୀଙ୍କ ଜରିଆରେ ରିଟେଲରଙ୍କୁ ଅଲିକ୍ଷିତ ନିଦେ୍ର୍ଦଶ ଜାରି କରାଯାଇଛି । ଯାହାକୁ ନେଇ ଭଦ୍ରକ ବ୍ଲକ୍ ଏବଂ ପୌରପାଳିକାରେ ଲାଇସେନ୍ସ ନବୀକରଣକୁ ଅପେକ୍ଷାରତ ପ୍ରାଇଭେଟ୍ ରିଟେଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭଦ୍ରକ ବ୍ଲକ୍ ଏବଂ ପୌରପାଳିକାରେ ଏବେ ଶହେ ଜଣ ପ୍ରାଇଭେଟ୍ ରିଟେଲର ରହିଛନ୍ତି । ଭଦ୍ରକ ବ୍ଲକ୍ରେ ୬୮ ଜଣ ପ୍ରାଇଭେଟ୍ ରିଟେଲର ରହିଥିବାବେଳେ ଭଦ୍ରକ ପୌରପାଳିକାରେ ୩୨ ଜଣ ରହିଛନ୍ତି । ସରକାରୀ ଗାଇଡ୍ ଲାଇନ୍ ଅନୁଯାୟୀ ଏହି ରିଟେଲରଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ସେମାନଙ୍କ ରିଟେଲ ଲାଇସେନ୍ସ ନବୀକରଣ କରିବା ବାଧ୍ୟତା ମୂଳକ କରାଯାଇଛି । ଏଥି ସକାଶେ ରିଟେଲରଙ୍କୁ ସମାଗ୍ରୀ ପିଛା ୧୫ ଶହ ଟଙ୍କା ସରକାରୀ ତହବିଲରେ ଜମା କରିବାକୁ କୁହାଯାଇଛି । ଏଥିସହ ପୌରପାଳିକାରେ ରିଟେଲରଙ୍କୁ ସେମାନଙ୍କ ଲାଇସେନ୍ସ ନବୀକରଣ କରିବା ସକାଶେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ପରଫର୍ମାନ୍ସ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି । ଯେଉଁଥିରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକାରେ ନିୟୋଜିତ ରିଟେଲର ମାନେ ଠିକ୍ ଭାବେ ସେମାନଙ୍କ କାର୍ଯ୍ୟ ସଂପାଦନ କରୁଛନ୍ତି ଅଥବା ନାହିଁ ତାହା ଉଲ୍ଲେଖ କରିଥାନ୍ତି । ଯାହାକି ଭଦ୍ରକ ବିଧାୟକଙ୍କ ନେତୃତ୍ୱରେ ଗଠିତ ଟିଏଲଏସି (ଟାଉନ୍ ଲେବଲ ଆଡଭାଇଜୋରୀ କମିଟି) ରିପୋର୍ଟକୁ ଆଧାର କରି ରିଟେଲରଙ୍କୁ ପ୍ରମାଣପତ୍ର ଦିଆଯାଇଥାଏ । ଯାହାକି ସଂପୂର୍ଣ୍ଣ ଭାବେ ରାଜନୈତିକ ପୃଷ୍ଟଭୂମି ଉପରେ ପର୍ଯ୍ୟବେଷିତ ହୋଇଥାଏ । ଫଳରେ ଶାସକ ଦଳର ନେତା ଏବଂ କାଉନ୍ସିଲରଙ୍କ ଗୁଡ୍ବୁକ୍ରେ ନଥିବା ରିଟେଲରଙ୍କୁ ସେମାନଙ୍କ ପରଫର୍ମାନ୍ସ ଠିକ୍ ନଥିବା ଦର୍ଶାଇ ସେମାନଙ୍କ ରିଟେଲରସିଫ୍ରୁ ଅନ୍ତର କରାଯାଇ ସେମାନଙ୍କ ଗୁଡ୍ବୁକ୍ରେ ଥିବା ଲୋକଙ୍କୁ ରିଟେଲରସିଫ୍ ହସ୍ତାନ୍ତର କରାଯାଇଥାଏ । ପ୍ରତି ପୌରପାଳିକାରେ ବାର୍ଷିକ ସର୍ବନିମ୍ନ ୨ଟି ଟିଏଲ୍ଏସି ବସିବାର ନିୟମ ରହିଥିଲେ ମଧ୍ୟ ଭଦ୍ରକ ପୌରପାଳିକାରେ ଗତ ଏକବର୍ଷ ମଧ୍ୟରେ ଗୋଟିଏ ହେଲେ ଟିଏଲ୍ଏସି ବସିନଥିବା ବେଳେ ଏବେ ରିଟେଲର ଲାଇସେନ୍ସ ନବୀକରଣ ବେଳେ ନେତାଙ୍କ ଗୁଡ୍ବୁକ୍ରେ ନଥିବା ରିଟେଲରଙ୍କୁ ବିଭାଗୀୟ କର୍ମଚାରୀମାନେ ନିଜ ୱାର୍ଡର କାଉନ୍ସିଲର ଏବଂ ବିଧାୟକଙ୍କୁ ଦେଖା କରିବାକୁ ପରାମର୍ଶ ଦେଉଥିବା ଜଣାପଡିଛି । ଯାହାକି ଲାଇସେନ୍ସ ନବୀକରଣକୁ ଅପେକ୍ଷାରତ ପ୍ରାଇଭେଟ୍ ରିଟେଲରଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି କରିଛି । ଗୋଟିଏ ପଟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା ସକାଶେ ଏବେ ପ୍ରତି ରିଟେଲ କାଉଣ୍ଟରରେ ପସ୍ମେସିନ୍ ବସାଯିବା ସହିତ ପ୍ରତିମାସର ଷ୍ଟକ୍ ଭେରିଫିକେଶନ ପରେ ରିଟେଲରଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଯେଉଁଥିରେ କୌଣସି ରିଟେଲର ପାଉଥିବା ଖାଦ୍ୟ ସାମଗ୍ରୀ ହେରଫେର କରିବାର ସମ୍ଭାବନା କ୍ଷିଣ କୁହାଯାଉଛି । ଏପରି ସ୍ଥଳେ ବର୍ଷର ଅନ୍ତିମ ମାସରେ ବିନା ଟିଏଲଏସି ରେ ରିଟେଲର ଙ୍କ ପରଫର୍ମାନ୍ସ ପ୍ରମାଣପତ୍ର ଆଳରେ ସେମାନଙ୍କ ଲାଇସେନ୍ସ ନବୀକରଣ କରାନଯିବାର ଧମକ ଦେଇ ସେମାନଙ୍କୁ ହଇରାଣ ହରକତ କରାଯିବା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଏବଂ ଜନ ସ୍ୱାର୍ଥ ବିରୋଧୀ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *