ଜିଲ୍ଲା ପରିକ୍ରମା

ରାସ୍ତା କଡ଼ରେ ମାଂସକଟା! ‘କଂସେଇ ଖାନା’ ନିର୍ମାଣ ପାଇଁ ଦାବି

ରାଉରକେଲା ୨୦/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ମାଛ, ମାଂସର ବିକ୍ରି ସପ୍ତାହର ସୋମବାର ଓ ଗୁରୁବାରକୁ ବାଦ ଦେଲେ ଅନ୍ୟ ଦିନ ଭଲ କାରବାର ହେଉଥିବା ଜଣାପଡ଼ିଛି। ଦକ୍ଷିଣ ରାଉରକେଲାରେ ୫ରୁ ଉର୍ଦ୍ଧ ସ୍ଥାନରେ ଛେଳି ମାଂସ, ୧୦ରୁ ଉର୍ଦ୍ଧ ଜଗାରେ କୁକୁଡ଼ା ମାଂସ ଦୋକାନ ଓ ୩୦ରୁ ଉର୍ଦ୍ଧ ମାଛ ଦୋକାନ ରହିଛି। ମାତ୍ର ଏଯାଏ ସାରନଗରୀରେ ‘କଂସେଇ ଖାନା’ ନଥିବା ଯୋଗୁ ମାଂସ ବେପାରୀ ମାନେ ବାଧ୍ୟ ହୋଇ ରାସ୍ତା କଡ଼ ଅବା ନିକଟର କୌଣସି ଗଛ ମୂଳ ଅବା ଖୋଲା ପଡ଼ିଆରେ ମାଂସ କାଟିବାକୁ ବାଧ୍ୟ ହେଉଛନ୍ତି। କିଛି ମାଂସ ବେପାରୀ ବିନା ପରଦା ଆଢୁଆଳରେ ଖୁଲମଖୁଲ୍ଲା ଭାବେ ମାଂସ କାଟିବା ଯୋଗୁ ଏହାର ପ୍ରଭାବ ରାସ୍ତାରେ ଯାତାୟତ କରୁଥିବା କୋମଳମତି ଶିଶୁ ଓ ବୟସ୍କ ଉପରେ ପଡ଼ିବା ସହ ସେମାନଙ୍କ ମାନସିକତାକୁ ଶକ୍ତ ଧକ୍କା ଦେଉଥିବା ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସାରନଗରୀର ଗୋଟିଏ ସ୍ଥାନରେ ଏକତ୍ରିତ ମାଂସ, ମାଛ ବିକ୍ରି କରିବା ଲାଗି ବହୁ ଦିନରୁ ଏକ ‘କଂସେଇ ଖାନା’ ନିର୍ମାଣ କରିବା ଲାଗି ଅଂଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ, ଅଦ୍ୟାବଧି ଏହା ସମ୍ଭବପର ହୋଇ ପାରିନାହିଁ। ବର୍ତମାନ ସାରନଗରୀର ପାଣି ଟାଙ୍କି ପଡ଼ିଆ ନିକଟରେ ଦୁଇଟି ମାଂସ ଦୋକାନ, ‘ଇ’ ବ୍ଲକ ରାସ୍ତା କଡ଼ରେ ଏକ ମାଂସ ଦୋକାନ ରହିଛି। ସମୟ ସମୟରେ ଜାତୀୟ ରାଜପଥ-୧୪୩ ଜଲଦା ନିକଟ ରାସ୍ତା କଡ଼ରେ ସପ୍ତାହର ରବିବାର ଓ ବୁଧବାର ମାଂସ କଟା ହୋଇ ବିକ୍ରି ହେଉଛି। ଯାହାର ସିଧାସଳଖ ପ୍ରଭାବ ରାସ୍ତାରେ ଯାତାୟତ କରୁଥିବା ଲୋକ ମାନଙ୍କ ଉପରେ ପଡୁଥିବା ଅଭିଯୋଗ ହୋଇଛି। ସେହିପରି ଛେଳି କଟା ଯିବା ପରେ ଏହାର ଅଦରକାରୀ ଅଙ୍ଗ ଗୁଡ଼ିକ ରାସ୍ତା କଡ଼ରେ ଫୋପାଡ଼ି ଦିଆ ଯାଉଥିବାରୁ ପରବର୍ତ୍ତୀ ଅବସ୍ଥାରେ ଏହା ପଚି ସଢି ସମ୍ପୃକ୍ତ ଅଂଚଳରେ ଏକ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଯାହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବର୍ତମାନ ବର୍ଷାଦିନ ନିକଟତର ଥିବାରୁ ଏହାଦ୍ୱାରା ପରିବେଶ ଦୂଷିତ ହୋଇ ନାନାରକମର ସଂକ୍ରମଣ ରୋଗ ହେବାର ଆଶଙ୍କା ପ୍ରକାଶ ପାଇଛି। ସାରନଗରୀର ଅନେକ ଜାଗା ଏବେ ଅବ୍ୟବହୃତ ହୋଇ ପଡ଼ି ରହିଛି। ବହୁ ଦିନରୁ ବନ୍ଦ ହୋଇ ପଡ଼ିଥିବା ଏକ ସ୍କୁଲ ପରିସରକୁ ଏକ ଉଦାହରଣ ଭାବେ ନିଆଯାଇପାରେ। ଏହି ସ୍ଥାନରେ ‘କଂସେଇ ଖାନା’ ନିର୍ମାଣ କରିବା ଲାଗି ଅଂଚଳବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି। ଗୋଟିଏ ଜାଗାରେ ମାଂସ ବେପାରୀ ମାନେ ଏକତ୍ର ବସି ମାଂସ ବ୍ୟବସାୟ କରିବା ଫଳରେ ଗ୍ରାହକ ମାନେ ମାଂସର ଏକକ ମୂଲ୍ୟ ପାଇ ପାରିବେ ବୋଲି ଗ୍ରାହକ ମହଲରେ ଆଲୋଚନା ହେଉଛି। ଅପରପକ୍ଷରେ ବିଭିନ୍ନ ଜାଗାରେ ମାଂସ ଦୋକାନ ଦ୍ୱାରା ପରିବେଶ ଦୂଷିତ ହେବା ଆଶଙ୍କା ବହୁଳ ଭାବେ ଦେଖିବାକୁ ମିଳୁଛି।। ମାତ୍ର ସଟଲର ହାଉସ ନିର୍ମାଣ ହେଲେ ସେଠାରେ ମାଂସରୁ ନିର୍ଗତ ବର୍ଜ୍ୟବସ୍ତୁକୁ ସିଧାସଳଖ ପାଇପ ଯୋଗେ ନିଷ୍କାସନ କରାଯାଇ ପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି। ସାରନଗରୀରେ ଏକ ‘କଂସେଇ ଖାନା’ ନିର୍ମାଣ ପାଇଁ ଅଂଚଳବାସୀଙ୍କ ମହଲରେ ଦାବି ଜୋର ଧରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top