ଜିଲ୍ଲା ପରିକ୍ରମା

ରାସ୍ତାପାଶ୍ୱର୍ରୁ ୪ ବର୍ଷର ଅନାଥ ଶିଶୁ ଉଦ୍ଧାର, ଜିଲା ଶିଶୁ ମଂଗଳ ସମିତିରେ ହାଜର ପରେ ବାତ୍ସଲ୍ୟକୁ ହସ୍ତାନ୍ତର

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଗତକାଲି ରାତିରେ ଲଘୁଚାପ ଜନିତ ବର୍ଷା ସମୟରେ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ରାସ୍ତା ପାଶ୍ୱର୍ରୁ ଏକ ପିତୃ-ମାତୃ ହୀନ ୪ ବର୍ଷର ଶିଶୁପୁତ୍ର ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ଭଦ୍ରକ ସହରର ଗବସାହିରେ ଭଡାରେ ରହୁଥିବା ସିଦ୍ଧାର୍ଥ କେଶରୀ ପାତ୍ର ନିଜ ଘରକୁ ବାଇକ୍ ଯୋଗେ ଫେରୁଥିବାବେଳେ ଉକ୍ତ ରାସ୍ତା ପାଶ୍ୱର୍ସ୍ଥ ଏକ ଗଛମୂଳେ ବର୍ଷାରେ ଭିଜି କାନ୍ଦୁଥିବା ୪ ବର୍ଷର ଶିଶୁପୁତ୍ରକୁ ଦେଖିଥିଲେ। ଶିଶୁଟି ବର୍ଷାରେ ରକ୍ଷା ପାଇବାକୁ ଏକ ସିମେଣ୍ଟ ବସ୍ତା ମୁଣ୍ଡରେ ଘୋଡି ହୋଇଥିଲେ ମଧ୍ୟ ସିମେଣ୍ଟ ମିଶ୍ରିତ ପାଣି ତାର ଦେହକୁ ଅପରିଷ୍କାର କରିଦେଇଥିଲା। ଶିଶୁଟିର ମଥାରେ ହୋଇଥିବା ଏକ ଗଭୀର କ୍ଷତରୁ ପୂଜ ରକ୍ତ ମଧ୍ୟ ନିଗିଡି ଆସୁଥିଲା। ରାସ୍ତାରେ ଯାତାୟତ କରୁଥିବା ଅନେକ ପଥଚାରୀ ଶିଶୁଟିକୁ ଦେଖି ମୁହଁ ମୋଡି ଚାଲିଯାଉଥିବାବେଳେ ସିର୍ଦ୍ଧାର୍ଥ ଏହା ଦେଖି ଗାଡି ଅଟକାଇ ପିଲାଟିକୁ ପଚାରିବାରୁ ସେ ନିଜ ବିଷୟରେ କିଛି କହିବାକୁ ଅକ୍ଷମ ହୋଇଥିଲେ ମଧ୍ୟ ତାର ପିତା ଦୀର୍ଘଦିନ ହେବ କେଉଁଆଡେ ଚାଲିଯାଇଥିବାବେଳେ ମା’ ସହ ସେ ରହିଆସିଥିବାବେଳେ ୫/୬ ଦିନ ହେବ ସେ ମଧ୍ୟ ତାକୁ ଛାଡି ଅନ୍ୟତ୍ର ପଳାୟନ କରିଥିବା ବିଷୟ ତା କଥାରୁ ବୁଝାପଡିଥିଲା। ଫଳରେ ସିର୍ଦ୍ଧାର୍ଥ ନିଜେ ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ଓ ରୂପାୟନର ସଦସ୍ୟ ଥାଇ ସମାଜସେବା କରିଆସୁଥିବାରୁ ସେ ଶିଶୁଟି ବିଷୟରେ ଉଭୟ ସଂଗଠନର ସଭାପତି ଥିବା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟଙ୍କୁ ସମସ୍ତ ବିଷୟ ମୋବାଇଲ୍ ଯୋଗେ ଅବଗତ କରାଇଥିଲେ। ଏବଂ ରାତ୍ରୀ ଅଧିକ ତଥା ପ୍ରବଳ ବର୍ଷା ହେଉଥିବାରୁ ତାଙ୍କର ପରାମର୍ଶ କ୍ରମେ ଶିଶୁଟିକୁ ନିଜ ଘରକୁ ନେଇ ଗରମ ପାଣିରେ ସୁସ୍ଥ କରାଇ ଖାଇବାକୁ ଦେଇ ରଖିଥିଲେ। ଆଜି ସକାଳୁ ସାମ୍ବାଦିକ ଶ୍ରୀ ରାୟ ତାଙ୍କ ନିକଟରେ ପହଞ୍ଚି ଶିଶୁଟିର ମଥାରେ ଗଭୀର କ୍ଷତ ଦେଖି ତାଙ୍କ ସହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିବା ପରେ ଏହି ବିଷୟରେ ଜିଲା ଶିଶୁ ମଂଗଳ ସମିତିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟରେ ସମିତିର ସଦସ୍ୟ ପ୍ରଦୀପ୍ତ କୁମାର କର, ସତ୍ୟସୁନ୍ଦର ପୁହାଣ ଓ ସଂଗୀତା ଗିରିଙ୍କ ଉପସ୍ଥିତିରେ ହାଜର କରାଇ ସମସ୍ତ ବିଷୟ ଲିଖିତ ଭାବେ ଜଣାଇଥିଲେ। ଡ. ବାରିକ ଶିଶୁଟିକୁ ସୁସ୍ଥ ଥିବାର ଦେଖି ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଏ ସଂପର୍କରେ ସରକାରୀ ସ୍ତରରେ ଥିବା ନିୟମ ମୂଳେ କାଗଜପତ୍ର ପ୍ରସ୍ତୁତ କରାଇ ଶିଶୁଟିକୁ ଚାରିଘରିଆ ସ୍ଥିତ ଶିଶୁଯତ୍ନ ଅନୁଷ୍ଠାନ ବାତ୍ସଲ୍ୟରେ ଛାଡିବାକୁ ଶ୍ରୀ ରାୟ ଓ ଶ୍ରୀ ପାତ୍ରଙ୍କୁ ଅନୁରୋଧ କରିଥିଲେ। ଫଳରେ ଉଭୟ ଶିଶୁଟିକୁ ନେଇ ବାତ୍ସଲ୍ୟରେ ଥିବା ଦିଗନ୍ତ ବେହେରା ଓ ପଲକଜ୍ୟୋତି ପଢିହାରୀଙ୍କୁ ହସ୍ତାନ୍ତର କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top