‘ରାଷ୍ଟ୍ର ପୁରୁଷ ଅଟଳ ବିହାରୀ ବାଜପେୟୀ ସାରସ୍ୱତ ମଣିଷ ଭାବେ କାଳଜୟୀ’, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ନେହେରୁ ଯୁଗର ଉଦିତ ସୂର୍ଯ୍ୟ ଅଟଳ ବିହାରୀ ବାଜପେୟୀ ଏକବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଭାରତର ରାଜନୈତିକ ଆକାଶରେ ପ୍ରଚଣ୍ଡ ମାର୍ତ୍ତଣ୍ଡରେ ପ୍ରତିଭାତ ହୋଇ କେବଳ ରାଜନୈତିକ ଜଗତକୁ ଉଦ୍ଭାସିତ କରିଛନ୍ତି ତା’ ନୁହେଁ ଜଣେ ସୁଦକ୍ଷ ସମ୍ବାଦପତ୍ର ସଂପାଦକ ଭାବେ କୀର୍ତ୍ତିମାନ ପଦଚିହ୍ନ ଛାଡିଯିବା ସହ କାବ୍ୟ କବିତାର ମନ୍ଦାକିନୀ ଧାରା ପ୍ରବାହିତ କରି ସାରସ୍ୱତ ମଣିଷ ଭାବେ ସବୁଜ ସ୍ୱାକ୍ଷର ଆଙ୍କିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ପୁରୁଷ ଅଟଳ ବିାହାୀ ବାଜପେୟୀ ଜଣେ ସଫଳ ଜନନେତା ଭାବେ ଯେପରି ଚିର ସ୍ମରଣୀୟ ସେପରି ସାରସ୍ୱତ ମଣିଷ ଭାବେ କାଳଜୟୀ ବୋଲି ଭଦ୍ରକ କଲ୍ୟାଣୀନଗର ଠାରେ ଆୟୋଜିତ ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ନୀହାର ରଂଜନ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆସରରେ କବୟିତ୍ରୀ ଶାନ୍ତିଲତା ନାଗ ମୁଖ୍ୟ ଅତିଥି, କଥାକାର ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା, ଆମ ବ୍ୟଙ୍ଗ ପସରାର ସମ୍ପାଦିକା ବସନ୍ତ ମିଶ୍ର ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଆସରରେ ‘କବି ମନୀଷୀ ଅଟଳ ବିହାରୀ ବାଜପେୟୀ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଅଧ୍ୟକ୍ଷ ଡା. ରାମଚନ୍ଦ୍ର ପଣ୍ଡା, ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଶିକ୍ଷାବିତ୍ ହରମୋହନ କୁଅଁର, ଅଧ୍ୟାପକ ମୁରଲୀଧର ଶତପଥୀ, କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର, କବି ବିପ୍ଳବ ହୋତା, କବି ଆନନ୍ଦ ଚନ୍ଦ୍ର ନାଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଲୋଚନାଚକ୍ର ପରେ ପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ବସନ୍ତ ପାତ୍ର, ମନୋରମା ରାୟ, ବାବୁଲାଲ ଦାସ, ବିନୋଦ ବିହାରୀ ବାରିକ, ବିଜୟୀ ଶ୍ରୀଗୋକୁଳାନନ୍ଦ ରାଉତ ପ୍ରମୁଖ କବିତା ପାଠ କରିଥିଲେ। ସଂଗଠନର ସଂପାଦକ ଡା. ଅନିଲ କୁମାର ଦାଶ ସଂପାଦକୀୟ ବକ୍ତବ୍ୟ ରଖିବା ସହ କବିତା ପାଠ ସଂଯୋଜନା କରିଥିଲେ ଏବଂ କୋଷାଧ୍ୟକ୍ଷ ମମତାରାଣୀ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଦିତିପ୍ରଭା ଦାଶ।

Leave a Reply

Your email address will not be published. Required fields are marked *