ରାଷ୍ଟ୍ରଭାଷାର ପ୍ରଚାର, ପ୍ରସାର ଜରୁରୀ

ଭୁବନେଶ୍ୱର, ତା ୧୪/୦୯ (ଓଡ଼ିଆ ପୁଅ)- ଉତ୍କଳ ପ୍ରାନ୍ତୀୟ ରାଷ୍ଟ୍ରଭାଷା ପ୍ରଚାର ସଭା, ଭୁବନେଶ୍ୱର ଶାଖା ପକ୍ଷରୁ ନିଜସ୍ୱ ପରିସରରେ ହିନ୍ଦୀ ଦିବସ ସମାରୋହ ମହାଆଡ଼ମ୍ବରରେ ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ୍ ସମୟରେ ପାଳିତ ହୋଇଯାଇଛି।

ଉତ୍କଳ ପ୍ରାନ୍ତୀୟ ରାଷ୍ଟ୍ରଭାଷା ପ୍ରଚାର ସଭା, କଟକ ଶାଖାର ସଭାପତି ଶ୍ରୀ କେଶବ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉଦ୍ଘାଟକ ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ସମାରୋହକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଥିଲେ, ଯେଉଁ ରାଜ୍ୟ ଓ ରାଷ୍ଟ୍ର ତାର ଭାଷାକୁ ସମ୍ମାନ ଦେଇ ଜାଣିନି ଓ ଆଦର କରି ଜାଣିନି, ସେହି ରାଜ୍ୟ ଓ ରାଷ୍ଟ୍ର ପ୍ରଗତି କ୍ଷେତ୍ରରେ ଆବଶ୍ୟକୀୟ ଅଗ୍ରଗତି କରିପାରି ନାହିଁ। ତେଣୁ ରାଜ୍ୟକୁ ଓ ରାଷ୍ଟ୍ରକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସର୍ବପ୍ରଥମେ ଭାଷାକୁ ଗୁରୁତ୍ୱ ଦେବା ଆବଶ୍ୟକ। ଶ୍ରୀଯୁକ୍ତ ଆର୍.କେ. ଦୁବେ, ହିନ୍ଦୀ ଅଧ୍ୟାପକ, କେନ୍ଦ୍ରୀୟ ବିଦ୍ୟାଳୟ ନଂ. ୧ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ, ହିନ୍ଦୀକୁ ଆମ ଦେଶର ରାଷ୍ଟ୍ରଭାଷା ଭାବରେ ମାନ୍ୟତା ଦିଆଯାଇଥିବା ଯୋଗୁ ଦେଶର ସମସ୍ତ ନାଗରିକ ହିନ୍ଦୀ ଭାଷା ପ୍ରତି ଯଥେଷ୍ଟ ସମ୍ମାନ ଦେବା ଆବଶ୍ୟକ। ଦେଶର ସମସ୍ତ ନାଗରିକ ନିଜ ନିଜ ଆଞ୍ଚଳିକ ଭାଷା ଜାଣିବା ସହ ରାଷ୍ଟ୍ରଭାଷା ହିନ୍ଦୀ ମଧ୍ୟ ଜାଣିବା ଜରୁରୀ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଗଙ୍ଗାଧର ପାଣିଗ୍ରାହୀ, ଅଧ୍ୟକ୍ଷ କ୍ରାନ୍ତି ଓଡ଼ିଶା, ରମାବଲ୍ଲଭ ପାଣ୍ଡେ, ଅଧ୍ୟକ୍ଷ, ହିନ୍ଦୀ ବିକାଶ ମଞ୍ଚ, ଭୁବନେଶ୍ୱର, ବନମାଳୀ ଶୁକ୍ଳା, ପରୀକ୍ଷା ନିରୀକ୍ଷକ, ୱାର୍ଦ୍ଧା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସେମାନଙ୍କର ବକ୍ତବ୍ୟରେ କହିଥିଲେ ଯେ, ରାଜ୍ୟରେ ଆଞ୍ଚଳିକ ଭାଷା ସହ ରାଷ୍ଟ୍ରଭାଷା ହିନ୍ଦୀର ବହୁଳ ପ୍ରଚାର, ପ୍ରସାର ପାଇଁ ଜୋରଦାର ଉଦ୍ୟମ ହେବା ଆବଶ୍ୟକ ଓ ରାଷ୍ଟ୍ରଭାଷା ହିନ୍ଦୀକୁ ରାଜ୍ୟର ସ୍କୁଲ, କଲେଜ, ସରକାରୀ ଦପ୍ତର ସ୍ତରରେ ମଧ୍ୟ ପ୍ରଚାର ପ୍ରସାର କରିବାପାଇଁ ସରକାର ଉଦ୍ୟମ ଓ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚାର, ପ୍ରସାର ପାଇଁ ରାଷ୍ଟ୍ରଭାଷା ପ୍ରଚାର ସମିତି ସ୍ୱାଧୀନତା ପରଠାରୁ ଲଗାତର ଉଦ୍ୟମ କରିଆସୁଛି। ଆମ ରାଜ୍ୟରେ ମଧ୍ୟ ତାର ପ୍ରଚାର, ପ୍ରସାର ପାଇଁ ଉଦ୍ୟମ ଅବ୍ୟାହତ ରଖିଛି। ରାଜ୍ୟ ସରକାର ଓ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏବଂ ସାମାଜିକ ସଙ୍ଗଠନମାନେ ସହଯୋଗର ହାତ ବଢ଼ାଇଲେ ଏହି ମହାନ୍ କାର୍ଯ୍ୟ ଆହୁରି ଆଗକୁ ଯାଇପାରିବ। ଉକ୍ତ ସଭାରେ ଉତ୍କଳ ପ୍ରାନ୍ତୀୟ ରାଷ୍ଟ୍ରଭାଷା ପ୍ରଚାର ସଭା, ଭୁବନେଶ୍ୱର ଶାଖାର ସଚିବ ଶ୍ରୀ ଚନ୍ଦ୍ର ସିଂହ ଶାଲ୍ୱାର୍ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ନାଗେଶ୍ୱର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଉକ୍ତ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ହିନ୍ଦୀ କବି, ସାହିତ୍ୟିକ, ଭାଷାବିତ୍, ଶିକ୍ଷାବିତ୍, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *