ରାଷ୍ଟ୍ରପତି ୧୮ ତାରିଖ ସକାଳେ ଶ୍ରୀଜିଉଙ୍କୁ ଦର୍ଶନ କରିବେ

ପୁରୀ, ୧୩/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପୁରୀ ଗସ୍ତ ସମୟରେ ୧୮ ତାରିଖରେ ସକାଳ ୮ଟାରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଛତିଶାନିଯୋଗର ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଚୂଡାନ୍ତ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ସକାଳ ୬ .୩୦ ସୁଧା ଶ୍ରୀଜିଉଙ୍କ ମଙ୍ଗଳା ଆଳତୀ ଅବକାଶ ବେଶ କରାଯିବ। ଏହାପରେ ରାଷ୍ଟ୍ରପତି ଶ୍ରୀମନ୍ଦରକୁ ପ୍ରବେଶ କରି ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ସହ ପୂଜାଅର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କର ମନ୍ଦିର ପ୍ରବେଶ ବେଳେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସିଂହ ଦ୍ୱାରେ ରାଷ୍ଟ୍ରପତି ପହଁଚିଂବା ପରେ ଆଇନ ବିଭାଗ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ, ଜିଲ୍ଲାପାଳ, ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟ୍ଟୋଯୋଶୀ ଓ ରାଷ୍ଟ୍ରପତିଙ୍କ ପୌଳିକ ପଣ୍ଡା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିର ନିକଟକୁ ପାଛୋଟି ନେବେ। ଭାରତର ରାଷ୍ଟ୍ରପତି ଜ୍ଞାନି ଜୟଲସିଂ, ଆରଭେଙ୍କଟ ରମଣ, ଶଙ୍କର ଦୟାଲ ଶର୍ମା, ପ୍ରତିଭା ଦେବୀ ପାଟିଲ ସିଂ, ପ୍ରଣବ ମୁଖାର୍ଜୀ ପ୍ରମୁଖ ଏଠାକୁ ଆସି ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ। ରାଜଭବନ ଅସୁରକ୍ଷିତ ଥିବା ଯୋଗୁଁ ରାଷ୍ଟ୍ରପତି ସର୍କିଟ ହାଉସରେ ଅବସ୍ଥାନ କରିବେ। ଏଥିପାଇଁ ସର୍କିଟ ହାଉସକୁ ପ୍ରସ୍ତୁତ କରିବା ସହ ସମସ୍ତ ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ପାଇଁ ସର୍କିଟ ହାଉସ ଓ ତାହାର ଚତୁଃପାଶ୍ୱରେ କଡାସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ରାଷ୍ଟ୍ରପତି ଶ୍ରୀଜିଉମାନଙ୍କୁ ଦର୍ଶନ କରିବା ପରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତି ଶେଷ ହୋଇଛି।

Leave a Reply

Your email address will not be published. Required fields are marked *