ରାଷ୍ଟ୍ରପତି ନିର୍ବାଚନ ପାଇଁ ନବୀନଙ୍କ ବିଜେପିକୁ ସମର୍ଥନ ରାଜ୍ୟର ସ୍ୱାର୍ଥରକ୍ଷା ନୁହେଁ ଆତ୍ମରକ୍ଷା ପାଇଁ : ପ୍ରସାଦ

ଭୁବନେଶ୍ୱର ୨୬/୬ (ଓଡ଼ିଆ ପୁଅ)- ୟୁପିଏ ମିରା କୁମାରଙ୍କୁ ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଘୋଷଣା କରିବା ପୂର୍ବରୁ ନବୀନ ପଟ୍ଟନାୟକ କାଳବିଳମ୍ବ ନକରି ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଘୋଷଣା କରିବା ଆତ୍ମରକ୍ଷା ଉଦ୍ଦେଶ୍ୟ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସକାଳେ ବିଜେଡ଼ି ମହାନଦୀ ଜଳବିବାଦ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ କେନ୍ଦ୍ର ବିଜେପି ସରକାର ବିରୁଦ୍ଧରେ ରାଜ୍ୟବ୍ୟାପି ଆନ୍ଦୋଳନ କରୁଥିଲାବେଳେ ସେହିଦିନ ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଗୋଟିଏ ଫୋନ୍ କଲ ଅନୁରୋଧରେ ନବୀନ ପଟ୍ଟନାୟକ କୋବିନ୍ଦଙ୍କୁ ସମର୍ଥନ ଦେବା ମୋଦି-ନବୀନ ନିବିଡ଼ ପ୍ରୀୟାପ୍ରୀତିକୁ ଆଉଥରେ ପ୍ରମାଣିତ କରୁଛି। ତେଣୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ଲେଖାଏଁ ଫୋନ୍ କଲ କରି ରାଜ୍ୟର ମହାନଦୀ ଜଳ ବିବାଦ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଓ ଧାନର ସହାୟକ ମୂଲ୍ୟ ବୃଦ୍ଧି ଭଳି ସମସ୍ୟାକୁ ସମାଧାନ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାର ବିମର୍ଷକରି ନିଷ୍ପତ୍ତି ନେଇଛନ୍ତି ବୋଲି ଯାହା ଗଣମାଧ୍ୟମ ଆଗରେ ପ୍ରକାଶ କଲେ ତାହା ସଂପୂର୍ଣ୍ଣ ଭ୍ରମାତ୍ମକ ବୋଲି ବିଜେଡ଼ି ଦଳର ବରିଷ୍ଠ ନେତା ତଥା କଟକ ଲୋକସଭା ସାଂସଦ ଛାପା ଗଣମାଧ୍ୟମରେ ଲେଖିଥିବା ଏକ ସ୍ତମ୍ବରୁ ଯଥେଷ୍ଟ ସୂଚନା ମିଳୁଛି। ଏହା ପୂର୍ବରୁ ତାଙ୍କ ଦଳର ଆଉ ଜଣେ ଲୋକସଭା ସାଂସଦ ଦଳୀୟ ବୈଠକରେ ବିଜେଡ଼ି-ବିଜେପିର ଆଗାମୀ ଗଠବନ୍ଧନର ସମ୍ଭାବନା ସଂପର୍କରେ ବିଜେଡ଼ି ସୁପ୍ରିମଙ୍କ ଠାରୁ ସ୍ପଷ୍ଟିକରଣ ଦାବି କରିଥିଲାବେଳେ ତାଙ୍କୁ ଭାଷଣ ମଝିରେ ରୋକି ଦିଆଯାଇଥିଲା। ତେଣୁ ଏହି କଥା କାହାକୁ ଅଜଣା ଓ ଅଛପା ନୁହେଁ ଯେ ବିଜେଡ଼ି-ବିଜେପି ମଧ୍ୟରେ ସଲାକୁସ୍ତି ଚାଲିଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦ ଜଣେ ଦଳିତ ହେଲେ ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ମୀରାକୁମାର ଜଣେ ଦଳିତ ମହିଳା। ବିଜେଡ଼ି ସରକାର ମା’କୁ ସମ୍ମାନ ଦେବା ସ୍ଳୋଗାନ ଦେଇଆସୁଥିଲା ବେଳେ ଜଣେ ଦଳିତ ମହିଳା ମୀରା କୁମାରଙ୍କ କଥା ଭୁଲିଗଲେ କିପରି। ରାଜ୍ୟରେ ପ୍ରତି ଦିନ ୫ଜଣ ମହିଳା ଗଣଦୁଷ୍କର୍ମର ଶୀକାର ହେଉଥିଲାବେଳେ ଦଳିତମାନଙ୍କ ପ୍ରତି ନିର୍ଯ୍ୟାତନା ଅସ୍ୱାଭାବିକ ଭାବରେ ବଢ଼ିଚାଲିଛି। ଦଳିତପ୍ରୀତି ପ୍ରଦର୍ଶନ କରୁଥିବା ନବୀନ ଏ ସମ୍ପର୍କରେ ପାଟି ମଧ୍ୟ ଖୋଲୁନାହାଁନ୍ତି। ସେପଟେ ରାମନାଥ କୋବିନ୍ଦ ବିଜେପିର ପୂର୍ବତନ ସଭାପତି ସ୍ୱର୍ଗତ ବାଙ୍ଗାରୁ ଲକ୍ଷ୍ମଣ ସାମ୍ବାଦିକଙ୍କ ଠାରୁ ଲାଞ୍ଚନେବା ଘଟଣାରେ ସାକ୍ଷ୍ୟପ୍ରଦାନ କରି ଲକ୍ଷ୍ମଣଙ୍କୁ ସ୍ୱଚ୍ଛ ବ୍ୟକ୍ତିତ୍ୱବୋଲି କହିଥିଲେ। ୨୦୦୬ ମସିହା ମାର୍ଚ୍ଚ ୩ ତାରିଖ ଦିନ ରାଜ୍ୟ ସଭାରେ ଏକ ବିତ୍ତର୍କରେ ଶ୍ରୀ କୋବିନ୍ଦ ଇସ୍ ଲାମ ଓ ଖ୍ରୀଷ୍ଟ ଧର୍ମକୁ ଭାରତର ମୁଳ ଧର୍ମ ନୁହେଁ, ବିଦେଶାଗତ ବୋଲି କହିଥିଲେ। ତେଣୁ ଏହା କୋବିନ୍ଦଙ୍କର ଧର୍ମୀୟ ହୀନମନ୍ୟତା ପ୍ରମାଣ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଅପରପକ୍ଷରେ ଶ୍ରୀମତୀ ମୀରାକୁମାର ଜଣେ ପୂର୍ବତନ ଭାରତୀୟ ବିଦେଶସେବା ଅଧିକାରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଲୋକସଭା ବାଚସ୍ପତି ଏବଂ ସର୍ବୋପରି ଜଣେ ଦଳିତ ନେତ୍ରୀ। ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହୁଇପ୍ ବ୍ୟବସ୍ଥା ନଥିବା ଏବଂ ବିବେକାନୁମୋଦିତ ଭୋଟ ଦେବାର ବ୍ୟବସ୍ଥା ଥିବା ପ୍ରରୀପ୍ରେକ୍ଷୀରେ ଓଡ଼ିଶାର ବିଜେଡ଼ି ଓ ବିଜେପି ବିଧାୟକମାନେ ଶ୍ରୀମତୀ ମୀରାକୁମାରଙ୍କୁ ସମର୍ଥନ କରିବାପାଇଁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଡ. ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତି, ମନୋରଞ୍ଜନ ଦାଶ, ଜିଆଉଲ ହକ୍ ଓ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *