ରାଷ୍ଟ୍ରପତିି ପୁରସ୍କାରପ୍ରାପ୍ତ ସାହସୀ କୁନିଝିଅ ମମତାକୁ ଜିଲ୍ଲା ପ୍ରଶାସନର ସମ୍ବର୍ଦ୍ଧିନା

କେନ୍ଦ୍ରାପଡା ୨୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କେନ୍ଦ୍ରାପଡା ଜିଲ୍ଲାର ସାହସୀ କୁନିଝିଅ ମମତା ଦଳାଇକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଧନଞ୍ଜୟ ସ୍ୱାଇଁ ପୁଷ୍ପଗୁଛ ପ୍ରଦାନକରି ସାହସୀ କୁନିଝିଅ ମମତା ଦଳାଇଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଷ୍ଟାଫକମିଟି ପକ୍ଷରୁ ସଭାପତି ଶୁଭେନ୍ଦୁ ତ୍ରିପାଠି ଓ ସମ୍ପାଦକ ପ୍ରଶନ୍ନ କୁମାର ମହାନ୍ତି ମଧ୍ୟ ମମତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ମାଙ୍କୁଆଳ ଗ୍ରାମର ନିର୍ମଳ ଦଳାଇ ଓ ଚିନା ଦଳାଇଙ୍କ ୬ବର୍ଷର ଝିଅ ମମତା ଗତ ୨୦୧୭ ମସିହା ଅପ୍ରେଲ ମାସ ୬ତାରିଖରେ ଦୁଃସାହାସିକ ପଦକ୍ଷେପ ନେଇ ତା’ର ଭଉଣୀ ଅଶାନ୍ତି ଦଳାଇଙ୍କୁ କୁମ୍ଭୀର ମୁହଁରୁ ଉଦ୍ଧାର କରିପାରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଏତାଦୃଶ ବୀରତ୍ୱ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ସାହସୀକତା ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିଶ କରାଯାଇଥିଲା। ଜିଲ୍ଲା ପ୍ରଶାସନର ସୁପାରିଶ କ୍ରମେ ଦିଲ୍ଲୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମମତାଙ୍କୁ ସମ୍ବର୍ଦ୍ଧିତ କରି ପୁରସ୍କାର ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମମତାକୁ ସମ୍ବର୍ଦ୍ଧିତ କରିଛନ୍ତି। ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ମମତାକୁ ସମ୍ବର୍ଦ୍ଧିତ କରି ମମତା ଅନ୍ୟ ପିଲାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ଓ ଆମ ଜିଲ୍ଲା ତା’ ପାଇଁ ଗର୍ବିତ ବୋଲି କହିବା ସହିତ ମମତାର ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ। ଏହି ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବିଜେଡି ଜିଲ୍ଲା ସଭାପତି ଧୃବ ସାହୁ, ମମତାର ପିତା ନିର୍ମଳ ଦଳାଇଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *