ଓଡ଼ିଶା

“ରାଫେଲ ବିମାନ କିଣାରେ ସ୍କାମ ସହ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଇଛି : କଂଗ୍ରେସ

ସମ୍ବଲପୁର, ୧/୯(ଓଡ଼ିଆ ପୁଅ) : କେନ୍ଦ୍ର ସରକାରଙ୍କ ଦ୍ୱାରା ରାଫେଲ ବିମାନ ଖରିଦରେ ହୋଇଥିବା ଦେଶର ରାଜକୋଷ ହାନୀ ଏବଂ ସ୍କାନର ପର୍ଦ୍ଦାଫାଶ କରିବା ପାଇଁ କଂଗ୍ରେସ ଦେଶବ୍ୟାପୀ ଜନଜାଗରଣ କରିବ ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ମୁଖପାତ୍ର ପୱନ୍ ଖେରା ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସମ୍ବଲପୁର କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ବାୟୁସେନାର ସୁପାରିଶ କ୍ରମେ ୟୁପିଏ ସରକାର ଲଢ଼ୁଆ ବିମାନ କିଣିବାକୁ ଟେଣ୍ଡର କରିଥିଲେ। ଭଲ ଲଢ଼ୁଆ ବିମାନ ଭାବରେ ଫ୍ରାନ୍ସର ଦାସଲଟ୍ ଏଭିଏସନ୍ କମ୍ପାନୀର ରାଫେଲକୁ ଚୟନ କରାଯାଇ ବାୟୁସେନାର ଆବଶ୍ୟକତା ମୁତାବକ ୧୨୬ଟି ବିମାନ କିଣାଯିବାକୁ ସ୍ଥିର ହୋଇଥିଲା। ସେଥିରୁ ୧୮ଟି ସିଧାସଳଖ ଉଡ଼ିବା ସ୍ଥିତିରେ ଆସିବା ଏବଂ ୧୦୮ଟି ବିମାନ ଟେକ୍ନୋଲୋଜି ହସ୍ତାନ୍ତରଣରେ ହାଲ୍ ଦ୍ୱାରା ପ୍ରସ୍ତୁତ କରାଯିବାକୁ ନିର୍ଣ୍ଣୟ ହୋଇଥିଲା। ଦାସଲ୍ଟ କମ୍ପାନୀ ସହ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ପ୍ରତ୍ୟେକ ବିମାନର ମୂଲ୍ୟ ୫ଶହ ୨୬ କୋଟି ୧୦ଲକ୍ଷ ଟଙ୍କା ଲେଖାଏଁ ଧାର୍ଯ୍ୟ ହୋଇଥିବା ବେଳେ ମୋଟ୍ ୧୨୬ଟି ବିମାନ ପାଇଁ ୧୮ ହଜାର ୯୪୦ କୋଟି ଟଙ୍କା ମୂଲ୍ୟ ପଡ଼ିଥାନ୍ତା। ୨୦୧୪ରେ ଏ ନେଇ ଚୂଡ଼ାନ୍ତ ନିର୍ଣ୍ଣୟ ବାକିଥିବା ବେଳେ ସରକାର ପରିବର୍ତ୍ତନ ହୋଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ପ୍ରାୟ ୧ ବର୍ଷ ଉତ୍ତାରୁ ୨୦୧୫ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫ୍ରାନ୍ସ ଗସ୍ତରେ ଯାଇଥିବା ବେଳେ ଭାରତ ୩୬ଟି ରାଫେଲ ବିମାନ କିଣିବ ବୋଲି ତରବରିଆ ଭାବେ ଘୋଷଣା କରାଗଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ତକ୍ରାଳୀନ ପ୍ରତିରକ୍ଷା ମନ୍ତ୍ରୀ ନଥିବା ବେଳେ ଶିଳ୍ପପତି ଅନିଲ ଅମ୍ବାନୀ ଉପସ୍ଥିତ ଥିଲେ। ଏଣେ ୩୬ଟି ବିମାନ କିଣା ନେଇ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟିର ଅନୁମୋଦନ ନ ଥିଲା। ଏହା ସହିତ ପ୍ରତିରକ୍ଷା ସାମଗ୍ରୀ କିଣାରେ ଆବଶ୍ୟକ ହେଉଥିବା ନିର୍ଦ୍ଧାରିତ ନିୟମକୁ ଅଣଦେଖା କରାଗଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ୟୁପିଏ ସରକାର ସମୟରେ ନିର୍ମିତ ଗୋଟିଏ ଲେଖାଏଁ ବିମାନର ମୂଲ୍ୟ ୩ ଗୁଣ ଅଧିକ ୧୬୭୦ କୋଟି ୭୦ ଲକ୍ଷ ଟଙ୍କାରେ ଧାର୍ଯ୍ୟ କରାଗଲା। ସେଥିରେ ପୁଣି ରାଫେଲ୍ ବିମାନ କିଣା ନେଇ ପ୍ରଧାମନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏକତରଫା ନିଷ୍ପତ୍ତି ଟେକ୍ନୋଲୋଜି ହସ୍ତାନ୍ତରଣ ବାବଦରେ ୨୦୧୪ରେ ଦାସଲଟ୍ କମ୍ପାନୀ ସହ ହାଲ୍ର ହୋଇଥିବା ଚୁକ୍ତିନାମାକୁ ଜଳାଞ୍ଜଳି ଦେଲା। ଏଣେ ଶିଳ୍ପପତି ଶ୍ରୀ ଅମ୍ବାନୀ ମାତ୍ର ୧୨ ଦିନ ତଳେ ପଞ୍ଜୀକୃତ କରିଥିବା ରିଲାଏନ୍ସ ଡିଫେନ୍ସ ଲିମିଟେଡ଼୍କୁ ୩୦ ହଜାର କୋଟି ଟଙ୍କାର ଅଫ୍ସେଟ୍ କଣ୍ଟ୍ରାକ୍ଟ ଦିଆଗଲା। ଏବେ ପୁଣି ରିଲାଏନ୍ସ ଡିଫେନ୍ସ ଲିମିଟେଡ଼ ଆହୁରି ୧ଲକ୍ଷ କୋଟି ଟଙ୍କାର ଲାଇଫ୍ ସାଇକେଲ କଷ୍ଟ କଣ୍ଟ୍ରାକ୍ଟ ଲାଭ କରିଛି। ଏହିଭଳି ଭାବେ ମୋଦୀ ସରକାର ବାୟୁ ସେନା ଆବଶ୍ୟକ କରୁଥିବା ବିମାନର ସଂଖ୍ୟା ହ୍ରାସ କରି ଜାତୀୟ ସୁରକ୍ଷାକୁ ବିପନ୍ନ କରିବା ସହ ଦେଶର ରାଜକୋଷ ଉପରେ ଅତିରିକ୍ତ ବୋଝ ଲଦିଥିବା ଓ ରାଷ୍ଟ୍ରାୟତ୍ତ ସଂସ୍ଥା ହାଲ୍ର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବା ଶ୍ରୀ ଖେରା କହିଛନ୍ତି। ସେ ଆହୁରି କହିଥିଲେ ଯେ, ଏହି ପ୍ରସଙ୍ଗରେ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଫ୍ସେଟ୍ କଣ୍ଟ୍ରାକ୍ଟ ଦିଆଯାଇ ନଥିବା ନିରାଟ ମିଛ କଥା କହିଛନ୍ତି। ଯାହାକି ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ୍ରୁ ଧରାପଡ଼ିଛି।

ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସମ୍ପାଦକ ଏମ୍ ୱାଲି, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ କୁମାର ଗୁରୁ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କିଶୋର ପତି, ପୂର୍ବତନ ସାଂସଦ ଅମର ପ୍ରଧାନ, ପ୍ରଦେଶ କଂଗ୍ରେସ କର୍ମକର୍ତ୍ତା ରାଜକିଶୋର ଦାସ, ରାଜୁ ଷଡ଼ଙ୍ଗୀ, ସୁରେଖା ସାହୁ, ଦୁଲାଲଚନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ପଟ୍ଟନାୟକ, ସେମ ହେମ୍ବ୍ରମ୍, ପଞ୍ଚାୟତିରାଜ ସଂଗଠନ ଅଧ୍ୟକ୍ଷ ଆସଫ୍ ଅଲ୍ଲୀ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top