ରାଣୀବନ୍ଧି ପ୍ରକଳ୍ପ ପରିଦର୍ଶନ କଲା ପରିବେଶ କମଟି; ବେଆଇନ କ୍ରସର ପ୍ରତି ପଡିଲାନି ନଜର

ଯାଜପୁର-୧୦/୧(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର ଓ ଡଙ୍କାରୀ କଳାପଥର ସଇରାତ ପାଦଦେଶରେ ଥିବା କ୍ଷୁଦ୍ର ଜଳସେଚନ ରାଣୀବନ୍ଧି ପ୍ରକଳ୍ପ ପାହାଡ ବିଷ୍ପୋରଣ ଦ୍ୱାରା ହେଉଥିବା କ୍ଷୟକ୍ଷତିର ଆକଳନ କରିବା ନିମନ୍ତେ ଆଜି ସକାଳେ ଏକ ଯାଞ୍ଚ କମିଟି ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାଯାଇଛି। ଏହି ଯାଞ୍ଚ କମିଟିରେ ସ୍ଥାନୀୟ ତହସିଲଦାର ପ୍ରଭାସ କୁମାର ବେହୁରିଆ, ବନବିଭାଗ ଅଧିକାରୀ ଚିତ୍ତରଞ୍ଜନ ରାଉତ ଓ ପ୍ରଦୁଷଣ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ମହିଶରା ଓ ସଂପାରୁ ପଞ୍ଚାୟତର କୃଷିର ଉନ୍ନତି ନିମନ୍ତେ ୧୯୮୦ ମସିହାରେ ଶୁଭାରମ୍ଭ କରାଯାଇଥିଲା। ମାତ୍ର ରାହାଡପୁର ଓ ଡଙ୍କାରୀ କଳାପଥର ପାହାଡକୁ ଲିଜ୍ଧାରୀମାନେ ଓ କିଛି ବେଆଇନ ପଥର ମାଫିଆ ୱାଗନ ବ୍ଲାଷ୍ଟିଂ ଦ୍ୱାରା ଫଟାଇଯାଇଥିବାରୁ ତାହାର ପ୍ରଭାବରେ ଏହି ପ୍ରକଳ୍ପ ବହୁପରିମାଣରେ କ୍ଷତିଗ୍ରସ୍ତ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳର କୃଷକମାନେ ଅଭିଯୋଗ କରିଆସୁଥିଲେ। ଏବଂ ପୂର୍ବରୁ ଏନେଇ ମଧ୍ୟ ବାରମ୍ବାର କମିଟି ପରିଦର୍ଶନ କରିଥିଲେ ମଧ୍ୟ ତାହାର କୌଣସି ସୁଫଳ ନମିଳିବାରୁ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରିକି ଏହି ଯାଞ୍ଚ କମିଟିର ଗ୍ରସ୍ତକୁ ସେମାନେ ଲୋକ ଦେଖାଣିଆ ବୋଲି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଯଦି ଏଥିପ୍ରତି ବିଭାଗ କାର୍ଯ୍ୟ ନକରେ ତେବେ ଏହି ପ୍ରକଳ୍ପଟି ନଷ୍ଟ ହୋଇଯିବା ସହ କୃଷକମାନେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବେ। ରାହାଡପୁର ଓ ଡଙ୍କାରୀ ଅଞ୍ଚଳରେ ଚାଲୁଥିବା ବେଆଇନ କ୍ରସର ପ୍ରତି କମିଟିର କୌଣସି ଦୃଷ୍ଟି ନପଡିବା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି ସ୍ଥାନ ମାନଙ୍କରେ ଥିବା ଅନେକ କ୍ରସର ସରକାରୀ ଜାଗା ଓ ଜଙ୍ଗଲ ଜମି ମାଡି ବସିଥିଲା ବେଳେ କମିଟିର ଅଣଦେଖା ସ୍ଥାନୀୟ ଲୋକଙ୍କୁ ହତଚକିତ କରିଛି। ଅପର ପକ୍ଷରେ କୌଣସି କାଗଜ ପତ୍ର ନଥାଇ କ୍ରସର ଗୁଡିକ ଦିନରାତି ଚାଲୁଥିଲେ ମଧ୍ୟ କମିଟି କେବଳ ପାହାଡ ପରିଦର୍ଶନକରି କିଫଳ ପାଉଛି ତାହା ଏକ ବିରାଟ ପ୍ରଶ୍ନବାଚୀ। ଟାସ୍କଫୋର୍ସ କମିଟି କ୍ରସର ବନ୍ଦ କରି ଭେଳିକି ଦେଖାଇଥିଲା ବେଳେ ଏହି କମିଟିର ଭେଳିକି କେତେଦିନ ଚାଲିବ ତାହା ଦେଖିବାକୁ ବାକି ରହଛି। ଗତ ମଙ୍ଗଳବାର କମିଟି ଆସିବା ବିଷୟରେ ପ୍ରଭା ପ୍ରତିନିଧି ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଏ ବିଷୟରେ କୌଣସି ସୂଚନା ନଥିବା କହିଥିବା ବେଳେ ବୁଧବାର ଦିନ ନେତୃତ୍ୱନେଇ ପ୍ରକଳ୍ପ ଓ ପାହାଡ ପରିଦର୍ଶନ କରିବା ତହସିଲଦାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ଥାନୀୟ ତହସିଲଦାର ଗଣମାଧ୍ୟମକୁ ଭୟ ନା ମାଫିଆମାନଙ୍କୁ ସହଯୋଗ କରୁଛନ୍ତି। ତହାର ପ୍ରକୃତ ଚିତ୍ର ଆସନ୍ତା ଦିନରେ ହିଁ ପଦାକୁ ଆସିବ।

Leave a Reply

Your email address will not be published. Required fields are marked *