ଜିଲ୍ଲା ପରିକ୍ରମା

ରାଣୀତାଲ ହାଇସ୍କୁଲ ଛାତ୍ରଛାତ୍ରୀ ମୃତ୍ୟୁ ଘଟଣା ପରେ, ରାଜପଥ ଦୁର୍ଘଟଣା ରୋକିବାକୁ ପ୍ରଶାସନ ବାଟ ଖୋଜୁଛି

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଚଳିତମାସ ୧୯ ତାରିଖ ଦିନ ୧୬ ନଂ ଜାତୀୟ ରାଜପଥର ରାହାଞ୍ଜ ଅସୁରା ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାପରେ ଜାତୀୟ ରାଜପଥ ଉପରେ ବଢି ଚାଲିଥିବା ଦୁର୍ଘଟଣା ରୋକିବାକୁ ପ୍ରଶାସନ ବାଟ ଖୋଜୁଛି। କେବଳ ରାଜପଥ ପାଶ୍ୱର୍ରେ ରହିଥିବା ଶିକ୍ଷାନୁଷ୍ଠାନ ନୁହେଁ, ପରନ୍ତୁ ଏହି ରାଜପଥକୁ ନିତିଦିନିଆ ରାସ୍ତା ଭାବେ ବ୍ୟବହାର କରୁଥିବା ସାଧାର ଲୋକଙ୍କ ସକାଶେ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବିଏନ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଣୀତାଲ ହାଇସ୍କୁଲ ଛାତ୍ରମୃତ୍ୟୁ ଘଟଣା ପରେ ଚଳିତବର୍ଷ ଗତ ୪ ମାସ ଭିତରେ ଜିଲାରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୭୦ ଟପିବାକୁ ବସିଲାଣି। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଏବେ ଶହେ ଟପିଯାଇଥିବା କୁହାଯାଉଛି। ଗତ ୨୩ ତାରିଖରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଜାତୀୟ ରାଜପଥ ଉପରେ ବଢି ଚାଲିଥିବା ସଡକ ଦୁର୍ଘଟଣା ଉପରେ ରୋକ ଲଗାଇବା ସକାଶେ କିଛି ପ୍ରତିରକ୍ଷାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ଏହା ଯେ ଜାତୀୟ ରାଜପଥରେ ବଢିଚାଲିଥିବା ସଡକ ଦୁର୍ଘଟଣା ରୋକିବା କ୍ଷେତ୍ରରେ ପର୍ଯ୍ୟାପ୍ତ ନୁହେଁ, ତାହା ସ୍ପଷ୍ଟ ହୋଇଛି। କାରଣ ଏହି ବୈଠକରେ କୌଣସି ନିଜ୍ୟାର୍ସ ନ ବାହାରିବାରୁ ପ୍ରଶାସନ ପକ୍ଷରୁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ ନେଇ ଆସନ୍ତା ୩୧ ତାରିଖରେ ଆଉ ଏକ ବୈଠକ ଡାକିଥିବା ଜଣାପଡିଛି। ତେବେ ପ୍ରଶାସନ ହୁଅନ୍ତୁ ଅଥବା ଜିଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ହୁଅନ୍ତୁ, ଭଦ୍ରକ ଜିଲାରେ ବଢିଚାଲିଥିବା ସଡକ ଦୁର୍ଘଟଣା ପଛରେ ତୃଟିପୂର୍ଣ୍ଣ ରାଜପଥ ନିର୍ମାଣ ହିଁ ଦାୟୀ ଅଟେ ବୋଲି ଅନୁଭବ କରୁଛନ୍ତି। ଭଦ୍ରକ ଜିଲାର ପ୍ରବେଶପଥ ଆଖୁଆପଦା ଠାରୁ ଶେଷସୀମା ମଇତାପୁର ପର୍ଯ୍ୟନ୍ତ ପ୍ରାୟ ୪୦ କିମି ଜାତୀୟ ରାଜପଥ ପାଶ୍ୱର୍ରେ ରହିଛି ପ୍ରାୟ ୬୦ ରୁ ଉର୍ଦ୍ଧ୍ୱ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ। ଯେଉଁଥିରେ ଅଧ୍ୟକ୍ଷ କରୁଥିବା ହଜାର ହଜାର ଛାତ୍ର ଛାତ୍ରୀ ସର୍ବଦା ଜାତୀୟ ରାଜପଥକୁ ବ୍ୟବହାର କରୁଛନ୍ତି। କେବଳ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ନୁହଁନ୍ତି, ଭଦ୍ରକ ସହର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥକୁ ପ୍ରତିଦିନ ହଜାର ହଜାର ଲୋକ ସେମାନଙ୍କ ନିତିଦିନିଆ ରାସ୍ତା ଭାବେ ବ୍ୟବହାର କରୁଛନ୍ତି। ରାଜପଥ ନିର୍ମାଣ ସମୟରେ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଜାତୀୟ ରାଜପଥକୁ ଲାଗି ଗଢି ଉଠିଥିବା ଜନବସତି, ଶିକ୍ଷାନୁଷ୍ଠାନ ଏପରିକି ସାଧାରଣ ଲୋକଙ୍କ ଆବଶ୍ୟକତା ପ୍ରତି ଆଖି ବୁଜି ଦେଇଛନ୍ତି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜପଥ କର୍ତ୍ତୃପକ୍ଷ ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ଅଣ୍ଡରପାସ୍, ଫ୍ଲାଇଓଭର ଅଥବା ଟ୍ରାଫିକ୍ ଆଇଲ୍ୟାଣ୍ଡ ନିର୍ମାଣ କରିନାହାଁନ୍ତି। ଏଥିନେଇ ଓଡ଼ିଶା ହାଇକୋର୍ଟରେ ଏକାଧିକ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ଏହାର ଜବାବ ଦେବାକୁ ଯାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚାରିଲାଇନ୍ ରାଜପଥ ନିର୍ମାଣ ସମୟରେ ହୋଇଥିବା ତ୍ରୁଟିକୁ ଛଅଲାଇନ୍ ରାଜପଥ ନିର୍ମାଣ ବେଳେ ସୁଧାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଦିନକୁ ଦିନ ଜାତୀୟ ରାଜପଥରେ ଗାଡି ମୋଟର ସଂଖ୍ୟା ଦୃତ ବୃଦ୍ଧି ପାଇବାରେ ଲାଗିଥିବାରୁ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ସର୍ଭିସ୍ ରୋଡ୍ରେ ଯଥେଷ୍ଟ ଆବଶ୍ୟକତା ରହିଛି। ତାହାହେଲେ ଲୋକମାନେ ଜାତୀୟ ରାଜପଥ ବଦଳରେ ସର୍ଭିସ୍ ରୋଡ୍କୁ ବ୍ୟବହାର କରିବେ ଯାହାକି ସଡକ ଦୁର୍ଘଟଣାକୁ ପ୍ରତିହତ କରିପାରି ବୋଲି କୁହାଯାଉଛି। ଜାତୀୟ ରାଜପଥ ପ୍ରାଧିକରଣ ସହ ଆଲୋଚନା ବେଳେ ପ୍ରଶାସନ ଏହି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଜିଲାବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top