ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ

କେନ୍ଦ୍ରାପଡା ୧୬/୧୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟସ୍ତରୀୟ ପଲିଶ୍ରୀ ମେଳା, କ୍ୃଷି ମହୋତ୍ସବ ଓ ସାଂସ୍କୃତିକ ଉତ୍ସବ ସ୍ଥାନୀୟ କେନ୍ଦ୍ରାପଡା ମହାବିଦ୍ୟାଳୟ ଗ୍ରାଉଣ୍ଡରେ ନିର୍ଦ୍ଧାରିତ ସମୟଠାରୁ ସାଢେ ତିନିଘଣ୍ଟା ବିଳମ୍ବରେ ଶୁକ୍ରବାର ରାତି ୮.୩୦ମିରେ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ବିଳମ୍ବରେ ପହଞ୍ଚବା ଯୋଗୁ ପ୍ରଶାସନର ଦୟାରେ ଶହ ଶହ ଜନସାଧାରଣ ହଟହଟ୍ଟା ହେବାକୁ ପଡିଛି। ତେଲମରା ପ୍ରଶାସନକୁ ନେଇ ସାଧାରଣରେ ତିବ୍ର ସମାଲୋଚନା ପ୍ରକାଶପାଇଛି।

ଘଟଣାରୁ ପ୍ରକାଶ ଯେ, ଗତ କିଛି ବର୍ଷ ହେଲା କେନ୍ଦ୍ରାପଡାରେ ରାଜ୍ୟସ୍ତରୀୟ ପଳିଶ୍ରୀ ମେଳା ଡିସେମ୍ବରମାସ ୭ ତାରିଖରେ ହୋଇ ଆସୁଥିବା ବେଳେ ଏବର୍ଷ ମଧ୍ୟ ୭ ତାରିଖରେ ହେବାକୁଥିଲା। ତେବେ ଚଳିତ ବର୍ଷ ହଠାତ ପ୍ରଶାସନ ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ଏହି କାର୍ଯ୍ୟକ୍ରମ ୧୫ରୁ ୧୯କୁ ଘୁଞ୍ଚାଇ ଦିଆଗଲା ବୋଲି ସୂଚନା ଦିଆଗଲା। ହଠାତ ପୁଣି କଣ ହେଲା ଏହି କାର୍ଯ୍ୟକ୍ରମକୁ ୧୫ ପରିବର୍ତ୍ତେ ୧୬ରୁ ୨୦ ପଯ୍ୟନ୍ତ ହେବ ବୋଲି ସୂଚନା ଦିଆଗଲା। ତେବେ ଶେଷରେ ଗତ କାଲି ରାତିରେ ହଠାତ ସେହି ୧୫ ରେ ହେବ ବୋଲି ସୂଚନା ଦିଆଗଲା। ପ୍ରଶାସନର ଏଭଳି ଆଡବାୟା ନିଷ୍ପତି ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହାସତ୍ୱେ ଆଜି ସଂନ୍ଧ୍ୟା ୫ଟା ସମୟରେ ଏହି କାର୍ଯ୍ୟକ୍ରମ ହେବାନେଇ ବହୁ ସଂଖ୍ୟାରେ ଲୋକମାନେ ଯୋଗ ଦେଇଥିଲେ। ତେବେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆନଯାଇ କାର୍ଯ୍ୟକ୍ରମକୁ ବିଳମ୍ବ କରାଯାଇଥିଲା। ଲୋକମାନେ ଏଭଳି ବିଳମ୍ବ ଯୋଗୁ କିଛି ବୁଝି ନପାରି ଆସ୍ତେ ଆସ୍ତେ ସଭାସ୍ଥଳ ଛାଡି ପଳାଇଥିଲେ। ତେବେ ଜନଶୂନ୍ୟ ହେବା ପରେ କିଛି ସରକାରୀ ଅଫିସର ଏବଂ ହାତ ଗଣତି କିଛି କୁଜି ନେତାକୁ ନେଇ ଏହି କାର୍ଯ୍ୟକ୍ରମକୁ ଦୀର୍ଘ ସାଢେ ତିନି ଘଣ୍ଟା ବିଳମ୍ବରେ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଉଦଘାଟନ କରିଥିବା ବେଳେ ଜିଲ୍ଲାପାଳ ରଘୁଜୀ ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ରାପଡା ବିଧାୟକ କିଶୋର କୁମାର ତରାଇ, ଜିଲ୍ଲା ପରିଷଦ ସଭାପତି ମାନସକୁମାର ପରିଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଳିପ କୁମାର ପରିଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ମଞ୍ଚ ସଂଚାଳନ କରିଥିବା ବେଳେ ଜିଲ୍ଳା ସଂସ୍କୃତି ଅଧିକାରୀ ଦିଲ୍ଳିପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଜୟ କୁମାର ରାଉତ, ଜିଲ୍ଲାପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ଜେନା, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଧିରେନ ସାହୁ, ପୂର୍ବତନ ଏସ.ଡି.ପି.ଓ. କେଦାରନାଥ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *