ଓଡ଼ିଶା

ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ମା’

ଭୁବନେଶ୍ୱର ୬-୨ (ଓଡ଼ିଆ ପୁଅ) ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରୀ ଠାରେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କ ମା’। ମୁଖ୍ୟମନ୍ତ୍ରୀଙ୍କ ସଭାରେ ମୋ ଝିଅ ରାଜଶ୍ରୀ କାମିଲାଙ୍କୁ ଉଲଗ୍ନ ପ୍ରାୟ କରି ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ପୋଲିସ ଜବରଦସ୍ତି ଜେଲ ପଠାଇବା ଓ ସେଠାରେ ଶାରୀରିକ ନିର୍ଯ୍ୟାତନା କାରଣରୁ ତାର ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନର ହସ୍ତକ୍ଷେପ ଓ ନ୍ୟାୟ ଦାବି କରିଛନ୍ତି।

ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ତାଳସାରୀ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୋର ଝିଅ ରାଜଶ୍ରୀ କାମିଲାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ ମାନେ ଉଲଗ୍ନ ପ୍ରାୟ କରି ମରଣାନ୍ତକ ଆକ୍ରମଣ କରିଥିଲେ। ସଭାରେ ଉପସ୍ଥିତ ଲୋକ ମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେବା ସହିତ ମୋର ଝିଅକୁ ଉଲଗ୍ନ କରିବାକୁ ଚେଷ୍ଟା କରୁଥିଲେ ଓ ମରଣାନ୍ତକ ଆକ୍ରମଣ କରି ଚାଲିଥିଲେ। ପୁରୁଷ ପୋଲିସ ମାନେ ଗୁଣ୍ଡା ପ୍ରାୟ ଆକ୍ରମଣ ବେଳେ ମୋ ଝିଅକୁ ସୁରକ୍ଷା ଦେବା ବଦଳରେ ଆକ୍ରମଣକାରୀଙ୍କୁ ସହଯୋଗ କଲା ଭଳି ଭୂମିକାରେ ଥିଲେ। ଏ ସମସ୍ତ ଘଟଣା ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଲୋକ ମାନେ ସିଧା ସିଧା ଲାଇଭ ଦେଖିଛନ୍ତି। ଏହି ସମସ୍ତ ଟେଲିଭିଜନ ଗୁଡିକରେ ବିନା ଏଡିଟିଂରେ ଦେଖା ଯାଇଥିବା ଏହି ଜଘନ୍ୟ ଚିତ୍ର ଆପଣ ଏହି ରେକର୍ଡ ମଗାଇ ସମ୍ପୂର୍ଣ୍ଣ ରୂପେ ଅବଗତ ହୋଇ ପାରିବେ।

ପୋଲିସ ଆହତ ଅବସ୍ଥାରେ ମୋ ଝିଅକୁ ଡାକ୍ତରଖାନାରେ ଭର୍ତି କଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଅଣ୍ଡା ପକାଇ ଜୀବନରେ ମାରି ଦେବାକୁ ଉଦ୍ୟମ କରୁଥିବା ପୋଲିସ ମିଛ ମାମଲା ରୁଜୁ କରି ୩୦୭ ପରି ନନ ବେଲେବଲ ଧାରା ଲଗାଇଲେ। ମୋ ଝିଅର ସାତ ମାସର ପିଲା ଟିଏ ଅଛି ଯିଏ ମା କ୍ଷୀର ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ।

ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ପୋଲିସ କୋର୍ଟରେ ହାଜର କରାଇ ୩୦୭ ଦଫା ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଜାମିନ ନାମଂଜୁର କରାଇ ଜେଲ ପଠାଇ ଦେଲେ। ମୋ ଝିଅ ସୁସ୍ଥ ଥିବା କାରଣରୁ ଡାକ୍ତର ପୋଲିସକୁ ଡାକ୍ତରଖାନାରୁ ନେବା ପାଇଁ ଅନୁମତି ଦେଇଥିଲେ। ମାତ୍ର ପୋଲିସ ନେଇ ଯିବା ପରେ ମୋତେ ସନ୍ଦେହ ହେଉଛି ମୋ ଝିଅକୁ ଅକଥନୀୟ ଶାରୀରିକ ନିର୍ଯ୍ୟାତନା ଦେଇ ମୁର୍ମୁଷୁ କରି ଦିଆଗଲା। ବାଲେଶ୍ୱର ଜିଲ୍ଲା ହସପିଟାଲରେ ଭର୍ତ୍ତୀ କରା ଯିବା ପରେ ସ୍ଥିତି ସଂକଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ମୋ ଝିଅ ଜୀବନ ମରଣର ସଂଘର୍ଷ ଲଢୁଛି। ସ୍ୱାସ୍ଥ୍ୟ ଠିକ ଥିବା କାରଣରୁ ପୋଲିସ ଯଦି ଡାକ୍ତରଖାନାରୁ ମୋ ଝିଅକୁ ନେଇ ଗଲା ଓ ଡାକ୍ତରଖାନାରୁ ଜେଲ ଭିତରେ କଣ ଘଟିଲା ଯେ ମୋ ଝିଅ ଆଜି ଜୀବନ ମରଣର ସଂଘର୍ଷ କରୁଛି, ଏ ସମ୍ବନ୍ଧରେ ଆପଣ ଉପଯୁକ୍ତ ତଦନ୍ତ କଲେ ହିଁ ସତ୍ୟ ବାହାରକୁ ବାହାରି ପାରିବ।

ମୋ ଝିଅ ନାଁରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ପକାଇ ଜୀବନରେ ମାରି ଦେବାର ଅଭିଯୋଗ ପୋଲିସ ଆଣିଲା। ମୋ ଝିଅ ଅଣ୍ଡା ପକାଇବାର କିଛି ପ୍ରମାଣ ଅଛି କି ? ମିଛ ଅଭିଯୋଗ ଲଗାଇ ନବୀନ ପଟ୍ଟନାୟକ ଜିନ୍ଦାବାଦ କହୁଥିବା ଲୋକ ମାନେ ମୋ ଝିଅକୁ ଜୀବନରେ ମାରିଦେବାକୁ ଉଦ୍ୟମ କଲେ। ଆଇନ ଅନୁଯାୟୀ ଏହି ଅପରାଧ କାରଣରୁ ଜୀବନରେ ମାରି ଦେବାକୁ ଉଦ୍ୟମ, ମହିଳାଙ୍କ ଇଜତ ଲୁଂଠନ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଏହି ସମସ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ। ଏ ସମସ୍ତ ଆତତାୟୀଙ୍କ ଭିଡିଓ ଚିତ୍ର ଅଧିକାଂଶ ଗଣମାଧ୍ୟମ ଦେଖାଇଛନ୍ତି। ପୋଲିସର ଉପସ୍ଥିତିରେ ଓ ସୁରକ୍ଷାରେ ଏହି ଘଟଣା ଘଟିଛି।

ଖୋଦ ମୁଖ୍ୟମନ୍ତ୍ରୀ ଏହି ସଭାରେ ଉପସ୍ଥିତ ଥିଲା ବେଳେ ନବୀନ ପଟ୍ଟନାୟକ ଜିନ୍ଦାବାଦ କହି ମରଣାନ୍ତକ ଆକ୍ରମଣ କରୁଥିବା ଗୁଣ୍ଡା ବାହିନୀ ଓ ପୋଲିସକୁ ମୋ ଝିଅକୁ ସୁରକ୍ଷା ଦେବା ବଦଳରେ ମୌନତା ଅବଲମ୍ବନ କରି ପଳାଇ ଯିବା କାରଣରୁ ଏହି ଆକ୍ରମଣ ପଛରେ ତାଙ୍କର ସମର୍ଥନ ଥିବା ମୋର ହୃଦବୋଧ ହେଉଛି।

ଆପଣ ମାନବିକ ଅଧିକାର ସୁରକ୍ଷାର ସାମ୍ବିଧାନିକ ଅଧିଷ୍ଠାନ। ରାଜ୍ୟର ଶାସନର ମୁଖ୍ୟ ଯିଏ ପ୍ରତ୍ୟେକ ନାଗରିକର ଧନ ଜୀବନ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି ତାଙ୍କର ଉପସ୍ଥିତିରେ ପୋଲିସ ଓ ଗୁଣ୍ଡା ମାନେ ଜଣେ ମହିଳାଙ୍କୁ ଯେପରି ବେଇଜ୍ଜତ କରିବା ସହ ମରଣାନ୍ତକ ଆକ୍ରମଣ କଲେ ଏହା ସଭ୍ୟ ସମାଜରେ ଚିନ୍ତା କରିବା ବି ଅସମ୍ଭବ। ପୋଲିସର ଭୂମିକା ବି ସମ୍ପୂର୍ଣ ରୂପେ ଆକ୍ରମଣର ଶୀକାର ମହିଳାଙ୍କୁ ସୁରକ୍ଷା ନୁହେଁ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେବା ପାଇଁ ହିଁ ଉଦ୍ଦିଷ୍ଟ ଥିଲା। ଆକ୍ରମଣର ଶୀକାର ମୋ ଝିଅର ସାତ ମାସର ପିଲା ମା କ୍ଷୀର ଉପରେ ନିର୍ଭରଶୀଳ ଥିଲା। ମୋ ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବାର ପ୍ରମାଣ ବି କିଛି ନାହିଁ। ଏ ସବୁ ସତ୍ୱେ ଯେପରି ଭାବରେ ମୋ ଝିଅର ମାନବିକ ଅଧିକାର ହନନ କରାଗଲା ଏଥି ପାଇଁ ଦାୟୀ ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଜିନ୍ଦାବାଦ କହି ଆକ୍ରମଣ କରିଥିବା ବ୍ୟକ୍ତି, ଆକ୍ରମଣର ଶୀକାର ମୋ ଝିଅକୁ ସୁରକ୍ଷା ଦେବା ବଦଳରେ ଆକ୍ରମଣକାରୀଙ୍କୁ ସୁରକ୍ଷା ଦେଉଥିବା ପୋଲିସ ଓ ଡାକ୍ତରଖାନାରୁ ଜେଲ ଭିତରେ ମୋ ଝିଅ ଉପରେ ଶାରୀରିକ ନିର୍ଯ୍ୟାତନାର ପ୍ରସଙ୍ଗକୁ ତଦନ୍ତ କରି ସମସ୍ତ ଦୋଷୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବା ପାଇଁ ଆପଣଙ୍କୁ ପ୍ରାର୍ଥନା କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top