ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଖିଲାପ : ୨୨ଟି କ୍ରସର୍‌ ସିଲ୍‌ କଲା ପ୍ରଶାସନ

  1. ଖୋର୍ଧା 24/8 (ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) : ପ୍ରଦୂଷଣ ନିୟନ୍ତ୍ରଣ ନିୟମ ଅମାନ୍ୟ କରି ଖୋର୍ଧା ଜିଲ୍ଲାରେ ଗଢ଼ି ଉଠିଥିବା କ୍ରସର୍‌ ମିଲଗୁଡ଼ିକ ଏବେ ବିପଦରେ ପଡ଼ିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କ୍ରସର୍‌ ମିଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସୋମବାର ଖୋର୍ଧା ତହସିଲ ଅଞ୍ଚଳରେ ଥିବା ଆଇନ ଖିଲାପକାରୀ ଏଭଳି ୨୨ଟି କ୍ରସର୍‌ ମିଲକୁ ସିଲ୍‌ କରାଯାଇଛି। ଆଗାମୀ ଦିନରେ ମଧ୍ୟ ପ୍ରଶାସନ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ସରୋଜ କୁମାର ସାହୁ କହିଛନ୍ତି। ତେବେ ୫ ମାସ ମଧ୍ୟରେ ଏହାକୁ ମିଶାଇ ମୋଟ ୧୯୫ଟି କ୍ରସର୍‌ ମିଲକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଏବେ କ୍ରସର ମିଲ୍‌ ମାଲିକଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଛି।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଖୋର୍ଧା ତହସିଲ ଅଞ୍ଚଳର ୧୬ନମ୍ବର ଜାତୀୟ ରାଜପଥରୁ ବାଜପୁର ପର୍ଯ୍ୟନ୍ତ ୪୨ଟି କ୍ରସର ମିଲର କାଗଜପତ୍ର ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୨୫ଟି ବେଆଇନ କ୍ରସର୍‌ ମିଲକୁ ସିଲ୍‌ କରାଯାଇଛି। କ୍ରସର୍‌ ସ୍ଥାପନ ନେଇ ଥିବା ଜିଲ୍ଲାପାଳଙ୍କ ଗାଇଡ୍‌ଲାଇନର ଉଲ୍ଲଙ୍ଘନ କିମ୍ବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିନା ଅନୁମତିରେ ଗଢ଼ି ଉଠିଥିବା ଯୋଗୁଁ ଏହି କ୍ରସରଗୁଡ଼ିକୁ ସିଲ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡର ଏକ ଟିମ୍‌ ଓ ଖୋର୍ଧା ତହସିଲର ଏକ ଟିମ, ଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀ ଓ ସେସୁ ଅଧିକାରୀମାନେ ଆଜିର ଏହି ଚଢ଼ଉରେ ସାମିଲ ହୋଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ପୁଲିସର ସହାୟତା ନିଆଯାଇଥିଲା।

Leave a Reply

Your email address will not be published. Required fields are marked *