ରାଜ୍ୟ ପୋଲିସ ଡିଜିଙ୍କ ପାଖରେ ବିଜେପିର ଅଭିଯୋଗ: ପୋଲିସ ବିଜେଡିର ହାତବାରିସୀ ସାଜିଛି

-ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଆସିକାର ରାଜେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉ
ଭୁବନେଶ୍ୱର, ୨୭/୦୬ (ଓଡ଼ିଆ ପୁଅ) : ବିଜେଡି ରାଜ୍ୟବାସୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସର ଅପବ୍ୟବହାର କରୁଛି। ରାଜ୍ୟ ପୋଲିସ କର୍ମଚାରୀଙ୍କୁ ନିଜର ଗୁଣ୍ଡା ପରି ବିଭିନ୍ନ ଘଟଣାରେ ନିୟୋଜିତ କରୁଛି। ଚଳିତ ଜୁନ ୧୩ ତାରିଖ ରାତିରେ ଗଂଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ରାଜେନ୍ଦ୍ର କୁମାର ପ୍ରଧାନଙ୍କୁ ବିଜେଡିର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଭାଇ ତଥା ଆସିକା ସମବାୟ ସମିତିର ବୀରେନ ଆରୁଖଙ୍କ ସହ ବିଜେଡିର ଗୁଣ୍ଡାମାନେ ଯେଭଳି ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ତାଙ୍କ ପତ୍ନୀ ସୁଷମା ପ୍ରଧାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଯେଭଳି ଦୁର୍ବ୍ୟବହାର କରିଛନ୍ତି, ଅପରାଧୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶା ପୋଲିସ ନିର୍ଦ୍ଦେଶକଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଜୁନ ୧୩ ତାରିଖ ରାତିରେ କିଛି ଲୋକ ରାଜେନ୍ଦ୍ର ପ୍ରଧାନଙ୍କ ଘର ପାଖରେ ପହଂଚି ତାଙ୍କୁ ଘରୁ ବାହାରକୁ ଆସିବାକୁ ଡାକିଥିଲେ। ରାଜେନ୍ଦ୍ରଙ୍କ ସ୍ତ୍ରୀ ସୁଷମା ତାଙ୍କ ସ୍ୱାମୀଙ୍କୁ କାହିଁକି ଡାକୁଛନ୍ତି ପ୍ରଶ୍ନ କରିବାରୁ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଆଗରୁ ଉଠିଯିବାକୁ କହିଥିଲେ। ଏହାପରେ ସେମାନେ ରାଜନେ୍ଦ୍ରଙ୍କ ଘରେ ପଶି ତାଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ରାଜେନ୍ଦ୍ରଙ୍କ ସ୍ତ୍ରୀ ସୁଷମା ସେମାନଙ୍କୁ ଚିହ୍ନି ପାରିଥିଲେ। ବିଜେଡି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଭାଇ ତଥା ଆସିକା ସମବାୟ ସମିତିର ସଭାପତି ବୀରେନ ଆରୁଖ ଏବଂ ତାଙ୍କର ସହଯୋଗୀ ବିଜେଡିର ୬ ଜଣ ଗୁଣ୍ଡା ତାଙ୍କ ସ୍ୱାମୀ ରାଜେନ୍ଦ୍ରଙ୍କ ଉପରେ ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ ଓ ଗୁରୁତର ଭାବେ କ୍ଷତାହତ କରିଥିଲେ। ସେହିଦିନ ରାତିରେ ସୁଷମା ଥାନାରେ ବୀରେନ ଆରୁଖ ଓ ତାଙ୍କ ସହଯୋଗୀ ମାନଙ୍କ ନାମରେ ଏତଲା ଦେଲେ। ଏତାଲାରେ ସୁଷମା ଉଲ୍ଲଖ କରିଥିଲେ ତାଙ୍କ ସ୍ୱାମୀଙ୍କ ଜୀବନ ଉପରେ ବିପଦ ଅଛି, ତାଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦିଆଯାଉ। ପୋଲିସ ମଧ୍ୟ ରାଜେନ୍ଦ୍ରଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତି କରିଥିଲା।

ହେଲେ ପରଦିନ ପୋଲିସ ରାଜେନ୍ଦ୍ରଙ୍କୁ ଉକ୍ତ ହସ୍ପିଟାଲରୁ ଗିରଫ କରିଥିଲା। ଯେଉଁ ପୋଲିସ ୧୩ ତାରିଖ ରାତିରେ ସୁଷମା ପ୍ରଧାନ ଦେଇଥିବା ଏତଲା ରଖି ନ ଥିଲା କି ଅପରାଧୀଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିନଥିଲା, ସେହି ପୋଲିସ ପରଦିନ ଅର୍ଥାତ୍ ଜୁନ ୧୪ ତାରିଖରେ ବୀରେନ ଆରୁଖ ଦେଇଥିବା ଏତାଲା ଆଧାରରେ ରାଜେନ୍ଦ୍ର ପ୍ରଧାନଙ୍କୁ ଚିକିତ୍ସିତ ଅବସ୍ଥାରେ ଗିରଫ କଲା କେମିତି ? ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟର ସାଧାରଣ ଜନତା କି ଅସହାୟ ମହିଳାମାନେ ଥାନାରେ ଅଭିଯୋଗ ବା ଆପତି କଲେ ମଧ୍ୟ ପୋଲିସ ସେମାନଙ୍କ କଥାରେ କର୍ଣ୍ଣପାତ୍ କରୁନାହିଁ। ମାତ୍ର ଶାସକ ବିଜେଡିର ନେତା, ମନ୍ତ୍ରୀ ଅଥବା କର୍ମୀମାନେ ଯାହା ବିଷୟରେ ଅଭିଯୋଗ କରୁଛନ୍ତି, ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଏଣୁ ବିଜେପି ପକ୍ଷରୁ ପୋଲିସ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରି କୁହାଯାଇଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୋଲିସ ନିରପେକ୍ଷତା ଅବଲମ୍ବନ ନ କରି ଶାସକ ବିଜେଡି ସପକ୍ଷରେ ଯାଉଛି। ପୋଲିସ ବିଜେଡିର ଗୁଣ୍ଡାଗିରିକୁ ପ୍ରୋତ୍ସାହିତ କରୁଛି। ପୀଡ଼ିତ ରାଜେନ୍ଦ୍ର ପ୍ରଧାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଏବଂ ତାଙ୍କ ସ୍ତ୍ରୀ ସୁଷମାଙ୍କୁ ବୀରେନ ଆରୁଖ ଓ ତାଙ୍କ ସହଯୋଗୀ ବିଜେଡିର ଗୁଣ୍ଡାମାନେ କରିଥିବା ଅଶ୍ଳୀଳ ଓ ଦୁର୍ବ୍ୟବହାର ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯାଉ। ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ବିଜେପିର ଏହି ପ୍ରତିନିଧି ଦଳ।

ଆଜି ବିଜେପି ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ପୋଲିସ ନିର୍ଦ୍ଦେଶକଙ୍କୁ ଭେଟିଥିବା ଏହି ପ୍ରତିନିଧି ମଣ୍ଡଳୀରେ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ସଜ୍ଜନ ଶର୍ମା ଓ ଦିଲୀପ୍ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପିଙ୍କି ପ୍ରଧାନ, ଅନୀତା ଶୁଭଦର୍ଶିନୀ, ପ୍ରଦୀପ ସାହୁ, ରାଜେଶ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *