ଜିଲ୍ଲା ପରିକ୍ରମା

ରାଜ୍ୟ ନେତୃତ୍ୱ ପରିବର୍ତନ ପରେବି ବେପରୁଆ କଂଗ୍ରେସ ନେତା, ଦୁଇଦିନିଆଁ କାର୍ଯ୍ୟକ୍ରମରେ ଆସି ରାତି ଅଧିଆ ଛୁ

ବୌଦ୍ଧ,୧୦ା୦୫(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ରାଜ୍ୟ କଂଗ୍ରେସ ନେତୃତ୍ୱ ପରିବର୍ତନ ପରେ ଜିଲା ପର୍ଯ୍ୟନ୍ତ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ନୂତନ ନେତୃତ୍ୱ ନିଶ୍ଚିତ ଭାବରେ ଦଳରେ କିଛି ପରିବର୍ତନ ଆଣି ଆଗାମୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଦଳୀୟ ନେତା ଓ କର୍ମୀମାନେ ଆଶାବାଦୀ ହୋଇପଡିଛନ୍ତି । ଦୀର୍ଘବର୍ଷ କ୍ଷମତାରୁ ଦୂରେଇ ରହିବା ଫଳରେ ଅନେକ ପୁରୁଖା ଓ ବରିଷ୍ଠ ନେତା ଦଳଛାଡି ଚାଳିଯାଇଥିବାବେଳେ ସେମାନଙ୍କୁ କିପରି ପୁଣିଥରେ ଦଳକୁ ଫେରାଇ ଆଣି ଦଳୀୟ ସଂଗଠନକୁ ମଜଭୁତ କରାଯିବ ତାହାକୁ ନେଇ କଂଗ୍ରେସରେ ମାନସ ମନ୍ଥନ ଆରମ୍ଭ ହୋଇଛି । ଏହି ଆଭିମୁଖ୍ୟ ନେଇ କଂଗେସର ରାଜ୍ୟସ୍ତରୀୟ ନେତାମାନେ ଜିଲାଗସ୍ତ କରି ଦଳୀୟ କର୍ମକର୍ତାଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ମାଝି ଓ ଅଖିଳ ଭାରତୀୟ କଂଗ୍ରେସ କମିଟି ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଅନୀଲ ଚୌଧୁରୀ ଦୁଇ ଦିନିଆଁ ବୌଦ୍ଧଜିଲା ଗସ୍ତରେ ଆସିଥିଲେ । ବୌଦ୍ଧଜିଲା କଂଗ୍ରେସ କମିଟିର ସଭାପତି ନାରାୟଣ ପ୍ରସାଦ ପରିଜା,ସାଧାରଣ ସଂପାଦକ ରାଏ ସଂଜିବ କୁମାର ଦେଓଙ୍କ ସମେତ ବହୁ ସଂଖ୍ୟାରେ ନେତା ଓ କର୍ମୀଙ୍କ ଗହଣରେ ଉଭୟ ନେତାଙ୍କୁ ବୁଟୁପାଲି ଠାରେ ସ୍ୱାଗତ କରି ସ୍ଥାନୀୟ ପାରିଜାତ ପ୍ୟାଲେସ ହୋଟେଲ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ସେଠାରେ ଉଭୟ ନେତା ଜିଲାରେ ଦଳୀୟ ସଂଗଠନ ନେଇ ଜିଲା କର୍ମକର୍ତାଙ୍କ ସମେତ ଯୁବ କଂଗ୍ରେସ,ଛାତ୍ର କଂଗ୍ରେସ, ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ କମିଟିର କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ । ତେବେ ଉଭୟ ନେତା ଦୁଇଦିନିଆଁ ଗସ୍ତରେ ପ୍ରଥମ ଦିନ ଜିଲା କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତା ଓ ପୂର୍ବତନ କର୍ମକର୍ତାଙ୍କ ସହିତ ଆଲୋଚନା କରିବାପରେ ଦ୍ୱତୀୟ ଦିବସରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ଦଳ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା । କିନ୍ତୁ ସନ୍ଧ୍ୟାରେ ପହଂଚି କେବଳ ଦଳୀୟ କର୍ମକର୍ତା ଓ କିଛି ନେତାଙ୍କ ସହିତ ଆଲୋଚନା କରିବା ପରେ ଉଭୟ ନେତା ଦୂର ରାସ୍ତା ଯିବା ଆଳ ଦେଖାଇ ରାତିରେ ଜିଲା ଛାଡି ଚାଲିଯାଇଥିବା ଜଣାଯାଇଥିଲା । ଦ୍ୱତିୟ ଦିବସର କାର୍ଯ୍ୟକ୍ରମ ବାତିଲ ହୋଇଥିବା ନେଇ ଦଳ ପକ୍ଷରୁ ଗଣମାଧ୍ୟମକୁ ପରଦିନ ସକାଳେ ସୂଚନା ଦିଆଯାଇଥିବାବେଳେ ରାଜ୍ୟ ନେତୃତ୍ୱ ପରିବର୍ତନ ପରେ କଂଗ୍ରେସ ନେତାଙ୍କ ବେପରୁଆ ନିତିକୁ ନେଇ ସାଧାରଣରେ ଆଲୋଚନା ବିଷୟ ପାଲଟିଛି । ଯଦି ଦଳୀୟ ନେତା ଓ କର୍ମକର୍ତାଙ୍କ ସହ ଆଲୋଚନା ପରେ ଉଭୟ ନେତାଙ୍କ ଚାଲିଯିବାର ଥିଲା ଦଳ ପକ୍ଷରୁ ଏ ସଂପର୍କରେ କାହିଁକି ଠିକ୍ରେ ସୂଚନା ଦିଆଯାଇନଥିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଉଭୟ ନେତାଙ୍କ ବୌଦ୍ଧ ଗସ୍ତ ପରେ ଜିଲାରେ କଂଗ୍ରେସ ର ନେତୃତ୍ୱ ପରିବର୍ତନ ନେଇ କିଛି ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଆଲୋଚନା ଜୋର ଧରିଥିବାବେଳେ ଦଳର ସାଧାରଣ ସଂପାଦକ ଶ୍ରୀଦେଓ ସେପରି କୌଣସି ଆଲୋଚନା କିମ୍ବା ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ରାଜ୍ୟ ପ୍ରଭାରୀ ଓ କାର୍ଯ୍ୟକାରୀ ସଭାପତି କିଛି ପୁରୁଣା କଂଗ୍ରେସ ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ଆଲୋଚନା କରିପାରନ୍ତି ବୋଲି ପୂର୍ବରୁ ରାଜନୈତିକ ମହଲରେ ହେଉଥିବା କଳ୍ପନା ଜଳ୍ପନା ଉଭୟ ନେତା ରାତି ଅଧିଆ ଜିଲାରୁ ଚାଲିଯିବାପରେ ଅନ୍ତ ଘଟିଛି । ଏହି ଗସ୍ତ ସମୟରେ କଂଟାମାଳ ବ୍ଳକର ଟାଣୁଆ କଂଗ୍ରେସ ନେତା ସୁଧିର ମହାକୁଡ ଓ ପ୍ରଶାନ୍ତ ସାହୁଙ୍କ ସମେତ ବୌଦ୍ଧ ଏନଏସିର ପୂର୍ବତନ ୱାର୍ଡ ସଭ୍ୟା ବିନ୍ଧ୍ୟାବିନୀ ସାହୁ ପ୍ରମୁଖ ସେମାନଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top