ରାଜ୍ୟ ଓ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା ; ସମ୍ବର୍ଦ୍ଧନା ନାଁ ରେ ତାରା ବିରୋଧୀଙ୍କ କୋରାପୁଟଠାରେ ଶକ୍ତି ପ୍ରଦର୍ଶନ; ବିରୋଧି ଦଳ ମୁଖ୍ୟ ସଚେତକ ତାରାଙ୍କୁ ସଭାକୁ ଡକାଯାଇନାହିଁ

କୋରାପୁଟ;ତା୧୮-୦୬-୧୮(ଓଡିଆପୁଅ /ରଂଜନ କୁମାର ଦାସ) ସମ୍ବର୍ଦ୍ଧନା ନାଁ ରେ ତାରା ବିରୋଧୀଙ୍କ କୋରାପୁଟଠାରେ ଶକ୍ତି ପ୍ରଦର୍ଶନ କରାଯାଇଥିବା ଜଣାପଡିଛି।କୋରାପୁଟ ଜିଲ୍ଲାରେ ତାରା ଏବଂ କୃଷ୍ଣ ଓ କୈଳାସ ଗୋଷ୍ଠୀ ସେମାନଙ୍କର ଦଳୀୟ କର୍ମିମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରୁଛନ୍ତି ଏଥିରୁ ଜିଲ୍ଲାରେ କଂଗ୍ରେସ ଦୁଇଫାଳ ହୋଇଯାଉଥିବା ସ୍ପଷ୍ଠ ଅନୁମେୟ ହେଉଥିବା ସାଧାରଣରେ ମତ ପ୍ରକାଶ ପାଇଛି।ଏଥିପୂର୍ବରୁ ଜୟପୁରଠାରେ ପିସିସି ସଭାପତି ନିରଞନ ପଟନାୟକଙ୍କୁ ସମ୍ବର୍ଦ୍ଧନା ଦେଇ ତାରା ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।କୋରାପୁଟଠାରେ କୃଷ୍ଣ ଓ କୈଳାସ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିବା ପରେ ଆସନ୍ତାଦିନରେ କୋରାପୁଟଠାରେ ପିସିସି ମୁଖ୍ୟ ନିରଞନ ପଟନାୟକଙ୍କୁ ନେଇ କୋରାପୁଟଠାରେ ତାରା ଗୋଷ୍ଠୀ ବିରାଟ ଶକ୍ତି ପ୍ରଦର୍ଶନ କରିବେ ବୋଲି ଆଲୋଚ୍ୟର ବିଷୟ ହୋଇପଡିଛି।

ଜୟପୁର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧି କୁହା ଯାଉଥିବା କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ସଗରିଆ ଏବଂ ଲକ୍ଷ୍ମିପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା ସୋମବାର କୋରାପୁଟରେ ଏକ ବିରାଟ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କୋରାପୁଟ ଉପଖଣ୍ଡ ଅନ୍ତର୍ଗତ ତିନୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ନବ ନିଯୁକ୍ତ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଜିଲା ସଭାପତି ମିନାକ୍ଷୀ ବାହିନୀପତି ଓ କାର୍ଯ୍ୟକାରୀ ସଭାପତି ରୂପକ ତୁରୁକଙ୍କୁ ସମ୍ବର୍ଦ୍ଧିତ କରିବା ବୋଲି ବିଧାୟକ ସଗରିଆ ଗଣ ମାଧ୍ୟମକୁ କହିଥିବାବେଳେ ଶ୍ରୀମତି ବାହିନୀପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ତେବେ ବ୍ୟକ୍ତିଗତ କାମ ଥିବା ହେତୁ ସେ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇ ପାରିବେନି ବୋଲି ଶ୍ରୀମତି ବାହିନୀପତି ସୂଚନା ଦେଇଥିବା ବିଧାୟକ ସଗରିଆ କହିଥିବାବେଳେ ତାରା ବାହିନୀପତିଙ୍କ ସହ ସେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଆଲୋଚନା କର ିନ ଥିବା କହିଥିଲେ। ଏପରିକି ଆଜିର ସମାରୋହରେ କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝି ଏବଂ ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ମଧ୍ୟ ଅନୁପସ୍ଥିତ ରହିଥିଲେ। ତେବେ ଜିଲାର କେତେକ ଛାମୁଆ ନେତା ପୂର୍ବତନ ବିଧାୟକ ନିମାଇ ସରକାର, ପୂର୍ବତନ ଜିଲା ପରିଷଦ ସଦସ୍ୟ ପିସିସି ସଭ୍ୟ ଜଗଦିଶ ଖୋସ୍ଲା, ସଦର ବ୍ଲକ ସଭାପତି ବାବୁଲା ବେନ୍ୟା, କଂଗ୍ରେସ ନେତା ପ୍ରୀତମ ପାଡି, ତ୍ରିପତି ପାଣିଗ୍ରାହି, ରମେଶ ବାଙ୍କିଆ, ମନୋଜ ଆଚାର୍ଯ୍ୟ ଯୁବ କଂଗ୍ରେସ ସଭାପତି ପ୍ରମୋଦ ନାଗ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଶିଶିର ମାଦଳା ପ୍ରମୁଖ ଆଜିର ସମାରୋହରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ବିଧାୟକ ସଗରିଆ ଏବଂ କୁଲେଶିକା ୫ ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ନେଇ କୋରାପୁଟ ମାଉସୀ ମାଁ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ମିଶନ କମ୍ପାଉଣ୍ଡ ପଡିଆରେ ସଭା କରିଥିଲେ। କୋରାପୁଟ ବିଧାୟକ ସଗରିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମାବେଶରେ ପ୍ରଦୀପ ମାଝି ଏବଂ ରୂପକ ତୁରୁକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦିଆ ଯାଇଥିଲା। କଂଗ୍ରେସ ଗୋଟିଏ ହୋଇ ରହିଛି, ଦଳରେ କୌଣସି ଫାଟ ନାହିଁ, ଆସନ୍ତା ଦିନରେ କଂଗ୍ରେସ ରାଜ୍ୟରେ ସରକାର ଗଢିବ ବୋଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ବକ୍ତବ୍ୟ ରଖିଥିଲେ। ଯୁବ ନେତୃତ୍ୱରେ ଆଗାମୀ ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ମାଝି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ଜିଲ୍ଲା କଂଗ୍ରେସ ନା କଂଗ୍ରେସର ଅନ୍ୟ ଛାମୁଆ ଦଳ କରିଥିଲେ ତାହା ସନ୍ଦେହରେ ରହିଯାଇଛି।କାରଣ ସଭାରେ ଲଗାଯାଇଥିବା ଗୋଟିଏ ବ୍ୟାନରେ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ଫଟୋ ରହିଥିଲା କିନ୍ତୁ ଆୟୋଜକ ନାମ ନ ଥିଲା।ସେହିପରି ଅନ୍ୟ ଗୋଟିଏ ବ୍ୟାନର ଯୁବ କଂଗ୍ରେସ ସଭାପତି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ରୁପକ ତୁରୁକ ନିଯୁକ୍ତ ପାଇଥିବାରୁ ଧନ୍ୟବାଦ ଦିଆଯାଇଥିଲା। ସୂଚନା ଥାଉକି, ଗୋଟିଏ ଦଳର ବିଧାୟକ ହୋଇ ମଧ୍ୟ ବାହିନୀପତିଙ୍କ ସହ ସଗରିଆ ଓ କୁଲେଶିକାଙ୍କ ସମ୍ପର୍କ ଭଳ ନଥିବା ସମସ୍ତେ ଜାଣନ୍ତି, କିଛି ଦିନ ହେବ ବିଭିନ୍ନ ଘଟଣାକୁ ନେଇ ବାହିନୀପତି ଓ ସଗରିଆଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିଲା। ତେବେ ମିନାକ୍ଷୀ ବାହିନୀପତି ଜିଲା ସଭାପତି ଭାବେ ପୁନର୍ବାର ନିଯୁକ୍ତି ପାଇବା ପରେ ଶ୍ରୀମତି ବାହିନୀପତିଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀକୁ ନେଇ ବିଧାୟକ ସଗରିଆ ଏବଂ କୁଲେଶିକା ପ୍ରଶ୍ନ ଉଠାଇବା ସହ କଟାକ୍ଷ କରିବା ଘଟଣାକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ବଢିଥିଲା।

Leave a Reply

Your email address will not be published. Required fields are marked *