ଓଡ଼ିଶା

ରାଜ୍ୟସରକାର ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ମାଧ୍ୟମରେ ନିଜର ପ୍ରଚାର କରିବା ପ୍ରସଙ୍ଗରେ ମିଥ୍ୟା ତଥ୍ୟର ସୌଦାଗର ବିଜେଡି ସରକାର : ବିଜେପି

– ରାଜ୍ୟର ମୁଖ୍ୟମନ୍ତ୍ରୀ ଠିକ୍ କହୁଛନ୍ତି କି ତାଙ୍କ ସଚିବ ଠିକ୍ କହୁଛନ୍ତି ତାହା ଆଗ ରାଜ୍ୟସରକାର ସ୍ପଷ୍ଟ କରନ୍ତୁ
– ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୪ କୋଟି ୧୯ ଲକ୍ଷ ଲୋକ ବସବାସ କରୁଥିବାବେଳେ ସାଢେ ୪ କୋଟି ଲୋକଙ୍କ ତଥ୍ୟ ରାଜ୍ୟସରକାର ଆଣିଲେ କେଉଁଠୁ ?
– ରାଜ୍ୟସରକାର ବିଜ୍ଞାପନରେ ଦେଇଥିବା ଟୋଲ୍ ଫ୍ରି ନମ୍ବରରେ ବି କୌଣସି ପ୍ରକାରର ସଂଯୋଗ ହୋଇପାରୁନି
– ଆଗାମୀ ଦିନରେ ରାଜ୍ୟ ବିଜେପି ଆଇନର ଆଶ୍ରୟ ନେଇ ଅଦାଲତରେ ତଥ୍ୟ ରଖି ରାଜ୍ୟସରକାରଙ୍କୁ କାଠ ଗଡାରେ ଛିଡା କରିବା ସହ ମିଥ୍ୟା ତଥ୍ୟର ପର୍ଦ୍ଦାଫାଶ କରିବ

ଭୁବନେଶ୍ୱର, ତା ୨୯/୦୮ (ଓଡ଼ିଆ ପୁଅ) : ମିଥ୍ୟା ତଥ୍ୟ ରଖି ଶାସକ ବିଜେଡି ବଡ ବଡ ବିଜ୍ଞାପନ ମାଧ୍ୟମରେ ନିଜର ଆତ୍ମ ପ୍ରଚାର ଚଲାଇଛି। ପୁଣି ଥରେ ବିଜୁ ପକ୍କା ଘର ଯୋଜନାକୁ ନେଇ ରାଜ୍ୟସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି। ରାଜ୍ୟସରକାର ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୧୭ ଲକ୍ଷ କଚା ଘରକୁ ପକ୍କା କରିଥିବା ବିଜ୍ଞାପନ ମାରି ପ୍ରଚାର କରିଥିଲେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ମିଥ୍ୟା ତଥ୍ୟ ଉପରେ ଆଧାରିତ ବୋଲି ବିଭାଗୀୟ ସଚିବ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ତାଙ୍କ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଇନ୍ଦିରା ଆବାସ ଯୋଜନାରେ ୧୬ ଲକ୍ଷ ଘର ହୋଇଛି। ସେହିପରି ବିଜୁ ପକ୍କାଘର ଏବଂ ଖଣି ଓ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ ହୋଇଥିବା ତାଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ପରିପ୍ରେକ୍ଷୀରେ ପକ୍କା ଘର ମାମଲାରେ ମିଛ ତଥ୍ୟକୁ ପ୍ରଚାରିତ କରି କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମିତ ପକ୍କା ଘରକୁ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି। ଏହି ରିପୋର୍ଟ ଅନୁସାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଠିକ୍ କହୁଛନ୍ତି କି ତାଙ୍କ ସଚିବ ଠିକ୍ କହୁଛନ୍ତି ତାହା ଆଗ ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲିି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁସାରେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ବିଜ୍ଞାପନ ମାଧ୍ୟମରେ ପ୍ରଚାର କରିଥିଲେ। ଆଉ ଏବେ ସାଢେ ୪ କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ ବୋଲି ବିଜ୍ଞାପନ ଦେବା ମଧ୍ୟରୁ କେଉଁଟି ଠିକ୍ ତାହା ଆଗ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ରାଜ୍ୟସରକରାଙ୍କ ୱେବସାଇଟରେ ୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ୪ କୋଟି ୧୯ ଲକ୍ଷ ଲୋକ ବସବାସ କରୁଥିବାବେଳେ ସାଢେ ୪ କୋଟି ଲୋକଙ୍କ ତଥ୍ୟ ସରକାର ଆଣିଲେ କେଉଁଠୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ରାଜ୍ୟସରକାରଙ୍କ ବିଜ୍ଞାପନ ଅନୁଯାୟୀ ରାଜ୍ୟର ସାଢେ ୪ କୋଟି ଲୋକ ଉପକୃତ ହେବେ ଅର୍ଥାତ୍ ରାଜ୍ୟର ସମସ୍ତ ପରିବାର ଏହି ଯୋଜନା ଅନୁଯାୟୀ ମାଗଣାରେ ସ୍ୱାସ୍ଥ୍ୟ ସେବା ବିଭିନ୍ନ ସରକାରୀ ଚିକିତ୍ସାଳୟରେ ପାଇବେ। ବିଧାନସଭା ଗୃହରେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟଏକ ପ୍ରଶ୍ନରେ ରାଜ୍ୟସରକାର ଉତର ଦେଇଥିଲେ କି, ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ। ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ। ରାଜ୍ୟରେ ୮୭% ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି ଏବଂ ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ରାଜ୍ୟର ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ପଡିଛି। ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୦୧୬ଟି ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ। ୧୮ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସିୟୁ ବ୍ୟବସ୍ଥା ନାହିଁ। ଯଦି ଏଭଳି ଅବ୍ୟବସ୍ଥାରେ ରାଜ୍ୟର ସ୍ୱାସ୍ଥ୍ୟବସ୍ଥା ଚାଲିଛି ତେବେ ଲୋକମାନେ କିପରି ଏହି ଯୋଜନାର ଲାଭ ଉଠାଇବେ ତାହା ରାଜ୍ୟସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସେହିପରି ରାଜ୍ୟସରକାର ବିଜ୍ଞାପନରେ ଦେଇଥିବା ଟୋଲ୍ ଫ୍ରି ନମ୍ବର ବି କୌଣସି ପ୍ରକାରର ସଂଯୋଗ ହୋଇପାରୁନାହିଁ। ରାଜ୍ୟର ମେଡିକାଲରେ ଡାକ୍ତର ନାହାଁନ୍ତି, ଆସିୟୁ ସୁବିଧା ନାହିଁ, ମାଗଣାରେ ଔଷଧ ମିଳୁନି, ନିଦାନ ଯୋଜନା ବି ଫେଲ୍ ମାରିଛି। ତେବେ ରାଜ୍ୟସରକାର କେମିତି ସମସ୍ତ ପରିବାରକୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବେ? ମିଥ୍ୟା ତଥ୍ୟର ସୌଦାଗର ବିଜେଡି ସରକାରର ମୁଖା ଖୋଲିଯାଇଛି। ଏହାକୁ ବିରୋଦ୍ଧ କରି ଆଗାମୀ ଦିନରେ ରାଜ୍ୟ ବିଜେପି ଆଇନର ଆଶ୍ରୟ ନେଇ ଅଦାଲତରେ ତଥ୍ୟ ରଖି ରାଜ୍ୟସରକାରଙ୍କୁ କାଠ ଗଡାରେ ଛିଡା କରିବା ସହ ମିଥ୍ୟା ତଥ୍ୟର ପର୍ଦ୍ଦାଫାଶ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ସୁକେଶୀ ଓରାମ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top