ରାଜ୍ୟସରକାର ମହିଳାମାନଙ୍କୁ ଭୋଟ ବ୍ୟାଙ୍କର ଆଧାର କରି ବିଜେଡି ଦଳର ସଶକ୍ତିକରଣ ଭାବେ ବ୍ୟବହାର କରୁଛନ୍ତି: ବିଜେପି

ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ସମୀକ୍ଷା ପ୍ରସଙ୍ଗରେ:
– ଗାଁ କୁ କାମ ଏବଂ ମା’ କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଆଚରଣରେ ପୂରା ବିପରୀତ କାର୍ଯ୍ୟ କରୁଛନ୍ତି
– ପ୍ରତି ଏସଏଚଜି ଗ୍ରୁପରେ ୧୦ ସଦସ୍ୟ ହିସାବକୁ ନେଲେ ଦୈନିକ ୨୭୩୦ ଜଣ ମହିଳା ଛାଡୁଛନ୍ତି ନବୀନଙ୍କ ମିଶନ ଶକ୍ତି

ଭୁବନେଶ୍ୱର, ତା୧୫/୦୫ (ଓଡ଼ିଆ ପୁଅ): ରାଜ୍ୟରେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ବିପର୍ଯ୍ୟସ୍ତ ହୋଇ ପଡିଛି। ଗାଁ କୁ କାମ ଏବଂ ମା’ କୁ ସମ୍ମାନର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଆଚରଣରେ ପୂରା ବିପରୀତ କାର୍ଯ୍ୟ କରୁଛନ୍ତି। ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ମହିଳା ସଶକ୍ତି କରଣ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ଆରମ୍ଭ କରିଥିଲେ। ରାଜ୍ୟର ମହିଳା ସଶକ୍ତିକରଣ ପାଇଁ ଯୁଗାନ୍ତକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଂଖ୍ୟାରେ ଦୃତ ହ୍ରାସ ଓ ଗରୀବ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଭେଜାଲ ଓ ନିମ୍ନ ମାନର ହେବା ହାଟରେ ପଡି ଦାଣ୍ଡରେ ଗଡୁଛି। ରାଜ୍ୟ ସରକାର କାମ ନକରି ଏମାନଙ୍କୁ ଭୋଟ ବ୍ୟାଙ୍କର ଆଧାର କରି ବିଜେଡି ଦଳର ସଶକ୍ତିକରଣ ଭାବେ ବ୍ୟବହାର କରୁଛନ୍ତି ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।

୨୦୧୫ରେ ରାଜ୍ୟରେ ୫ ଲକ୍ଷ ୬୩ ହଜାର ୩୩୮ ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ବେଳେ ମାର୍ଚ, ୨୦୧୭ରେ ଏହି ସଂଖ୍ୟା ହ୍ରାସ ପାଇ ୩ ଲକ୍ଷ ୭ ହଜାର ୪୮୦ରେ ପହଂଚିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଯଦି ଏହାକୁ ହିସାବକୁ ନିଆଯାଏ ଦିନକୁ ୨୭୩ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମୁହଁ ଫେରାଉଛନ୍ତି। ପ୍ରତି ଏସଏଚଜି ଗ୍ରୁପରେ ୧୦ ସଦସ୍ୟ ହିସାବକୁ ନେଲେ ଦୈନିକ ୨୭୩୦ ଜଣ ମହିଳା ଛାଡୁଛନ୍ତି ନବୀନଙ୍କ ମିଶନ ଶକ୍ତି। ଏହା ମିଶନ ଶକ୍ତି ରାଜ୍ୟର ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଦାବି ସମ୍ପୂର୍ଣ ଭୁଲ ବୋଲି ପ୍ରମାଣିତ କରୁଛି କି ନାହିଁ ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି।

ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନେଉଥିବା ରିହାତି ଯୁକ୍ତ ଋଣ କୁ ବ୍ୟବସାୟ ଓ ଉତ୍ପାଦନରେ ବିନିଯୋଗ ନ କରି ସାମାଜିକ କାମରେ ଋଣ ଭାବରେ ବ୍ୟବହାର କରୁଥିବା ଓ ଏଥି ପାଇଁ ବିଭିନ୍ନ ମହିଳା ଗୋଷ୍ଠୀ ଓ ଋଣ ଗ୍ରହୀତାଙ୍କ ମଧ୍ୟରେ ବାଦ ବିବାଦ ଓ ସଂଘର୍ଷ ଥାନାରେ ପହଂଚିବାର ରାଜ୍ୟର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଚାଷୀ ଆତ୍ମହତ୍ୟା ପଛରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସେମାନଙ୍କ ଅର୍ଥକୁ ଚଢା ସୁଧରେ ଋଣ ଦେବାର ରିପୋର୍ଟ ମଧ୍ୟ ବିତର୍କିତ ହୋଇଛି। ରିହାତିଯୁକ୍ତ ଋଣ ବିଜେଡି ନେତାଙ୍କ ଦଳୀୟ ଆଧାରରେ ବଂଟନ ଓ ଲାଭଖୋର ମନୋବୃତି ଯୋଗୁ ମହିଳା ସଶକ୍ତିକରଣ ସମ୍ପୂର୍ଣ ବିଫଳ ହୋଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ରାଜ୍ୟରେ ପ୍ରସୁତି ମହିଳା ମାନେ କାନ୍ଧରେ, ଭାରରେ ବେତା, ଟୋକେଇରେ ଡାକ୍ତରଖାନା ବୁହା ହେଉଛନ୍ତି। ଖୋଲା ଆକାଶ ତଳେ ମା ମାଉସୀ ମାନେ ପ୍ରସବ କରୁଥିବା ଘଟଣାରେ ସମ୍ପୂର୍ଣ ଓଡିଆ ଜାତିର ମୁହଁ ଲଜ୍ଜାରେ ପୋତି ହୋଇ ପଡୁଥିବା ବେଳେ ୧୮ ବର୍ଷ ଶାସନରେ କାହିଁକି ମହିଳାଙ୍କ ଏହି ସମ୍ମାନର ପ୍ରସଙ୍ଗକୁ ନବୀନ ବାବୁଙ୍କ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ରାଜ୍ୟରେ ଗାଁ ଗଣ୍ଡାର ଗରୀବ, ମହିଳା ଶିଶୁଙ୍କ ଯତ୍ନ ନେଉଥିବା ଅଙ୍ଗନବାଡି କର୍ମୀଙ୍କୁ ଦେଶର ବିଭିନ୍ନ ରାଜ୍ୟ ସରକାର ସରକାରୀ ଚାକିରିଆର ମାନ୍ୟତା ଓ ଆନୁଷଙ୍ଗିକ ସୁବିଧା ପ୍ରଦାନ କରୁଥିବା ବେଳେ ଓଡିଶା ସରକାର ଏହି ମା ଭଉଣୀ ମାନଙ୍କୁ ମାସେ ପାଖା ପାଖି ଖରା ବର୍ଷାରେ ପକାଇ ନିର୍ଯ୍ୟାତନା ଦେଉଛି। ରାଜ୍ୟ ସରକାର ରକ୍ଷକ ନୁହେଁ ବରଂ ଭକ୍ଷକ ସାଜିଛନ୍ତି ହୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ରାଜ୍ୟରେ ୭୨ ହଜାର ୫୮୭ ମଂଜୁରୀ ପ୍ରାପ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୪୦ ହଜାର ୮୦୫ ନିଜସ୍ୱ ଗୃହ ନାହିଁ। ଏଥି ପାଇଁ କେନ୍ଦ୍ର ସରକାରଙ୍କର ସାଧାରଣ ବ୍ୟବସ୍ଥା ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ବ୍ୟବସ୍ଥା କରୁଥିଲେ ମଧ୍ୟ ଅଙ୍ଗନବାଡିର ଭିତିଭୂମି ସଜାଡିବାରେ ରାଜ୍ୟ ସରକାର ବିଫଳ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ବିଶେଷ ଭାବରେ ଟେକ ହୋମ ରାସନ ବାବଦରେ ପ୍ରଚୁର କେନ୍ଦ୍ରୀୟ ଅର୍ଥ ଉପଲବ୍ଧ ଥିବା ବେଳେ ଶାସକ ଦଳର ଦଳୀୟ କର୍ମୀ ମାନଙ୍କୁ ଏହାର ଠିକା ଦେଇ ନିମ୍ନ ମାନର ଛତୁଆ ଯୋଗାଇ ଦେବା କାରଣରୁ ଓଡିଶାର ଗରୀବ ପିଲା ମାନଙ୍କୁ ଅପପୃଷ୍ଟିର ସାମନା କରିବାକୁ ପଡୁଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

Leave a Reply

Your email address will not be published. Required fields are marked *