ରାଜ୍ୟର ୭ଟି ସହରରେ ଆଜିଠାରୁ ଆରମ୍ଭ ହେଲା MODI ଉତ୍ସବ

କଟକ ୨/୬ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ପ୍ରଥମ ପର୍ଯ୍ୟାୟରେ ଓଡିଶାର ୭ଟି ସହରରେ ଆଜି MODI (Making of Developed India) ଉତ୍ସବ ଆରମ୍ଭ ହୋଇଛି। ଏହି ସ୍ଥାନଗୁଡିକ ହେଲା – ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ଭଦ୍ରକ, ରାଜଗାଙ୍ଗପୁର (ସୁନ୍ଦରଗଡ), ପାରଳାଖେମୁଣ୍ଡି (ଗଜପତି) ଏବଂ ବୌଦ୍ଧ।

ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ଓ କଟକଠାରେ ଆଜି ଆୟୋଜିତ MODI ଉତ୍ସବକୁ ଆନୁଷ୍ଠାନିକ ଭାବେ ବିଧାୟକ ଶ୍ରୀ ବସନ୍ତ ପଂଡା ଉଦ୍ଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଜାତୀୟ ଗଣତାନ୍ତ୍ରିକ ମେଂଟ ସରକାରର ତିନି ବର୍ଷ ପୂର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଏହି ଉତ୍ସବମାନ ଆୟୋଜନ କରାଯାଉଛି। ତିନି ଦିନ ଧରି ଚାଲିବାକୁଥିବା ଏହିସବୁ ଉତ୍ସବରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସଂସ୍କାର କାର୍ଯ୍ୟ, ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ, ଯୋଜନା ଓ ସ୍କିମ ଗୁଡିକ ସମ୍ପର୍କରେ ସାଧାରଣ ଜନତାଙ୍କୁ ଆୟୋଜନ ସ୍ଥଳରେ ଅବଗତ କରାଯାଉଛି। ଉତ୍ସବସ୍ଥଳରେ ଆୟୋଜକ ସଂସ୍ଥା ଜାତୀୟ ଚଳଚିତ୍ର ବିକାଶ ନିଗମ (NFDC) ପକ୍ଷରୁ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଲୋକଙ୍କୁ ପ୍ରଦର୍ଶନୀ, ସୂଚନ କିଓସ୍କ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି। ଜନ କି ବାତ୍ ଜରିଆରେ ସର୍ବସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯାଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ। ଏହାଛଡା ଉପସ୍ଥିତ ଆଗ୍ରହୀ ଜନତାଙ୍କୁ ବିଭିନ୍ନ ମୋବାଇଲ ଆପ୍ ଡାଉନଲୋଡ ପଦ୍ଧତି ବିଷୟରେ ସୂଚନା ସହାୟତା ଦିଆଯାଉଛି। ଲିଖୋ କାଲ କି କାହାଣୀ କାର୍ଯ୍ୟକ୍ରମ ସହ ପ୍ରଧାନମନ୍ତ୍ରୀଙ୍କ ସେଲ୍ଫି ଏବଂ ଲକ୍କି ଡ୍ର ମଧ୍ୟ ଅନୁଷ୍ଠିତ ହେବ MODI ଉତ୍ସବ ଆରମ୍ଭ ହେବ ବୋଲି ଏନଏଫଡିସି ପକ୍ଷରୁ ସୂଚନା ଦିଆଯାଇଛି।

ଯଦିଓ ପ୍ରଥମ ପର୍ଯ୍ୟାୟରେ ୧୦ଟି ସହରରେ ଏହି ଉତ୍ସବ ହେବାର କାର୍ଯ୍ୟକ୍ରମ ଥିଲା ସେଥିରେ କେତେକ ପରିବର୍ତନ କରାଯାଇଛି। ଜାତୀୟ ଚଳଚିତ୍ର ବିକାଶ ନିଗମ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ କେନ୍ଦୁଝର, ନବରଙ୍ଗପୁର ଏବଂ ରାୟଗଡା ସହରରେ MODI ଉତ୍ସବ ୨୩ ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। MODI ଉତ୍ସବ ସହ “ସବ୍ କା ସାଥ ସବ୍ କା ବିକାଶ ସମ୍ମେଳନ”କୁ ମିଶାଇ ମୋଟ ୭୫ଟି କାର୍ଯ୍ୟକ୍ରମ ରାଜ୍ୟରେ ଆୟୋଜନ କରାଯାଉଛି।

Leave a Reply

Your email address will not be published. Required fields are marked *