ରାଜ୍ୟର ୫ମ ମତ୍ସ୍ୟ ପୋତାଶ୍ରୟ ପାଇଁ ୫୦ କୋଟି ଟଙ୍କାର ବଜେଟ୍ ମତ୍ସ୍ୟ ବିଭାଗ ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ରାଜ୍ୟର ୪୮୦ କିମି ସାମୁଦି୍ରକ ଉପକୂଳରେ ୬୭ ଟି ପାରମ୍ପରିକ ମତ୍ସ୍ୟ ଅବତରଣ କେନ୍ଦ୍ର ରହିଛି। ତନ୍ମଧ୍ୟରୁ ୨୮ଟି ଅବତରଣ କେନ୍ଦ୍ର ଓ ୪ଟି ପୋତାଶ୍ରୟ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାବେଳେ ଅନ୍ୟ ଗୁଡିକୁ କ୍ରମାନ୍ୱୟରେ ଅଗ୍ରାଧିକାର ଭିତ୍ତିରେ କରାଯିବା ଯୋଜନା ରାଜ୍ୟ ସରକାରଙ୍କର ରହିଛି। ସେଥିପାଇଁ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଯଥା ଜମି ଅଧିଗ୍ରହଣ, ଉପକୂଳ ଜଂଗଲ ପରିବେଶ ବିଭାଗ ଅନୁମତି ପତ୍ର, ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁମତି ପତ୍ର, ପ୍ରକଳ୍ପ ସାମାଜିକ ତଥା ଆର୍ଥିକ ପରିସଂଖ୍ୟାନ, ପ୍ରକଳ୍ପର ନିବେଶ ଆକଳନ ଓ ଅନୁମୋଦନ କାର୍ଯ୍ୟ ରାଜ୍ୟ ମତ୍ସ୍ୟ ବିଭାଗ ଦ୍ୱାରା ପର୍ଯ୍ୟାୟକ୍ରମେ ଚାଲୁ ରହିଛି। ଅଦ୍ୟାବଧି ବିକଶିତ ହୋଇସାରିଥିବା ୪ଟି ମତ୍ସ୍ୟ ପୋତାଶ୍ରୟ ଯଥା ପାରାଦୀପ, ଧାମରା, ଅସ୍ତରଙ୍ଗ ଓ ଗୋପାଳପୁର କାର୍ଯ୍ୟକ୍ଷମ ଥିବାବେଳେ ନିକଟରେ ବାଲେଶ୍ୱର ଜିଲାର ଚାନ୍ଦପୁର (ବଳରାମଗଡି) ଅବତରଣ କେନ୍ଦ୍ରର ଭିତ୍ତିଭୂମି ବିକାଶ ପୂର୍ବକ ୫ମ ପୋତାଶ୍ରୟର ମାନ୍ୟତା ଦେବା ପାଇଁ ରାଜ୍ୟ ଓ ଭାରତ ସରକାରଙ୍କ ମିଳିତ କାର୍ଯ୍ୟକ୍ରମରେ ସାଗର ମାଳା କାର୍ଯ୍ୟକ୍ରମର ସବୁଜ ବିପ୍ଳବ ଅଧୀନ ସ୍ଥିରୀକୃତ ହୋଇଯାଇଛି। ଏଥି ନିମିତ୍ତ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଚଳିତ ମାସ ୨୦ ତାରିଖରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସଂପୃକ୍ତ ବିଭାଗ ଗୁଡିକରୁ ଉଚ୍ଚସ୍ତରୀୟ ବୈଠକ ବସି ଓଡ଼ିଶା ପାଇଁ ୫୦ କୋଟି ଓ କର୍ଣ୍ଣାଟକ ପାଇଁ ୧୪୦ କୋଟି ଟଙ୍କା ବିନିଯୋଗରେ ମତ୍ସ୍ୟ ପୋତାଶ୍ରୟ ବିକାଶ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ପ୍ରକଳ୍ପ ମଂଜୁରୀ ଓ ଅର୍ଥ ବରାଦ ପାଇଁ ସଂପୃକ୍ତ ମନ୍ତ୍ରଣାଳୟର ଅନୁମୋଦନ ପାଇଁ ପଠାଯାଇସାରିଛି। ପ୍ରକାଶ ଯେ, ବାଲେଶ୍ୱର ଚାନ୍ଦିପୁର (ବଳରାମଗଡି) ମତ୍ସ୍ୟ ଅବତର କେନ୍ଦ୍ର, ପାରାଦୀପ ଠାରେ ରାଜ୍ୟର ଦ୍ୱିତୀୟ ବୃହତ୍ ସାମୁଦି୍ରକ ମତ୍ସ୍ୟ ବାର୍ଷିକ ୧.୫୦ ଲକ୍ଷ ଟନ୍ ସାମୁଦି୍ରକ ମତ୍ସ୍ୟ ଉପାଦନ କରାଯାଇପାରୁଥିବା ବେଳେ ଚାନ୍ଦିପୁର କେନ୍ଦ୍ରରେ ପାଖାପାଖି ୨୨୫ କୋଟି ଟଙ୍କା ମୂଲ୍ୟରୁ ୨୫୦ ହଜାର ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଥାଏ। ଯାହାକି ମୋଟ ଉତ୍ପାଦନର ଏକ ପୃଷ୍ଠାଂଶ। ଏହି ପ୍ରକଳ୍ପ ନିମିତ୍ତ ଜମି ଅଧିଗ୍ରହଣ ଓ ଜଂଗଲ ପରିବେଶ ବିଭାଗର ଅନୁମତି ପତ୍ର ମିଳିସାରିଥିବାବେଳେ ଆଗାମୀ ୨ ବର୍ଷରେ ଏହା କାର୍ଯ୍ୟକ୍ଷମ ହେଲେ ପାଖାପାଖି ୨୦ ହଜାର ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସୁବ୍ୟବସ୍ଥିତ ଭାବରେ ରୋଜଗାରକ୍ଷମ ହେବା ସହିତ ରାଜ୍ୟର ଆର୍ଥିକ ଉନ୍ନତିର ଭାଗୀଦାର ହୋଇପାରିବେ।

Leave a Reply

Your email address will not be published. Required fields are marked *