ରାଜ୍ୟର କୌଣସି ନଦୀ ଜଳ ପ୍ରଦୂଷଣ ମୁକ୍ତ ନୁହେଁ

ଭୁବନେଶ୍ୱର, ୦୫ା୧୨(ଓଡ଼ିଆ ପୁଅ): ଓଡ଼ିଶାରେ ପ୍ରବାହିତ କୌଣସି ନଦୀର ଜଳ “କ’ କିମ୍ବା “ଖ’ ଶ୍ରେଣୀଭୁକ୍ତ ନୁହେଁ। ଏମିତିକି ଅଧିକାଂଶ ନଦୀର ଜଳ ବି “ଗ’ ଶ୍ରେଣୀରୁ ତଳକୁ ରହିଛି। ଏଥିରୁ ରାଜ୍ୟରେ ସମସ୍ତ ନଦୀର ଜଳ ପ୍ରଦୂଷଣ ସଂକ୍ରାନ୍ତରେ ଉଦ୍ବେଗଜନକ ସୂଚନା ମିଳୁଛି। ବିଜେପି ବିଧାୟକ ଦିଲିପ ରାୟଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।

ରାଜ୍ୟରେ ପ୍ରବାହିତ ୧୧ଟି ପ୍ରମୁଖ ନଦୀ ଓ ତାହାର ଶାଖା ତଥା ଉପନଦୀଗୁଡ଼ିକର ୧୨୯ଟି ସ୍ଥାନରେ ଜଳର ଗୁଣାତ୍ମକ ମାନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପରୀକ୍ଷା କରିଥାନ୍ତି। ଚଳିତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମାସରେ ହୋଇଥିବା ପରୀକ୍ଷା ଅନୁଯାୟୀ ୨୨ଟି ସ୍ଥାନରେ ଉଭୟ ବାୟୋକେମିକାଲ୍ ଅକ୍ସିଜେନ୍ ଡିମାଣ୍ଡ (ଡିଓଡି) ଓ ଟୋଟାଲ୍ କୋଲିଫର୍ମ (ଟିସି) ଗୋଟିଏ ସ୍ଥାନରେ କେବଳ ବିଓଡି ଏବଂ ୬୨ଟି ସ୍ଥାନରେ ଟିସି ପରୀକ୍ଷାରୁ ଏହା ଜଣାପଡ଼ିଛି। ତେବେ ଯେଉଁସବୁ ସ୍ଥାନରେ ନଦୀଜଳ “ଗ’ ଶ୍ରେଣୀଭୁକ୍ତ ରହିଛି ସେଠାରେ ପାରମ୍ପାରିକ ପଦ୍ଧତିରେ ବିଶୋଧନ ତଥା ସଂକ୍ରମଣରହିତ କରାଯାଇ ପାନୀୟ ଜଳ ଉତ୍ସ ଭାବେ ବ୍ୟବହାର କରାଯାଉଛି।

ଝାରସୁଗୁଡ଼ାରେ ଇବ୍, ସମ୍ବଲପୁର, କଟକ ଆଦି ସ୍ଥାନରେ ମହାନଦୀ କଟକରେ କାଠଯୋଡ଼ୀ, ଶଙ୍ଖ ତ୍ରାସରେ ସେରୁଆ, ଭୁବନେଶ୍ୱର ଉପକଣ୍ଠରେ କୁଆଖାଇ, ଦୟା ଓ ଗଙ୍ଗୁଆ ନଦୀର ଜଳ “ଗ’ ଶ୍ରେଣୀଠାରୁ ତଳରେ ରହୁଛି। ଏଗୁଡ଼ିକରେ ବିଓଡି ଓ ଟିସି ପରିମାଣ ଅଧିକ ରହିଛି। ସେହିପରି ବିରୂପା, କୁଶଭଦ୍ରା, ଭାର୍ଗବୀ, ମଙ୍ଗଳା, ଗୋବରୀ, କୁସୁମୀ, କଂସାରୀ, ସାବୁଳିଆ, ବଡ଼ଶଙ୍ଖ, ଲୁଣା, ରତ୍ନଚିରା ଆଦି ନଦୀର ଜଳ ମଧ୍ୟ “ଗ’ ଶ୍ରେଣୀଭୁକ୍ତ ହୋଇପାରୁନାହିଁ। ଏଗୁଡ଼ିକରେ ପ୍ରଦୂଷଣ ମାତ୍ରା ଢେର୍ ଅଧିକ। ସେହିପରି ରାଉରକେଲା ନିକଟରେ ଶଙ୍ଖ, କୋଏଲ୍ ଓ ବ୍ରାହ୍ମଣୀ ନଦୀର ଜଳରେ ଟିସି ଓ ବିଓଡି ପରିମାଣ ଢେର୍ ଅଧିକ ରହୁଥିବାରୁ ଏହା “ଗ’ ଶ୍ରେଣୀରୁ ତଳକୁ ରହୁଛି। ତଳମୁଣ୍ଡରେ ମଧ୍ୟ ବଣାଇ, ତାଳଚେର, ଢେଙ୍କାନାଳ, ଧର୍ମଶାଳା, ପଟ୍ଟାମୁଣ୍ଡାଇ ଆଦି ନିକଟରେ ବ୍ରାହ୍ମଣୀର ଜଳ ବେଶ୍ ପ୍ରଦୂଷିତ। ନନ୍ଦିରା, ଖରସ୍ରୋତା, ଗୁରୋଣ୍ଡି ନାଳ, ବଡ଼ଝୋର ନାଳ, କୁନ୍ଦ୍ରା, କୁଶେଇ, କାରୋ ଆଦି ନଦୀର ଜଳ ମଧ୍ୟ “ଗ’ ଶ୍ରେଣୀରୁ ତଳକୁ ରହୁଛି। ବୈତରଣୀର ନଦୀର ଜଳ ଯାଜପୁର, ·ନ୍ଦବାଲି ଆଦି ବିଭିନ୍ନ ସ୍ଥାନରେ ବେଶ୍ ପ୍ରଦୂଷିତ। ଧାମରା, ସାଳନ୍ଦୀ, ଋଷିକୂଲ୍ୟା ନଦୀ ଜଳରେ ମଧ୍ୟ ଟିସି ପରିମାଣ ଢେର୍ ଅଧିକ ପରିମାଣରରେ ରହୁଛି। ନାଗାବଳୀ, ସୁବର୍ଣ୍ଣରେଖା ଆଦିର ଜଳ ବି ପ୍ରଦୂଷିତ। ବାରପଦା ଓ ବାଲେଶ୍ୱରରେ ବୁଢାବଳଙ୍ଗ ଜଳରେ ବି ବିଓଡି ଓ ଟିସି ମାତ୍ରା ଢେର୍ ଅଧିକ। କୋଲାବ ନଦୀର ଜଳ ବି ପ୍ରଦୂଷିତ।

ତେବେ ସଂଖ୍ୟାଧିକ ସ୍ଥାନରେ ନଦୀ ଜଳ ପ୍ରଦୂଷଣ ପାଇଁ ସରକାର ତାଙ୍କ ରିପୋର୍ଟରେ ମାନବୀୟ କାର୍ଯ୍ୟକଳାପ, ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟବସ୍ତୁକୁ ଦାୟୀ କରୁଥିବା ବେଳେ ଖଣି ଖାଦାନ ଓ କଳକାରଖାନା ପାଇଁ କେଉଁଠି ନଦୀଜଳ ପ୍ରଦୂଷିତ ହୋଇଥିବା ଉଲ୍ଲେଖ କରିନାହାନ୍ତି। ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ ଜଳ ହିଁ ଜୀବନ ବୋଲି କୁହାଯାଉଥିବା ବେଳେ ଏବେ ବାସ୍ତବରେ ଆମ ରାଜ୍ୟର ସବୁ ନଦୀର ଜଳ ଜହରରେ ପରିଣତ ହୋଇ ·ଲୁଛନ୍ତି। ଏହି ଭୟଙ୍କର ସମସ୍ୟାର ଅଗ୍ରାଧିକାର ଭିତ୍ତିରେ ପ୍ରତିକାର କରାନଗଲେ ଓଡ଼ିଶାରେ ଆହୁରି ଅଧିକ ରୋଗବ୍ୟାଧି ବ୍ୟାପିବା ସହିତ ଶସ୍ୟ ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ରାଜ୍ୟର ସମସ୍ତ ନଦୀ ନାଳ ଓ ଜଳ ଉତ୍ସକୁ ପ୍ରଦୂଷଣ ମୁକ୍ତ ରଖିବା ଲାଗି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଗଣ ଅଭିଯାନ ପାଇଁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *