ରାଜ୍ୟରେ ହାତୀ ଆତଙ୍କ ୧ ମୃତ: ଘର ଭାଙ୍ଗିଲା

ଢେଙ୍କାନାଳ/ମୟୁରଭଞ୍ଜ ୪-୩ (ଓଡ଼ିଆ ପୁଅ): ଓଡ଼ିଶାର ଦୁଇଟି ଅଲଗା ଅଲଗା ଜିଲ୍ଲାରେ ହାତୀ ଆତଙ୍କର ଖବର ପ୍ରାପ୍ତ ହୋଇଛି। ସୂଚନାନୁଯାୟୀ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇ ଥିବାବେଳେ ଗୋଟିଏ ଘର ଏବଂ ସ୍କୁଲଘର ଭାଙ୍ଗି ଯାଇଛି।

ମିଳିଥିବା ସୂଚନା ଅନୁସାରେ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଯାକ୍କା ଗ୍ରାମର ଗଦାଧର ମହାରଣା ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ମାରିଦେଇଛି। ସେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କୁ ହାତୀ ଦଳିଚକଟି ଶୁଣ୍ଢରେ ଫୋପାଡ଼ି ମାରି ଦେଇଥିବା ଜଣାପଡ଼ିଛି। ସୂଚନା ପାଇ ଢେଙ୍କାନାଳ ବନ ସଂରକ୍ଷକ ବିକ୍ରମ ନାଏକଙ୍କୁ ଅଟକ ରଖି ଗ୍ରାମବାସୀମାନେ ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦାବି କରିଥିଲେ। ପରେ ପରେ ଉତ୍ତ୍ୟକ୍ତ ଲୋକେ ଅଁଳାବାରେଣୀସ୍ଥିତ ବନ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଢେଙ୍କାନାଳ ବନ ବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେବାପରେ ଧାରଣା ହଟିଥିଲା।

ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ଖେଜୁରୀ ଗ୍ରାମରେ ଗୋଟିଏ ଦନ୍ତା ଗ୍ରାମ ଭିତରକୁ ପଶିଆସି ଲୋକଙ୍କ ଘର ଭାଙ୍ଗିଦେଇଛି ଏବଂ ଗୋଟିଏ ବିଦ୍ୟାଳୟକୁ ଭାଙ୍ଗି ମଧ୍ୟାହ୍ନଭୋଜନ ପାଇଁ ରଖା ଯାଇଥିବା ଚାଉଳ ନଷ୍ଟ କରିଦେଇ ଥିବାର ଖବର ମିଳିଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *