ରାଜ୍ୟରେ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି : ବିଜେପି

– ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସମବାୟ ବ୍ୟାଙ୍କକୁ ଛାଡିଦେଲେ ଅନ୍ୟ ସମସ୍ତ ଶୀର୍ଷ ସମବାୟ ସଂସ୍ଥା ବନ୍ଦ ହେବାକୁ ବସିଲାଣି
– ରାଜ୍ୟ ସରକାରଙ୍କ ଆଳୁ ମିଶନ ଏବଂ ପିଆଜ ମିଶନ ସଂପୂର୍ଣ୍ଣ ଫେଲ୍ ମାରିଛି
– ରାଜ୍ୟରେ କୃଷି ଋଣ କୃଷକ ପାଖକୁ ନଯାଇ ବାଟମାରଣା ହେଉଛି

ଭୁବନେଶ୍ୱର, ତା.୧୨/୦୫(ଓଡ଼ିଆ ପୁଅ): ରାଜ୍ୟରେ ସମବାୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି। କେବଳ ରାଜ୍ୟ ସମବାୟ ବ୍ୟାଙ୍କକୁ ଛାଡିଦେଲେ ପ୍ରାୟ ସମସ୍ତ ଶୀର୍ଷ ସମବାୟ ସଂସ୍ଥା ବନ୍ଦ ହେବାକୁ ବସିଲାଣି। ଏପରିକି ରାଜ୍ୟ ସମବାୟ ବ୍ୟାଙ୍କକୁ ମଧ୍ୟ ଚକ୍ରାନ୍ତ କରି ବନ୍ଦ କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ବହୁ ଦୁର୍ନୀତିରେ ଜଡିତ ଏହି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ନାଁରେ ଭିଜିଲାନ୍ସ କେସ୍ ନ ହେବା, ଅବସର ପରେ ଚାକିରୀ କାଳ ଆଉ ଗୋଟିଏ ବର୍ଷ ବୃଦ୍ଧି କରିବା ଏଭଳି ସନ୍ଦେହକୁ ଆହୁରି ଦୃଢୀଭୁତ କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ରାଜ୍ୟ ସରକାର ଆଳୁ ମିଶନ, ପିଆଜ ମିଶନ ଭଳି ଅନେକ ସୁନେଲି ସ୍ୱପ୍ନ ଦେଖାଇ ସାରିଛନ୍ତି। ଆଳୁ ମିଶନର ସଫଳତା, ପିଆଜର ଅଭାବୀ ବିକ୍ରିକୁ ରୋକିବା ସହ ସବୁଜ ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାରର ବ୍ୟବହାର ମାଧ୍ୟମରେ ଚାଷୀ ତା ଅମଳର ଉପଯୁକ୍ତ ମୂଲ୍ୟ ପାଇ ପାରିବ। କୃଷିର ସଫଳତା ପାଇଁ ଶୀତଳ ଭଣ୍ଡାର ଗୁରୁତ୍ୱକୁ ଉପଲବ୍ଧି କରି ଗତ ଅଗଷ୍ଟ ୨୦ତାରିଖ ୨୦୧୫ ମସିହାରେ ରାଜ୍ୟରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଭର ପ୍ରତିଶୃତି ଦେଇଥିଲେ। ମାତ୍ର ୨୦୦୦ ମସିହାରେ ସମବାୟ ବିଭାଗର ୫ଟି ସଚଳ ଓ ୧୨ଟି ଅଚଳ ଶୀତଳ ଭଣ୍ଡାର ଥିଲା ବେଳେ, ଆଜି ସେହି ୫ଟି ସଚଳ ଓ ୧୩ଟି ଅଚଳ ଶୀତଳ ଭଣ୍ଡାର ରହିଥିବା ସ୍ୱୀକାର କରି ନିଜ ଅପାରଗତାକୁ ମୁଖ୍ୟମନ୍ତ୍ରୀ ପ୍ରମାଣିତ କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାର ଯେଉଁ ବେସରକାରୀ ସଂସ୍ଥା ମାନଙ୍କୁ ଡାକି ଶୀତଳ ଭଣ୍ଡାର ନିର୍ମାଣର ପ୍ରୟାସ କରିଛନ୍ତି, ସେମାନଙ୍କୁ ବିଜୁଳି ଯୋଗାଇ ଦେଇନଥିବା କାରଣରୁ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ। ଏହି ତଥ୍ୟକୁ ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିବେ କି ବୋଲି ଶ୍ରୀ ମହାପାତ୍ର ଆହ୍ୱାନ କରିଛନ୍ତି।

ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ ପ୍ରତି କ୍ୱିଂଟାଲରେ କ୍ରୟ ସମୟରେ ୨ କିଲୋରୁ ୪ କିଲୋ କାଟିବା କାରଣରୁ ମିଲର ମାନଙ୍କୁ ୩୦୫ କୋଟି ଟଙ୍କା ଲାଭ ହୋଇଛି ବୋଲି ସିଏଜି ସ୍ପଷ୍ଟ କରିଛନ୍ତି। ଏହା ସତ୍ୱେ ଚାଷୀଙ୍କୁ ଶୋଷଣ କରୁଥିବା ଅସାଧୁ ମିଲରମାନଙ୍କ ବିରୁଦ୍ଧରେ ରାଜ୍ୟ ସରକାର କାହିଁକି ପଦକ୍ଷେପ ନେଉ ନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ସିଏଜିଙ୍କ ଆକଳିତ ୩୦୫ କୋଟି ଟଙ୍କାରୁ କାହା ପକେଟକୁ କେତେ ଯାଇଛି ତାହାର ହିସାବ ବିଭାଗୀୟ ମନ୍ତ୍ରୀ ରଖିବେ କି ବୋଲି ମଧ୍ୟ ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ରାଜ୍ୟ ସରକାର ୨୦୦ଟି କୃଷକ ବଜାର କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଗତ ୧୭ ବର୍ଷରେ ମାତ୍ର ୪୩ଟି କୃଷକ ବଜାରର ସ୍ଥାପନା କରି ପାରିଛନ୍ତି। ସେଥି ମଧ୍ୟରୁ ୧୫ଟି ବନ୍ଦ ହୋଇ ସାରିଛି ଓ କେବଳ ୨୮ଟି ଚାଲୁଥିବା ସରକାରୀ ତଥ୍ୟ ସାମ୍ନାକୁ ଆସିଛି। ତେବେ ଆଗାମୀ ଦିନରେ କୃଷକ ବଜାରର ଭବିଷ୍ୟତ କଣ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି।

ରାଜ୍ୟରେ କୃଷି ଋଣ କୃଷକ ପାଖକୁ ନଯାଇ ବାଟମାରଣା ହେଉଛି। ଏ ନେଇ ପୂର୍ବତନ ସମବାୟ ମନ୍ତ୍ରୀ ଡା. ରାଉତ ଓ ବର୍ତମାନର ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କଥା କଟାକଟି ହୋଇଛନ୍ତି। ରାଜ୍ୟରେ ପ୍ରକୃତ ଚାଷୀ କିଏ ଓ ଋଣ ପାଇଁ କିଏ ହକଦାର ତାର ତାଲିକା କାହିଁକି ପ୍ରସ୍ତୁତ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ତାହା ସ୍ପଷ୍ଟ କରନ୍ତୁ।

ଏକ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ପ୍ରଦାନ ସମ୍ପର୍କରେ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ମଧ୍ୟପ୍ରଦେଶ ଓ ଛତିଶଗଡ ଭଳି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ଋଣ ଦିଆ ଯାଉଥିବା ରାଜ୍ୟ ସମବାୟ ମନ୍ତ୍ରୀଙ୍କୁ ଜଣା ଅଛି କି ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ରାଜ୍ୟରେ ସ୍ୱଳ୍ପକାଳୀନ କୃଷି ଋଣ ସଠିକ ସମୟରେ ପୈଠ କଲେ ଚାଷୀ ଏକ ପ୍ରତିଶତ ସୁଧ ଦେଉଥିବା ବେଳେ, ରାଜ୍ୟ ମାତ୍ର ୩ ପ୍ରତିଶତ ଓ ଅବଶିଷ୍ଟ କେନ୍ଦ୍ର ସରକାର ବହନ କରୁଥିବା ତଥ୍ୟ ମନ୍ତ୍ରୀ ସର୍ବ ସାଧାରଣରେ ସ୍ପଷ୍ଟ କରିବେ କି ?

ପ୍ରତି ଗାଁରେ କୃଷକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ପ୍ରତି ପଂଚାୟତରେ ପଣ୍ୟଗାର ନିର୍ମାଣ ପାଇଁ ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ପାଣିରେ ଗାର ପାଲଟିଛି। ଏହି ପ୍ରତିଶୃତି କେବେ ପୂରଣ ହେବ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟର ୩.୨ କୋଟି ଲୋକଙ୍କୁ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି। ଏକ ଟଙ୍କା ମୂଲ୍ୟରେ ଚାଉଳ ଯୋଗାଇ ଦେବା କଥା ରାଜ୍ୟ ସରକାର ବିଜ୍ଞାପନର ମାଧ୍ୟମରେ ପ୍ରଚାର କରୁଥିଲା ବେଳେ ଗାଁ-ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ତାଲିକାରୁ ବାଦ୍ ପଡିଛନ୍ତି। ଯୋଗ୍ୟହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିବା ଗରୀବ ଲୋକଙ୍କର ହକ୍ ଓ ଅଧିକାରର ହତ୍ୟା। ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଧାର ସଂଯୁକ୍ତ କରି ସେମାନଙ୍କର ବ୍ୟାଙ୍କ ଆକାଉଂଟରେ ରିହାତି ଅର୍ଥ ପ୍ରଦାନ କରି ଦୁର୍ନୀତିକୁ ଶେଷ କରିବାକୁ ରାଜ୍ୟ ସରକାର କାହିଁକି ଅମଙ୍ଗ ହେଉଛନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *