ରାଜ୍ୟରେ ତେଲ ଦର ବୃଦ୍ଧି ପାଇଁ ରାଜ୍ୟ ସରକାର ଦାୟୀ – ବୌଦ୍ଧ ଜିଲା ବିଜେପି

ବୌଦ୍ଧ, ୦୯ା୦୯(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ପେଟ୍ରୋଲ ଭଳି ଜାତୀୟ ପଦାର୍ଥ ଉପରେ ଦେଶରେ ସର୍ବାଧିକ ଭାଟ ଲାଗୁ କରୁଥିବା ୪ ଟି ସର୍ବଶ୍ରେଷ୍ଠ ରାଜ୍ୟ ମଧ୍ୟରେ ଓଡିଶା ଅନ୍ୟତମ। ୪ ଟି ରାଜ୍ୟକୁ ବାଦ ଦେଲେ ଦେଶରେ ଅନ୍ୟ ରାଜ୍ୟରେ ଭାଟ କମ ଥିବାରୁ ଲୋକେ କମ ଦରରେ ପେଟ୍ରୋଲ ଡିଜେଲ କିଣିପାରୁଥିବା ବେଳେ ଓଡିଶାର ବିଜେଡି ସରକାରଙ୍କ ଜନବିରୋଧି ନିତୀ ଯୋଗୁଁ ଓଡିଶାବାସୀ ଶୋଷିତ ହେଉଛନ୍ତି ବୋଲି ବୌଦ୍ଧ ଜିଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ବୌଦ୍ଧ ପୁର୍ତ୍ତ ବିଭାଗ ବଙ୍ଗଳା ଠାରେ ଜିଲା ବିଜେପି ପକ୍ଷରୁ ଉପସଭାପତି ଚିତରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇ ତୈଲ ଦର ବୃଦ୍ଧି ର କୁମ୍ଭୀର କାନ୍ଦଣା ବନ୍ଦ କରି ରାଜ୍ୟ ସରକାର ଭାଟ ଦର ହ୍ରାସ କରିବାକୁ ଦାବି କରାଯାଇଛି। ୨୦୧୪ ରେ କେନ୍ଦ୍ର ସରକାର ତୈଳ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରିଥିବାବେଳେ ତକ୍ରାଳୀନ ଅର୍ଥମନ୍ତ୍ରୀ ପ୍ରଦିପ କୁମାର ଅମାତ ରାଜ୍ୟରେ ତେଲ ଦର ଉପରେ ୨୧ ରୁ ୨୬ ପ୍ରତିଶତ ଭାଟ ବୃଦ୍ଧି କରିଥିଲେ। ତେବେ କେନ୍ଦ୍ର ତୈଳ ଦର କମାଉଥିବାବେଳେ ରାଜ୍ୟ ସରକାର କେଉଁ ସ୍ୱାର୍ଥରେ ଭାଟ ବୃଦ୍ଧି କରିଥିଲେ ତାହା ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଉ ବୋଲି ଜିଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏବେ ମଧ୍ୟ ଦେଶରେ ଅନେକ ରାଜ୍ୟରେ ତୈଳ ଉପରେ ଭାଟ ଦର ୧୩ ରୁ ୧୭ ପ୍ରତିଶତ ରଖିଥିବାବେେଳେ ଓଡ଼ିଶା ସରକାର ଭାଟ ବୃଦ୍ଧି କରି ବାର୍ଷିକ ୬ ହଜାର ୭୦ କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି। ତେବେ ଅନ୍ୟ ରାଜ୍ୟ ଗୁଡିକରେ ତୈଳ ଦର ବୃଦ୍ଧି କୁ ନେଇ ନିରବତା ରହିଥିବାବେଳେ ଓଡ଼ିଶା ରେ ଏହି ଆନ୍ଦୋଳନ ନାଟକ କାହିଁକି ବୋଲି ବିଜେପି ପକ୍ଷରୁ ପାଲଟା ପ୍ରଶ୍ନ କରାଯାଇଛି ଏବଂ ଏହାର ଉତ୍ତର ରାଜ୍ୟ ସରକାର ଦେବାକୁ ବିଜେପି ଦାବି କରିଛି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଓମ୍ପ୍ରକାଶ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୁଗଳ କିଶୋର ସାହୁ, କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଡା. ରବିନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *