ଓଡ଼ିଶା

ରାଜ୍ୟରେ ଆରମ୍ଭ ହେବ ଉନ୍ନତମାନର ବିସ୍ତୃତ କ୍ୟାନସର ଚିକିତ୍ସା କାର୍ଯ୍ୟକ୍ରମ: ଓଡିଶା ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ

ଭୁବନେଶ୍ୱରରେ ପ୍ରତିଷ୍ଠିତ ହେବ ଏକ ଅତ୍ୟାଧୁନିକ କ୍ୟାନସର ହସ୍‌ପିଟାଲ

ଭୁବନେଶ୍ୱର ୬ ମଇ (ଓଡ଼ିଆ ପୁଅ) ରାଜ୍ୟରେ ସୁଲଭ ମୂଲ୍ୟରେ ଉନ୍ନତମାନର କ୍ୟାନସର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କର କ୍ରମାଗତ ଉଦ୍ୟମର ଅଂଶ ବିଶେଷ ରୂପେ ଆଜି ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରତନ ଟାଟାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।

ଏହି ବୁଝାମଣାପତ୍ର ଅନୁଯାୟୀ ଟାଟା ଟ୍ରଷ୍ଟ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ କ୍ୟାନସର ଚିକିତ୍ସା ଓ ଗବେଷଣା କେନ୍ଦ୍ର ସ୍ଥାପନ କରି ଏହାକୁ ପରିଚାଳିତ କରିବ। ଭୁବନେଶ୍ୱରର ଏହି କ୍ୟାନସର ଚିକିତ୍ସା କେନ୍ଦ୍ରର ମାନ ମୁମ୍ବାଇର ଟାଟା ମେମୋରିଆଲ ହସ୍‌ପିଟାଲରେ ଯୋଗାଇ ଦିଆଯାଉଥିବା ସେବାର ସମକକ୍ଷ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ବିନା ମୂଲ୍ୟରେ ଯୋଗାଇଦେବେ।

ବୁଝାମଣା ପତ୍ର ଅନୁଯାୟୀ ଏହି ବିସ୍ତୃତ କ୍ୟାନସର ସେବା କାର୍ଯ୍ୟକ୍ରମ ଏକ ତ୍ରିସ୍ତରୀୟ ନେଟୱାର୍କ ଦ୍ବାରା ପରିଚାଳିତ ହେବ। ଏହି ବ୍ୟବସ୍ଥାରେ ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଥିବା କ୍ୟାନସର ହସ୍‌ପିଟାଲ ଓ କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର ହସ୍ପିଟାଲ ସର୍ବୋଚ୍ଚ କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ରାଜ୍ୟର ମେଡିକାଲ କଲେଜ ଓ ଜିଲ୍ଲାସ୍ତରୀୟ ହସ୍ପିଟାଲ ଗୁଡିକରେ ଉଚ୍ଚକୋଟୀର ଡାଇଗ୍ୟାଷ୍ଟିକ ଓ କେମୋଥେରାପିର ସୁବିଧା ପ୍ରଦାନ କରାଯିବ ଏବଂ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାସ୍ତରୀୟ ହସ୍‌ପିଟାଲରେ ଏହିସବୁ ସୁବିଧା ସହିତ ରେଡିଓଥେରାପି ସେବାର ସୁବିଧା ମଧ୍ୟ ରହିବ। ଏହାଦ୍ୱାରା ଏକ ରାଜ୍ୟବ୍ୟାପୀ କ୍ୟାନସର ଚିକିତ୍ସା ନେଟୱାର୍କ ପ୍ରତିଷ୍ଠା ହୋଇପାରିବ ଏବଂ କ୍ୟାନସର ଚିକିତ୍ସାକୁ ଲୋକଙ୍କ ନିକଟତର କରାଯାଇପାରିବ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉପଦେଷ୍ଟା କମିଟି ଗଠନ କରାଯାଇ ଏଥିରେ କ୍ୟାନସର ଚିକିତ୍ସା କାର୍ଯ୍ୟକ୍ରମର ପ୍ରାଥମିକତା ଗୁଡ଼ିକ ନିର୍ଣ୍ଣୟ କରିବା ପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ବୁଝାମଣା ଅନୁଯାୟୀ ରାଜ୍ୟର ଏହି ନୂତନ କ୍ୟାନସର ଚିକିତ୍ସା ନେଟୱାର୍କକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଉପଦେଷ୍ଟା କମିଟି ଏକ ସ୍ଵତନ୍ତ୍ର ପ୍ରୋଗ୍ରାମ ମ୍ୟାନଜମେଣ୍ଟ ଏଣ୍ଟିଟି ସୁପାରିଶ କରିବ। ଏହି ପ୍ରୋଗ୍ରାମ ମ୍ୟାନଜମେଣ୍ଟ ଏଣ୍ଟିଟିରେ ଉଭୟ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟର ଅଧିକାରୀମାନେ ସଦସ୍ୟଭାବେ କାର୍ଯ୍ୟ କରିବେ।

ଏହି କାର୍ଯ୍ୟକ୍ରମରେ କ୍ୟାନସର ଚିକିତ୍ସା ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆଗାମୀ ୫ ବର୍ଷରେ ୮୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏଥିରେ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ବିନିଯୋଗ କରିବା ବେଳେ ଟାଟା ଟ୍ରଷ୍ଟ ପକ୍ଷରୁ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହାସହିତ ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ଆବଶ୍ୟକୀୟ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଏବଂ ଗରୀବ ଲୋକଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ କରିବାପାଇଁ ବ୍ୟବସ୍ଥା କରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ରାଜ୍ୟରେ କ୍ୟାନସର ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଜିଲ୍ଲା ହଟାଲ ଗୁଡିକର ଉନ୍ନତିକରଣ, ଡାକ୍ତର ଓ ଷ୍ଟାଫ ନିଯୁକ୍ତି ସହିତ ସମସ୍ତ ୩୦ଟି ଜିଲ୍ଲାରେ କେମୋଥେରାପିର ବ୍ୟବସ୍ଥା କରାଯାଇଛି। ଏହି ବିସ୍ତୃତ କାର୍ଯ୍ୟକ୍ରମ ରାଜ୍ୟରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ଉନ୍ନତି ଆଣିପାରିବ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ରତନ ଟାଟା କହିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି। ଚିକିତ୍ସା କ୍ଷେତ୍ରରେ କ୍ୟାନସର ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଟାଟା ଟ୍ରଷ୍ଟ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଥିବା ଏହାର ଜ୍ଞାନ ଓ ଅଭିଜ୍ଞତାକୁ ନେଇ ଅତ୍ୟାଧୁନିକ ଚିକିତ୍ସା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସହଯୋଗ କରିବ। ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ। ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏହି କାର୍ଯ୍ୟକ୍ରମ ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀ ରତନ ଟାଟାଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ବୁଝାମଣା ପତ୍ରଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଡଃ ପ୍ରମୋଦ କୁମାର ମେହେର୍ଦା ଏବଂ ଟାଟା ଟ୍ରଷ୍ଟର ମ୍ୟାନେ ଟ୍ରଷ୍ଟି ଶ୍ରୀ ଆର୍. ଭେଙ୍କଟରମଣଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଲର୍ଡ଼ ମର୍ମାନ ପିଷ୍ଟର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଗଣ ଏବଂ ଟାଟା ଟ୍ରଷ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top