ଓଡ଼ିଶା

ରାଜ୍ୟପାଳଙ୍କୁ ଭେଟିଲା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼: ସାମ୍ବାଦିକମାନଙ୍କ ପାଇଁ ପେନ୍ ସନ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି

ଭୁବନେଶ୍ୱର, ୪-୯ (ଓଡ଼ିଆ ପୁଅ) : ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା କରିବା ଏବଂ ଦଳିତ, ଅବହେଳିତ ଲୋକଙ୍କ ଅଭାବ ଅସୁବିଧା ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବର୍ଷ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ରାଜ୍ୟର ସାମ୍ବାଦିକମାନେ ରାଜ୍ୟରେ ଅର୍ଥନୈତିକ ଦୃଷ୍ଟିରୁ ଅବହେଳିତ ହୋଇ ରହିଛନ୍ତି। ବିଶେଷକରି କାର୍ଯ୍ୟରୁ ଅବସର ନେବା ପରେ ସେମାନଙ୍କ ପାଇଁ ସରକାର କୌଣସି ଅର୍ଥନୈତିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିନଥିବାରୁ ସେମାନଙ୍କ ଆର୍ଥିକ ପରିସ୍ଥିତି ବେଳେବେଳେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ଗୁରୁତର ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ସୋମବାର ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ସାକ୍ଷାତ କରି ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ପେନ୍ ସନ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇଥିବା ଏକ ୭ଜଣିଆ ପ୍ରତିନିଧି ଦଳ ପୂର୍ବାଞ୍ଚଳ ଉପାଧ୍ୟକ୍ଷ ଅରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମହାନ୍ତି, ବୈଷ୍ଣବ ଜେନା ଓ ବିବେକାନନ୍ଦ ଜେନା ସୋମବାର ମଧ୍ୟାହ୍ନରେ ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ଭେଟି ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ୫ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ରରେ ସାମ୍ବାଦିକମାନଙ୍କ ଆର୍ଥିକ ସୁରକ୍ଷା ପାଇଁ କୋଲକତା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର, କେରଳ ଓ ତେଲେଙ୍ଗାନା ଆଦି ପ୍ରଦେଶରେ କାର୍ଯ୍ୟକାରୀ ହେଉଥିବା ପେନସନ ଯୋଜନା ଭଳି ଓଡ଼ିଶା ପ୍ରଦେଶରେ ତୁରନ୍ତ ପେନ୍ ସନ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି କରିବା ସହିତ ଖବର ସଂଗ୍ରହ ନିମନ୍ତେ ଯାତାୟାତ ପାଇଁ ସାମ୍ବାଦିକମାନଙ୍କୁ ଉଭୟ ସରକାରୀ ଓ ବେସରକାରୀ ବସ୍ ରେ ମାଗଣାରେ ବସ୍ ପାସ୍ ଯୋଗାଇ ଦେବା, ରାଜଭବନ ଟେଲିଫୋନ୍ ଡ଼ିରେକ୍ଟୋରୀରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଘର ଠିକଣା ଓ ଟେଲିଫୋନ୍ ନମ୍ବର ଅନ୍ତର୍ଭୁକ୍ତ କରିବା, ଯେଉଁ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ସରକାରୀ ବାସଗୃହ ଯୋଗାଇ ଦିଆଯାଇ ନାହିଁ, ସେମାନଙ୍କୁ ତୁରନ୍ତ ବାସଗୃହ ଯୋଗାଇ ଦେବାକୁ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଦାବି କରାଯାଇଛି।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ସାମ୍ବାଦିକମାନଙ୍କ ଏକ ବିଶିଷ୍ଟ ସଂଗଠନ ହେବା ସଙ୍ଗେ ସଙ୍ଗେ ଏହି ସଂଗଠନର ବିଭିନ୍ନ ଶାଖା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବଂ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟ କରୁଥିବାରୁ ଏହି କାର୍ଯ୍ୟକୁ ସୁଚାରୁରୂପେ ଓ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ୱରଠାରେ ଏକ ସରକାରୀ ବାସଗୃହ ଏହାର କାର୍ଯ୍ୟାଳୟ ପାଇଁ ଯୋଗାଇ ଦେବାକୁ ରାଜ୍ୟପାଳ ଶ୍ରୀ ଲାଲଙ୍କୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ରାଜ୍ୟର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟପାଳ ଏହି ୫ ଦଫା ଦାବିଗୁଡ଼ିକୁ ସହୃଦୟତାର ସହ ବିଚାର କରିବେ ବୋଲି ପ୍ରତିନିଧି ଦଳଙ୍କ ସହ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top