ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ଗସ୍ତ

ଫୁଲବାଣୀ ୦୯.୧୧ (ଓଡ଼ିଆ ପୁଅ/ଅଶୋକ ମହାନ୍ତି): ଓଡ଼ିଶା ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଡା. ଚନ୍ଦ୍ର ଶେଖର କୁମାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ଶତକଡ଼ା କେତେଭାଗ ସମ୍ପୂର୍ଣ୍ଣ ହୋଇଛି ଓ କେତେଭାଗ ଅସମ୍ପୂର୍ଣ୍ଣ ରହିଛି ଏବଂ ଅସମ୍ପୂର୍ଣ୍ଣ ରହିବାର କାରଣ ଓ ଏହାର ସମାଧାନ ସମ୍ପର୍କରେ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଏହି କ୍ରମରେ, ପାନୀୟ ଜଳ, ପାଇପ୍ ଜଳ ଓ ବାହ୍ୟ ମଳ ତ୍ୟାଗ ଅଞ୍ଚଳ ଉପରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତଥ୍ୟ ପ୍ରଦାନ କରିଥିଲେ। ଘୁ.ଉଦୟଗିରି ବ୍ଲକ ସମ୍ପୂର୍ଣ୍ଣ ବାହ୍ୟ ଶୌଚ ମୁକ୍ତ ବ୍ଲକ ଭାବେ ଘୋଷଣା ହୋଇଥିବାବେଳେ ଜାନୁଆରୀ ୨୦୧୮ ସୁଦ୍ଧା ବାଲିଗୁଡ଼ା, କ.ନୂଆଗାଁ, ଟିକାବାଲି ଏବଂ ଫୁଲବାଣୀ ବ୍ଲକ୍କୁ ଏବଂ ମାର୍ଚ୍ଚ ୨୦୧୮ ସୁଦ୍ଧା ଆଉ ୬ଟି ବ୍ଲକକୁ ବାହ୍ୟ ଶୌଚ ମୁକ୍ତ ବ୍ଳକ୍ ଭାବେ ଘୋଷଣା କରାଯିବା ପାଇଁ ପ୍ରସ୍ତୁତି ଚାଲୁରହିଛି। ଏହି କାର୍ଯ୍ୟନ୍ୱୟନକୁ ତ୍ୱରାନ୍ୱିତ କରିବା ଲାଗି ବିଭିନ୍ନ ସଂଗଠନ ମାଧ୍ୟମରେ ମଧ୍ୟ ଜନ ସଚେତନତା ସୃଷ୍ଟି କରିବାକୁ ପ୍ରଚେଷ୍ଟା ଚାଲୁ ରହିଛି ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ପ୍ରକାଶ କରିଥିଲେ। ଏତଦ୍ବ୍ୟତୀତ, ସମୀକ୍ଷା ବୈଠକରେ ଉପସ୍ଥିତ ଅନ୍ୟାନ୍ୟ ପଦାଧିକାରୀମାନେ ସେମାନଙ୍କ ବିଭାଗ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ତାହାର ସଫଳତା ହାର ସମ୍ପର୍କରେ ତଥ୍ୟ ଭିତ୍ତିକ ବିବରଣୀ ଉପସ୍ଥାପନ କରିଥିଲେ। ଏ’ ସବୁର ପ୍ରତ୍ୟୁତ୍ତରରେ ପ୍ରମୁଖ ଶାସନ ସଚିବ କେତେକ ପଦାଧିକାରୀଙ୍କୁ ତାଗିଦ କରିବା ସହିତ କେତେକ କ୍ଷେତ୍ରରେ ବାଧକ ହେଉଥିବା ସମସ୍ୟାର ସମାଧାନ ଦିଗରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଅପପୁଷ୍ଟି ଜନିତ ଶିଶୁ ସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟରେ ଖାଦ୍ୟର ମାନ ଓ ପରିମାଣ ବଜାୟ ରଖିବା ସହିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ। କ୍ଷୁଦ୍ର ଜଳସେଚନ ବିଭାଗ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ ଜିଲ୍ଲାର ସମସ୍ତ ଅଞ୍ଚଳକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅଧିକ ଉନ୍ନତି ହୋଇପାରିବ ବୋଲି ସେ ପ୍ରକାଶ କହିଥିଲେ। ପ୍ରତି ବ୍ଲକ ସଦର ମହକୁମାରେ ସରକାରୀ ସ୍ତରରେ ପାଠ୍ୟପୁସ୍ତକ ଦୋକାନ ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କିଛି ବେକାର ଯୁବକ ରୋଜଗାର ପାଇବା ସହ ବହି ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଏଣୁ, ପ୍ରଥମ ପର୍ଯ୍ୟାୟରେ ଆଗାମୀ ଏକ ମାସ ମଧ୍ୟରେ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକ ସଦରମହକୁମାରେ ସରକାରୀ ବହି ଦୋକାନ ଖୋଲିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ବୋର୍ଡ଼ ପରୀକ୍ଷାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତମ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କ୍ରମରେ, ଆଗାମୀ ୧୦ ଦିନ ମଧ୍ୟରେ ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ଏକ ବୈ÷ଠକ ଆହ୍ୱାନ କରି, ତତ୍ ସମ୍ପର୍କୀତ ଆଲୋଚନା କରିବାକୁ ସେ ପରାମର୍ଶ ଦେଇଥିଲେ। ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଯେପରି ସାଧାରଣ ଶିକ୍ଷା ଗ୍ରହଣ ପରିବର୍ତ୍ତେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ସାମିଲ ହେବେ ସେ ଦିଗରେ ସେମାନଙ୍କୁ ସମ୍ପୃକ୍ତ ଉଚ୍ଚବିଦ୍ୟାଳୟର ମୁଖ୍ୟମାନେ ପ୍ରବର୍ତ୍ତାଇବେ। ଫଳତଃ, ଜିଲ୍ଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେବ। ଏତଦ୍ବ୍ୟତୀତ, ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ନେଇ ତ୍ରୈମାସିକ ସମୀକ୍ଷା ବୈଠକ କରିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ଡା. କୁମାର ପରାମର୍ଶ ଦେଇଥିଲେ। ଶିଳ୍ପ ତାଲିମ ଅନୁଷ୍ଠାନ ଏବଂ ବହୁମୁଖୀ ବୈଷୟିକ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ସମାପ୍ତ ପରେ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଋଣ ପ୍ରଦାନ କରିବାକୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷକୁ ପ୍ରତିହତ କରିବା ପାଇଁ ଅବକାରୀ, ଆରକ୍ଷୀ ଓ ବନ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବକେୟା ଥିବା ଜଙ୍ଗଲ ଜମି ପଟ୍ଟା ସଂଶୋଧନ କାର୍ଯ୍ୟ ଆଗାମୀ ୨୦୧୮ ମାର୍ଚ୍ଚ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଜାତିଗତ ଓ ବାସସ୍ଥାନ ପ୍ରମାଣପତ୍ର ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ ମଙ୍ଗଳ ସଂପ୍ରସାରଣ ଅଧିକାରୀମାନେ ସମ୍ପୃକ୍ତ ତହସିଲଦାରଙ୍କ ସହିତ ପ୍ରତ୍ୟହ ଯୋଗାଯୋଗ କରିବେ। ଆବଶ୍ୟକ ସ୍ଥଳେ ଅବସର ଗ୍ରହଣ କରିଥିବା ରାଜସ୍ୱ ନିରୀକ୍ଷକ ଓ ଅମିନ ମାନଙ୍କୁ କାର୍ଯ୍ୟରେ ବିନିଯୋଗ କରିବାକୁ ତହସିଲ୍ଦାରମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ, ଜମିଜମା ସଂକ୍ରାନ୍ତୀୟ ଦାଖଲଖାରଜ ମାମଲା ଗୁଡ଼ିକୁ ଆଗାମୀ ସମୀକ୍ଷା ବୈଠକ ସୁଦ୍ଧା ଫଇସଲା କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ନିୟମିତ ବ୍ୟବଧାନରେ ଯାଞ୍ଚ କରିବାକୁ ଉପ-ଜିଲ୍ଲାପାଳମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସମୀକ୍ଷା ବୈଠକରେ, କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି., ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ବାଲିଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀ ସଥ୍ୟ କ୍ରୀଷ୍ଣନ୍ କେ.ପି., କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ନିମାଇଁ ଚରଣ ସୁତାର, ପ୍ରୋବେସନ୍ ଆଇ.ଏ.ଏସ୍. ଅଧିକାରୀ ଡା. ସିଦ୍ଦେଶ୍ୱର ବଳୀରାମ ବଣ୍ଡାରଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲ୍ଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ରହି ସମୀକ୍ଷା ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *