ରାଜପଥ ବ୍ୟବହାରକାରୀ ସଂଗଠନ ଓ ଆଦିବାସୀ ଦଳିତ ସେନାର ବନ୍ଦ ଡାକରା ଯୋଗୁଁ ସମ୍ବଲପୁରରେ ଜୀବନଯାତ୍ରା ବ୍ୟାହତ

ସମ୍ବଲପୁର, ୨/୪ (ଓଡ଼ିଆ ପୁଅ/ବ୍ୟୋମୋକୋଶ ପଣ୍ଡା) – ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବା ନୂଆକରି ଉଦ୍ ଘାଟିତ ହୋଇଥିବା ବିଜୁ ଏକ୍ସପ୍ରେସ ୱେରେ ଟୋଲ ଟ୍ୟାକ୍ସ ସଂଗ୍ରହର ପ୍ରତିବାଦରେ ଆଜି ସମ୍ବଲପୁରରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ରାଜପଥ ବ୍ୟବହାରକାରୀ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିଲା। ସେହିଭଳି ଏସ୍ ସି-ଏସଟି ନିର୍ଯ୍ୟାତନା ପ୍ରତିରୋଧ ଆଇନର ବ୍ୟବସ୍ଥା ବଜାୟ ରଖିବା ଦାବି ନେଇ ମଧ୍ୟ ଆଜି ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ସମ୍ବଲପୁରରେ ମଧ୍ୟ ଆଦିବାସୀ ଦଳିତ ସେନା ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଆଜିର ବନ୍ଦ ଯୋଗୁଁ ଏଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଦଳିତ ସେନାର ସଭ୍ୟମାନେ ବାଇକ୍ ମାନଙ୍କରେ ର୍ୟାଲି ବାହାର କରି ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। କ୍ଷେତରାଜପୁର ରେଳଷ୍ଟେସନ ଠାରେ ବିକ୍ଷୋଭ ଯୋଗୁଁ ସମ୍ବଲପୁର-ପୁରୀ ଏବଂ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ ଟ୍ରେନ୍ ବିଳମ୍ବରେ ଛାଡ଼ିଥିଲା। ସହରର ସ୍ଥାନେ ସ୍ଥାନେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ, କଚେରୀ, ସରକାରୀ ଓ ଘରୋଇ ବ୍ୟାଙ୍କ, ବୀମା ଆଦି ଆର୍ଥିକ ସଂସ୍ଥାନ ଖୋଲି ପାରିନଥିଲା। ଧନୁପାଲି ଛକକୁ ସଂଯୋଗ କରୁଥିବା କଟକ, ଦେବଗଡ଼ ପଟର ରାସ୍ତା ଅବରୋଧ କରାଯିବା ଯୋଗୁଁ ଶହ ଶହ ଗାଡ଼ି ଅଟକି ରହିଥିଲା। ଘରୋଇ ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହନକୁ ମଧ୍ୟ ବନ୍ଦ କରାଯାଇଥିଲା। ସମ୍ବଲପୁର ରାଜପଥ ବ୍ୟବହାରକାରୀ ସଂଘ ଟୋଲ ଟ୍ୟାକ୍ସ ପ୍ରତ୍ୟାହାର ଦାବି ନେଇ ଦୀର୍ଘ ଦିନ ହେବ ସଭାସମିତି ଓ ଆନ୍ଦୋଳନ ଚଳାଇ ଆସିଥିଲେ। ଏହି ମିଳିତ ସଂଗଠନର ଦାବିକୁ ଜିଲ୍ଲା ଓକିଲ ସଂଘ, ବିଭିନ୍ନ ରାଜନୈତିକ ଦଳ, ଟ୍ରେଡ଼ ୟୁନିୟନ, ଘରୋଇ ବସ, ଟ୍ରକ୍ ଓ ଗୃହନିର୍ମାଣ ସାମଗ୍ରୀ ଯୋଗାଣକାରୀ ମାଲିକ ସଂଘ ପକ୍ଷରୁ ସମର୍ଥନ କରାଯାଇଥିଲା। ଜିଲ୍ଲାର ଶାସନ, ଲପଙ୍ଗା, ରେଙ୍ଗାଲି ପ୍ରଭୃତି ସ୍ଥାନରେ ମଧ୍ୟ ପରିବହନ ବ୍ୟବସାୟୀ ଓ ନାଗରିକମାନେ ରାଜପଥ ଉପରେ ଗଣଧାରଣା ଦେଇଥିଲେ। ଫଳରେ ଏହି ବ୍ୟସ୍ତବହୁଳ ରାସ୍ତାରେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠପ ରହିଥିଲା। ବନ୍ଦକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସଙ୍କୁ ନିୟୋଜିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *