ଜିଲ୍ଲା ପରିକ୍ରମା

ରାଜପଥ ପାଶ୍ୱର୍ରେ ସଢୁଛି ଶବ

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରାଞ୍ଚଳରେ ସୁସ୍ଥ ପରିମଳ ବ୍ୟବସ୍ଥା କାଏମ ରଖିବା ପାଇଁ ପୌରପାଳିକାକୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ଲାଗି ଜମି ମିଳୁନି। ତେଣୁ ଏହା ପ୍ରତିଷ୍ଠା ହୋଇପାରୁନି। ପ୍ରଶାସନ ଜରିଆରେ ଜମି ପାଇଁ ତହସିଲକୁ ଚିଠି ଲେଖି ଲେଖି ପୌରପାଳିକା ଥକିଲାଣି। ହେଲେ କେହି ଶୁଣୁନାହାଁନ୍ତି ବୋଲି ପୌର କର୍ତ୍ତୃପକ୍ଷଙ୍କ ଠାରୁ ସଫେଇ ଦିଆଯାଉଚି। ବିଗତ ବର୍ଷମାନଙ୍କରେ ବହୁ ଆପତ୍ତି ଅଭିଯୋଗ ପରେ ରାନ୍ଦିଆ ଓ ପରବର୍ତ୍ତୀ ସମୟରେ ନଳାଙ୍ଗ ନିକଟରେ ୧୬ ନଂ ଜାତୀୟ ରାଜପଥ ପାଖାପାଖି ଅଂଚଳରେ ଥିବା ପ୍ରାୟ ୧୦ ଏକରରୁ ଅଧିକ ସରକାରୀ ଜମିରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପାଇଁ ଜମି ମିଳିଥିଲା। କିନ୍ତୁ ଆଞ୍ଚଳିକ ବିରୋଧ ଯୋଗୁଁ ସେ ଦୁଇଟି ସ୍ଥାନରେ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ସ୍ଥାପନ ହୋଇପାରିଲାନି। ଗୋଟିଏ ପଟେ ଜାଗା-ଜମି ଯୋଗାଇ ଦେବାରେ ରାଜସ୍ୱ ବିଭାଗର ଚରମ ଅବହେଳା ଓ ଅନ୍ୟପଟେ ଏହି କେନ୍ଦ୍ର ସ୍ଥାପନକୁ ବିରୋଧ ସହରବାସୀଙ୍କୁ ଅତିଷ୍ଠ କରିପକାଉଥିବା ବେଳେ ପୌର କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି। ଏହି କାରଣରୁ ଭଦ୍ରକ ସହର ନର୍କକୁଣ୍ଡରେ ପରିଣତ ହେଲାଣି। ସହରର କଳେବର ଦିନକୁ ଦିନ ବୃଦ୍ଧି ପାଉଛି। ଆନୁପାତିକ ଭାବରେ ଜନସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସେହି ଅନୁଯାୟୀ ଦିନକୁ ଦିନ ସହରର ବର୍ଜ୍ୟବସ୍ତୁ ପରିମାଣ ଆଶାତୀତ ଭାବେ ବଢିଚାଲିଛି। କାଗଜପତ୍ରରେ ୩୦ ୱାର୍ଡ ବିଶିଷ୍ଟ ଭଦ୍ରକ ପୌରପାଳିକା ଲୋକସଂଖ୍ୟା ପ୍ରାୟ ଦେଢଲକ୍ଷ ଅଟକଳ କରାଯାଉଥିଲେ ମଧ୍ୟ ପ୍ରକୃତ ପକ୍ଷେ ସହରର ଜନସଂଖ୍ୟା ୨ ଲକ୍ଷ ଟପିଲାଣି। ପୂର୍ବରୁ ସହରରେ କାଁ ଭାଁ ୨/୪ ଗାଡି କଚରା ନିର୍ଗତ ହେଉଥିବାବେଳେ ଏବେ ସହରର ବର୍ଜ୍ୟବସ୍ତୁ ପରିମାଣ ଦୈନିକ ୨୫ ଗାଡିକୁ ଟପିଗଲାଣି। ଏ ସମସ୍ତ ଅଳିଆ ଆବର୍ଜନକୁ ଗତ କେଇ ମାସ ହେବ ଚରମ୍ପା ନିକଟସ୍ଥ ଏଲ୍ଏଣ୍ଡଟି ପୋଖରୀରେ ପକାଯାଉଛି। କିନ୍ତୁ ବିଭିନ୍ନ ଗୋରୁ ବେପାର କରୁଥିବା ଗାଡିରୁ ନିର୍ଗତ ଅଳିଆ, ହୋଟେଲ, ନର୍ସିଂହୋମ୍ ଓ ଡାକ୍ତରଖାନାରୁ ଦୈନିକ ନିର୍ଗତ ହେଉଥିବା ଅତିରିକ୍ତ ମଇଳାକୁ ସଂପୃକ୍ତ କର୍ତ୍ତୃପକ୍ଷ ନୂଆ ବସ୍ଷ୍ଟାଣ୍ଡ ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ପକାଇ ଦେଉଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନୂଆ ବସ୍ଷ୍ଟାଣ୍ଡ ନିକଟରେ ରାସ୍ତା କଡରେ ନିୟମିତ ଭାବରେ ମଲା ପଶୁ ଓ ମଣିଷଙ୍କ ଶବକୁ ଫୋପାଡି ଦିଆଯାଉଛି। ଏଗୁଡିକ ପଡିପଡି ସଢୁଛି। ଦୁର୍ଗନ୍ଧ ମଧ୍ୟ ହେଉଛି। ସମସ୍ତେ ଦେଖୁଛନ୍ତି। ଅସନ୍ତୋଷ ପ୍ରକାଶ କରୁଛନ୍ତି। ହେଲେ ପୌର କର୍ତ୍ତୃପକ୍ଷ ଏହା ଜାଣି ନଜାଣିବା ପରି ରହୁଛନ୍ତି। ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତ୍କାର ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କେତେକ ବ୍ୟକ୍ତି ଦାୟିତ୍ୱହୀନ ଭାବରେ ରାତିର ଘନ ଅନ୍ଧକାରର ସୁଯୋଗରେ ଅଚିହ୍ନା ଶବକୁ ବସ୍ଷ୍ଟାଣ୍ଡ ନିକଟସ୍ଥ ଏହି ସ୍ଥାନରେ ପକାଇ ପଳାଉଛନ୍ତି। ଏପରିକି ମେଡିକାଲକୁ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁବରଣ କରି ଆସୁଥିବା ଓ ଦାବିଦାର ନଥିବା ଶବକୁ ମଧ୍ୟ ଏଠାରେ ପକାଇ ଦିଆଯାଉଛି। ବ୍ୟବଚ୍ଛେଦ ପରେ ମଲା ଶବକୁ କଳା ପଲିଥିନ୍ରେ ବାନ୍ଧି ଏହି ସ୍ଥାନରେ ପକାଇବା ଏକ ନିୟମିତ ଘଟଣାରେ ପରିଣତ ହୋଇସାରିଛି। ଏହାଦ୍ୱାରା ସଂପୃକ୍ତ ଅଂଚଳର ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଦିନ କାଟୁଛନ୍ତି। ଜାତୀୟ ରାଜପଥ ଦେଇ ଯାତାୟତ କରୁଥିବା ଲୋକମାନେ ନାକରେ ହାତ ଦେଇ ଏହି ବାଟେ ଯିବାଆସିବା କରୁଛନ୍ତି। ତେଣୁ ଦାବିଦାର ନଥିବା ଶବ ଓ ମଲା ପଶୁଙ୍କ ମୃତଦେହର ଉପଯୁକ୍ତ ପରିଚାଳନା ଦିଗରେ ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top