ରାଜଧାନୀ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସହ ଅନ୍ତରାଷ୍ଟ୍ରୀୟମାନର ସହରରେ ପରିଣତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

– ଭୁବନେଶ୍ୱର ରେଳଷ୍ଟସନ୍ ରେ ଦ୍ୱିତୀୟ ପ୍ରବେଶ ପଥ ଉଦଘାଟିତ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତର ବିକାଶ ଯୋଜନା ଆଧାରରେ ରେଳପଥ,  ଜାତୀୟ ରାଜପଥ ଓ ବିମାନ ସେବା ବିକାଶରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି
– ବିଗତ କିଛି ମାସରେ କେନ୍ଦ୍ର ସରକାରଙ୍କ ଯୋଜନାରେ ଓଡିଶାର ସଡକ,  ରେଳ ଓ ଆକାଶପଥ ସଂଯୋଗୀକରଣ ଯୋଜନାର ସମୀକ୍ଷା କରିଥିବା କହିଲେ
– ଭୁବନେଶ୍ୱର ପାଇଁ ଜାତୀୟ ରାଜମାର୍ଗରେ ଆଉ ୨ଟି ରିଙ୍ଗ୍ ରୋଡ୍ ବ୍ୟବସ୍ଥା ହେବ
– ଖୁବ୍ ଶୀଘ୍ର ଦ୍ୱିତୀୟ ବିମାନବନ୍ଦର ହେବ ଭୁବନେଶ୍ୱରରେ
– ତୈଳ ମନ୍ତ୍ରଣାଳୟ ଦ୍ୱାରା ପିଏନଜି/ସିଏନଜି ବ୍ୟବସ୍ଥା ଭୁବନେଶ୍ୱର ଜୀବନକୁ କରିବ ଆହୁରି ସରସ

ଭୁବନେଶ୍ୱର, ୩୦ ଡିସେମ୍ବର (ଓଡ଼ିଆ ପୁଅ)–ରାଜଧାନୀ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସହ ଅନ୍ତରାଷ୍ଟ୍ରୀୟ ମାନର ସହରରେ ପରିଣତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଭୁବନେଶ୍ୱର ରେଳଷ୍ଟେସନ୍ ର ୬ ନମ୍ବର ପ୍ଲାଟଫର୍ମ ପଟେ ଦ୍ୱିତୀୟ ପ୍ରବେଶ ଦ୍ୱାର ତଥା ସଂରକ୍ଷିତ ଓ ଅଣସଂରକ୍ଷିତ ଟିକେଟ କାଉଂଟର ତଥା ନୂତନ ଷ୍ଟେସନ୍ କାର୍ଯ୍ୟାଳୟର ଉଦଘାଟନ ଉତ୍ସବରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତର ବିକାଶ ଯୋଜନା ଆଧାରରେ ରେଳପଥ,  ଜାତୀୟ ରାଜପଥ ଓ ବିମାନ ସେବା ବିକାଶରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ବିଗତ କିଛି ମାସରେ ସେ କେନ୍ଦ୍ର ସରକାରଙ୍କ ଯୋଜନାରେ ଓଡିଶାର ସଡକ,  ରେଳ ଓ ଆକାଶପଥ ସଂଯୋଗୀକରଣ ଯୋଜନାର ସମୀକ୍ଷା କରିଛନ୍ତି। ରାଜଧାନୀ ଭୁବନେଶ୍ୱରକୁ ଏହିସବୁ ଯୋଜନାର କେନ୍ଦ୍ରବିନ୍ଦୁ କରି ଭୁବନେଶ୍ୱରକୁ ଉତମ ଜୀବନ ଓ ପୁଂଜି ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ସେ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି।

ଗତ ତିନି ଦଶନ୍ଧିରେ ଓଡିଶାର ରେଳ ବିକାଶ ପାଇଁ ଯେତିକି ଅର୍ଥ ଆସିନଥିଲା ମୋଦି ସରକାରଙ୍କ ସାଢେ ୩ ବର୍ଷରେ ତାଠାରୁ ଅଧିକ ଆର୍ଥିକ ବ୍ୟୟ ବରାଦ ମୋଦି ସରକାରରେ ଓଡିଶା ପାଇଁ କରାଯାଇଛି ବୋଲି ସେ କହିଛନ୍ତି। ମୋଦି ଦେଉଥିବା ପ୍ରଚୁର ଅର୍ଥକୁ ସଠିକ୍ ଭାବରେ ବିନିଯୋଗ କରିବା ପାଇଁ ରେଳବିଭାଗ ଓ ରାଜ୍ୟ ସରକାର କାମ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ଭୁବନେଶ୍ୱରରେ ଜୀବନକୁ ଆହୁରି ସରଳ କରିବା ପାଇଁ ପିତାପଲ୍ଲୀ-କଟକ ନୂଆ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଆଉ ୨ଟି ରିଙ୍ଗ୍ ରୋଡ୍ ର ବ୍ୟବସ୍ଥା କରାଯାଉଛି। ଯେପରି ଦୂରଗାମୀ ଓ ମାଲବାହୀ ଗାଡି ଗୁଡିକ ଭୁବନେଶ୍ୱର ବାହାରେ ପୁରୀ ଓ ବ୍ରହ୍ମୁର ଆଡେ ଯାଇପାରିବ ସେଥି।ଇଁ ଆଉ ୨ଟି ଜାତୀୟ ରାଜମାର୍ଗର ରିଙ୍ଗ ରୋଡ୍ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମାଲବାହୀ ଟ୍ରେନ୍ ଗୁଡିକ ଭୁବନେଶ୍ୱର ଷ୍ଟେସନକୁ ନଆସିବା ପାଇଁ ଚନ୍ଦକା ରାସ୍ତାରେ ନୂଆ ରେଳ ଲାଇନ୍ ସର୍ଭେ ପାଇଁ ସେ ଅନୁରୋଧ କରିଥିବା କହିଛନ୍ତି।

ରାଜ୍ୟର ଦ୍ରୁତ ବିକାଶକୁ ଆଖି ଆଗରେ ରଖି ଭୁବନେଶ୍ୱରରେ ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ସମେତ ଭୁବନେଶ୍ୱର ସହଆକାଶ ମାର୍ଗରେ ଯୋଗଯୋଗ ବ୍ୟବସ୍ଥାର ସମୀକ୍ଷା କରିଥିବା ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ ସରକାର ସହଯୋଗ କଲେ ଆଉ ଏକ ଏୟାରପୋର୍ଟ ନିର୍ମାଣ ଖୁବ୍ ଶୀଘ୍ର ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ତାଙ୍କ ବିଭାଗ ତରଫରୁ ରାଜଧାନୀରେ ପିଏନଜି, ସିଏନଜି ବ୍ୟବସ୍ଥା ମାଧ୍ୟମରେ ଭୁବନେଶ୍ୱରର ଯାତାୟତ ବ୍ୟବସ୍ଥା ଓ ରୋଷେଇ ଘରେ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରି ରାଜଧାନୀକୁ ଆହୁରି ସୁନ୍ଦର କରିବା ପାଇଁ ଚେଷ୍ଟା କରାଯାଇଛି। ଏହି ସମସ୍ତ ବ୍ୟବସ୍ଥା ଭୁବନେଶ୍ୱରକୁ ପୂର୍ବ ଭାରତର ଅଗ୍ରଣୀ ସହର କରିବା ସହ ଓଡିଶାକୁ ପୁଂଜି ନିବେଶକାରୀଙ୍କୁ ଆକୃଷ୍ଠ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଭୁବନେଶ୍ୱର ରେଳଷ୍ଟେସନରୁ ଭିଡିଓ କନ୍ଫରେନ୍ସିଂ ରେ ସାକ୍ଷୀଗୋପାଳ ରେଳଷ୍ଟେସନର ଆଧୁନିକୀକରଣ କାର୍ଯ୍ୟକୁ ମଧ୍ୟ ଶ୍ରୀ ପ୍ରଧାନ ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ସଂଖ୍ୟା ବଢୁଥିବା କାରଣରୁ ୧ ନମ୍ବର ଓ ୬ ନମ୍ବର ପ୍ଲାଟଫର୍ମକୁ ଯୋଡି ୬ ମିଟର ଚଉଡାର ଏକ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ମୋଦି ସରକାର ସ୍ଥିର କରିଛନ୍ତି ଓ ୨୦୧୮ ମସିହାରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *