ରାଜଧାନୀ ଏକ୍ସପ୍ରେସ ରହଣୀ ଦାବିରେ ରେଳରୋକ 

ତାଳଚେର, ୧୦/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ତାଳଚେର ରୋଡ଼ ଷ୍ଟେସନଠାରେ ରାଜଧାନୀ ଏକ୍ସପ୍ରେସ ରହଣୀ ଦାବିରେ ଶନିବାର ସକାଳେ ଅଂଚଳବାସୀଙ୍କ ପକ୍ଷରୁ ରେଳରୋକ ଆନ୍ଦୋଳନ କରାଯାଇଥିଲା। ପ୍ରକାଶ ଥାଉକି, ଭୁବନେଶ୍ୱର-ନୂଆଦିଲ୍ଲୀ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ ଅନୁଗୋଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ରାଉରକେଲା ମାର୍ଗରେ ଚଳାଚଳକୁ ଶନିବାର ସକାଳ ୬.୪୫ମିନଟ୍ରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରର ରେଳ ରାଷ୍ଟ୍ର ମନ୍ତ୍ରୀ ଏବଂ ସଂଚାର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)ମନୋଜ ସିହ୍ନା ଭିଡ଼ିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ତେବେ ତାଳଚେର ରୋଡ଼ରେ ରହଣୀ ବ୍ୟବସ୍ଥା କରାଯାଇନାହିଁ। ରେଳବାଇ ତାଳଚେରରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ ପାଇଥିବା ସତ୍ୱେ ତାଳଚେର ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛି ବୋଲି ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦରେ ଯୁବ ବିଜେଡିର ସାଧାରଣ ସମ୍ପାଦକ ରାଜେଶ କୁମାର ଦାସ, ଯୁବ ସଭାପତି ଲିପୁନା ଭୁକ୍ତା, ମନୋଜ ସାହୁ, ଅବନୀକାନ୍ତ ଦେହୁରୀ, ନଗର ସଭାପତି ଆସିଫ ଖାନ, ଦିଲ୍ଲୀପ ପ୍ରଧାନ, ସରୋଜ ସାମଲ, ଦୋଳ ଗୋବିନ୍ଦ ସାହୁଙ୍କ ସମେତ ବହୁ ଯୁବ ଗୋାଷ୍ଠୀ ଏହି ଆନ୍ଦୋଳନରେ ସାମିଲ ହୋଇ ତାଳଚେର ରୋଡ଼ରେ ଟ୍ରେନର ରହଣୀ ଦାବି କରିଥିଲେ। ଏହି ରେଳରୋକ ଫଳରେ ମାଲବାହୀ ଏବଂ ସମ୍ବଲପୁର-ପୁରୀ, ଭୁବନେଶ୍ୱର-ବଲାଙ୍ଗୀର ଆଦି ଟ୍ରେନ୍ ଅଟକି ରହିଥିଲା। ସୂଚନା ପାଇ ତାଳଚେର ଆରପିଏଫ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ଗିରଫ କରିଥିଲା। ଏହାପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *