ଭୁବନେଶ୍ୱର, ତା ୨୮/୦୮ (ଓଡ଼ିଆ ପୁଅ)- : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ଜନନାୟକ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାଦଶ କ୍ରିୟା ନୟାପଲ୍ଲୀର ଗୋଲାପ ରିସର୍ଟଠାରେ ଆୟୋଜିତ ହୋଇଯାଇଛି। ସର୍ବଧର୍ମ ନିର୍ବିଶେଷରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତା ଏବଂ ଅଟଳ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱର୍ଗତଃ ବାଜପେୟୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଦିନରେ ସଂକୀର୍ତନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ରାଜଧାନୀର ବିଭିନ୍ନ ଅନାଥ ଆଶ୍ରମର ପିଲାମାନଙ୍କୁ ପ୍ରସାଦ ବଂଟନ କରାଯାଇଥିଲା।
ଏହି ଦ୍ୱାଦଶ କ୍ରିୟା କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ବିଜେପି ନେତା ଜଗନ୍ନାଥ ପ୍ରଧାନ, ସଂଘ ପ୍ରଚାରକ ପ୍ରସନ୍ନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଜୟନ୍ତ ଜେନା, ଅର୍ଜୁନ ବେହେରା, ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ।
