ରାଜଧାନୀରେ ଏଆଇଟିୟୁସିର ଆଜି ଜନଜାଗରଣ ଦିବସ ସେପ୍ଟେମ୍ବର ୧୮ରେ ବିଶାଳ ଶ୍ରମିକ ସମାବେଶ

ଭୁବନେଶ୍ୱର, ୯/୮(ଓଡ଼ିଆ ପୁଅ)– ମୋଦି ସରକାରଙ୍କ ଶ୍ରମିକ ମାରଣ ଓ ଜନବିରୋଧୀ ନୀତି ବିରୋଧରେ “ମୋଦି ହଟାଓ– ଦେଶ ବଞ୍ଚାଓ”ର ସ୍ଲୋଗାନ ଦେଇ ଦେଶ ବ୍ୟାପୀ ଏଆଇଟିୟୁସି ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜନ ଜାଗରଣ ଅଭିଯାନ ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜିଠାରେ ଜନଜାଗରଣ ଦିବସ ଅନୁଷ୍ଠିତ ହୋଇଯାଇଛି।

ଆଜି ପୂର୍ବାହ୍ନରେ ଏଆଇଟିୟୁସିର ଶହ ଶହ କର୍ମୀ ହାତରେ ବ୍ୟାନର ଓ ଲାଲ୍ ପତାକା ଧରି ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ମାଷ୍ଟରକ୍ୟାଣ୍ଟିନଛକ ଅତିକ୍ରମ କରି ଲୋୟର ପିଏମ୍ଜିରେ ପହଞ୍ଚିବା ପରେ ସେଠାରେ ଖୋର୍ଦ୍ଧା ଜିଲ୍ଲା ଏଆଇଟିୟୁସି ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଶପଥ ଦିବସ କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଥିଲା। ଏଥିରେ ଏଆଇଟିୟୁସିର ରାଜ୍ୟ ଉପସଭାପତି ଦିବାକର ନାୟକ, ଉପସାଧାରଣ ସମ୍ପାଦକ ବିଜୟ ଜେନା, ଆଶାକର୍ମୀର ରାଜ୍ୟ ସମ୍ପାଦିକା ନମିତା ସାହୁ ଉଦବୋଧନ ଦେଇ ମୋଦିଙ୍କ ଶାସନରେ ଶ୍ରମିକମାନଙ୍କର ଟ୍ରେଡ଼ ୟୁନିୟନ ଅଧିକାରକୁ କିପରି ଛଡ଼ାଇ ନିଆଯାଉଛି ଏବଂ ଧର୍ମୀୟ ବିଦ୍ୱେଷ ସୃଷ୍ଟି କରି ଦେଶର ସମ୍ବିଧାନ ଓ ଧର୍ମ ନିରପେକ୍ଷତାକୁ ବିପନ୍ନ କରାଯାଉଛି ତାହା ବର୍ଣ୍ଣନା କରିବା ସହିତ ଏହା ବିରୋଧରେ ରାଜ୍ୟ ବ୍ୟାପୀ ସେପ୍ଟେମ୍ବର ପହିଲାରୁ ୪୦ ଦିନିଆ ଜନଜାଗରଣ ଯାଥା ଆରମ୍ଭ ହୋଇ ସେପ୍ଟେମ୍ବର ୧୮ରେ ରାଜଧାନୀରେ ଯେଉଁ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହେବ ତାକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, କ୍ଷେତ ମୂଲିଆ ନେତା ଲୋକନାଥ ଭୋଇ ଓ ଛେତମ୍ବର ଭୋଇ, ବିଦ୍ୟୁତ୍ ଶ୍ରମିକ ନେତା ଶ୍ରୀକୃଷ୍ଣ ପଟ୍ଟନାୟକ, ରେଳବାଇ ପୋଟର୍ସ ଜଗନ୍ନାଥ ପାତ୍ର, ଫରେଷ୍ଟ ଉଡ୍ ଜିଲ୍ଲା ନେତ୍ରୀ ବାସନ୍ତୀ ପ୍ରଧାନ, ରୀତା ସେଠୀ, ଶରତ ସ୍ୱାଇଁ, ଅଖିଳ ଭାରତ ଯୁବସଂଘ ନେତ୍ରୀ ସୁଭାସିନି ଭଦ୍ର ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *