ରାକେଶ ତିଆରି କଲେ ସୌରଚାଳିତ ସାଇକେଲ; ଘଣ୍ଟାକୁ ଗଡିବ ୩୦ କିମି

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଦୃଢ ଇଚ୍ଛାଶକ୍ତି ରାକେଶ ନାୟକଙ୍କୁ ଆଣିଦେଇଛି ଏକ ନୂତନ ନରିଚୟ। ନିଜର ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ରାକେଶ ତିଆରି କରିଛନ୍ତି ସୌରଚାଳିତ ସାଇକେଲ୍। ପରୀକ୍ଷାମୂଳକ ଭାବେ ଏହି ସାଇକେଲ୍ ଚଳାଇବା ପରେ ସେ ବେଶ୍ ଉତ୍ସାହିତ ହୋଇ ଉଠିଛନ୍ତି। ଏ କ୍ଷେତ୍ରରେ ରାକେଶଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସିଥିବା ସାନ ଭାଇ ଜ୍ୟୋତି ଏ ସଂପର୍କିତ ଭିଡିଓ ନିଜର ଫେସବୁକ୍ ଆକାଉଣ୍ଟରେ ସେୟାର କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଜିଲାର ଭଣ୍ଡାରିପୋଖରୀ ତେସିଙ୍ଗା ଗ୍ରାମର ଚାଷୀ ସୁବାଷ ଚନ୍ଦ୍ର ନାୟକଙ୍କ ପୁତ୍ର ରାକେଶ। ଯୁକ୍ତ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ କରିବା ପରେ ବରପଦାସ୍ଥିତ ବୈଷୟିକ ବିଦ୍ୟାଳୟରେ ଇଲେକ୍ଟି୍ରକାଲ ଟ୍ରେଡ୍ରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ବିଭିନ୍ନ ସ୍ଥାନକୁ ଚାକିରୀ ଅନ୍ୱେଷଣରେ ଯାଉଥିବାବେଳେ ଘରେ ଥିବା ବାଇକ୍କୁ ବ୍ୟବହାର କରୁଥିଲେ। ମାତ୍ର ଆଥିର୍କ ପରିସ୍ଥିତି ଓ ପେଟ୍ରୋଲର ଅତ୍ୟଧିକ ଦର ବୃଦ୍ଧି କାରଣରୁ ବାପା ସୁବାଷ ତା ଉପରେ ବିରକ୍ତି ଭାବ ପ୍ରକାଶଡ କରୁଥିଲେ। ଇତିମଧ୍ୟରେ ରାକେଶ ମନକୁ ଆସିଥିଲା ସୌରଚାଳିତ ସାଇକେଲ୍ ତିଆରିର କଥା। ନିଜର ବୈଷୟିକ ଜ୍ଞାନ ପ୍ରୟୋଗ କରି ସେ ଏହି ସୌରଚାଳିତ ସାଇକେଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ ୨ ମାସ ମଧ୍ୟରେ ସେ ଏଥିରେ ସଫଳ ହୋଇଥିଲେ। ଏହି ସୌରଚାଳିତ ସାଇକେଲ୍ରେ ଲାଗିଛି ୨ଟି ସୌର ପ୍ଲେଟ୍, ୪ଟି ୧୨ ଭୋଲ୍ଟ ବ୍ୟାଟେରୀ, ଏକ ମୋଟର ଓ ଅନ୍ୟ କିଛି ବାଇକ୍ରେ ବ୍ୟବହୃତ ଯନ୍ତ୍ରାଂଶ। ସଂପୂର୍ଣ୍ଣ ପରିବେଶ ଉପଯୋଗୀ ଏହି ସାଇକେଲ୍ ଘଣ୍ଟାକୁ ୩୦ ରୁ ୩୫ କିଲୋମିଟର ବେଗରେ ଗତି କରିପାରିବ ବୋଲି ରାକେଶ କହିଛନ୍ତି। ଏହାବ୍ୟତୀତ ଯଦି ଏହି ଜ୍ଞାନ କୌଶଳକୁ ବିକଶିତ କରାଯାଏ ସାଇକେଲ୍ର ବେଗ୍ ବଢିପାରିବ ଓ ଶୁଖିଲା ବିଲରେ ହଳ କାର୍ଯ୍ୟ ମଧ୍ୟ କରାଯାଇ ପାରିବ ବୋଲି ସେ ଦୃଢ ନିଶ୍ଚିତ ଥିବା କହିଛନ୍ତି। ବର୍ତ୍ତମାନ ସମୟରେ ଯେପରି ଭାବରେ ପେଟ୍ରୋଲିୟମ୍ ଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟୁଛି ଓ ପରିବେଶ ଦୂଷିତ ହେଉଛି ନିଶ୍ଚିତ ଭାବେ ଏହି ସାଇକେଲ୍ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ଭଣ୍ଡାରିପୋଖରୀ ବ୍ଲକ୍ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣିତକାନ୍ତୀ ସାମଲ। ଏହି ଅବସରରେ ସ୍ଥାନୀୟ ଜିଲା ପରିଷଦ ସଭ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ସଂଗୀତା ଖଣ୍ଡେଇ, ଯୁବନେତା ଇଂ ଦେବବ୍ରତ ଜେନା, ଶିକ୍ଷାବିତ୍ ରମାକାନ୍ତ ନାୟକ, ରମାକାନ୍ତ ପଣ୍ଡା ପ୍ରମୁଖ ରାକେଶଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଜ୍ଞାନକୌଶଳର ବିକାଶ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *