ଓଡ଼ିଶା

ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ୨୬୦ରୁ ଅଧିକ ଡାକ୍ତର ପଦବୀ ଖାଲି : ପଦବୀ ପୂରଣ ପାଇଁ ଦିଲିପ ରାୟଙ୍କ ଦାବି

ଭୁବନେଶ୍ୱର, ୮ା୯ (ଓଡ଼ିଆ ପୁଅ): ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ୨୬୦ରୁ ଅଧିକ ଡାକ୍ତର ପଦବୀ ଖାଲିପଡ଼ିଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି। ଏଥିଯୋଗୁ ସ୍ୱାସ୍ଥ୍ୟସେବା ଏକପ୍ରକାର ଭୁଶୁଡ଼ିବା ସ୍ଥିତିରେ ଥିବାରୁ ରାଉରକେଲା ଜେନେରାଲ ହସ୍ପିଟାଲ ସମେତ ସୁନ୍ଦରଗଡ଼ ଜିଲ୍ଲାରେ ତୁରନ୍ତ ଖାଲିସ୍ଥାନଗୁଡ଼ିକରେ ନିୟମିତ ଯୋଗ୍ୟ ଡାକ୍ତରଙ୍କୁ ନିଯୁକ୍ତି ଦେବା ଲାଗି ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି।

ରାଉରକେଲା ଜେନେରାଲ ହସ୍ପିଟାଲ ଲାଗି ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ସ୍ପେସିଆଲିଷ୍ଟ ଏବଂ ଅନ୍ୟ ପାହ୍ୟାର ୮୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବା ବେଳେ ସେଥିରେ ମାତ୍ର ୩୧ ଜଣ ଅଛନ୍ତି। ଅବଶିଷ୍ଟ ୫୩ଟି ଡାକ୍ତର ପଦବୀ ଏହି ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲରେ ଖାଲିପଡ଼ିଛି। ଏହାଛଡ଼ା ଆର୍ଜିଏଚ୍ରେ ମଧ୍ୟ ବହୁ ଅଣଡାକ୍ତର ପଦବୀ ଖାଲି। ଏ ପରିପ୍ରେକ୍ଷୀରେ ସମସ୍ତ ପଦବୀ ପୂରଣ ସହିତ ଆର୍ଜିଏଚ୍କୁ ରାଜ୍ୟ ସରକାର ମେଡ଼ିକାଲ କଲେଜରେ ପରିଣତ କରିବା ପାଇଁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି। ରାଉରକେଲାରେ ହାଇଟେକ୍ ମେଡ଼ିକାଲ କଲେଜ ପାଇଁ ସରକାର ଟଙ୍କା ଓ ଜମି ଯୋଗାଇ ଦେଇଥିଲେ ମଧ୍ୟ ୨ ବର୍ଷ ଧରି ଏଠାରେ ନାମଲେଖା ବନ୍ଦ ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ୱୀକାର କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ବିସ୍ତୃତ ତଥ୍ୟରେ ସୁନ୍ଦରଗଡ଼ ସିଡିଏମ୍ଓଙ୍କ ଅଧିନରେ ଥିବା ବିଭିନ୍ନ ଡାକ୍ତରଖାନାରେ ଥିବା ୧୬୧ଟି ଡାକ୍ତର ପଦବୀ ଖାଲିପଡ଼ିଛି। ଏହାଛଡ଼ା ରାଉରକେଲାରେ ଥିବା ହୋମିଓପାଥିକ ମେଡ଼ିକାଲ କଲେଜରେ ୨୯ଟି ଡାକ୍ତରୀ ଶିକ୍ଷକ ଏବଂ ଜିଲ୍ଲାର କେତେକ ହୋମିଓପାଥିକ ଓ ଆୟୁର୍ବେଦିକ ଡାକ୍ତରଖାନାରେ ମଧ୍ୟ ଡାକ୍ତର ପଦବୀ ଖାଲି ପଡ଼ିଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। କେବଳ ଡାକ୍ତର ପଦବୀ ନୁହେଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ଲାଗି ଥିବା ଅଣଡାକ୍ତର ପଦବୀଗୁଡ଼ିକ ମଧ୍ୟରୁ ପ୍ରାୟ ୫୦୦ ପଦବୀ ଖାଲି ପଡ଼ିଥିବା ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ଖଣି, ଜଙ୍ଗଲ, ଶିଳ୍ପ ଓ ବ୍ୟବସାୟରୁ ସରକାର ପ୍ରଚୁର ରାଜସ୍ୱ ପାଉଥିବା ବେଳେ ବଞ୍ଚିବାର ସର୍ବନିମ୍ନ ଆବଶ୍ୟକତା ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ବିଧାୟକ ଶ୍ରୀ ରାୟ ତାଙ୍କ ବିବୃତ୍ତିରେ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top