ଓଡ଼ିଶା

ରାଉରକେଲାରେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କ୍ଷେତ୍ରରେ କେନ୍ଦ୍ରୀୟ ସଂସ୍ଥା ବାଧକ

ଭୁବନେଶ୍ୱର, ୫ା୯(ଓଡ଼ିଆ ପୁଅ): ରାଉରକେଲା ନିକଟବର୍ତ୍ତୀ ବାଲୁଘାଟଠାରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ହୋଲ୍ସେଲ୍ ମାର୍କେଟ୍ କମ୍ପ୍ଲେକ୍ସ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି କମିଶନଙ୍କ ହସ୍ତକ୍ଷେପ ଯୋଗୁ ସ୍ଥଗିତ ରହିଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏ କଥା କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ସୁନ୍ଦରଗଡ଼ ଜିଲ୍ଲାର ପାନ୍ପୋଷ ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ବାଲୁଘାଟଠାରେ ୯୮ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ହୋଲ୍ସେଲ୍ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨୦୧୪ ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ତେବେ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ତ ଦୂରର କଥା, ଏଯାବତ୍ ଏହାର ପାଚେରୀ ନିର୍ମାଣ ସରିନାହିଁ। ସମବାୟ ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ଏହି ପ୍ରକଳ୍ପର ପ୍ରାଚୀର ନିର୍ମାଣ ଲାଗି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଭାରତ ସରକାରଙ୍କ ଏସ୍ଟି କମିଶନଙ୍କ ନିର୍ଦ୍ଦେଶ କ୍ରମେ ୨୦୧୭ ନଭେମ୍ବର ମାସରେ ଏହି ପ୍ରକଳ୍ପର ପ୍ରାଚୀର ନିର୍ମାଣ କାମ ସ୍ଥଗିତ ରହିଛି।

ଏହି ପ୍ରକଳ୍ପ ଲାଗି ସାଢ଼େ ୪ ବର୍ଷ ଦଳେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ କେବେସୁଦ୍ଧା ଏହାର ଉଦ୍ଘାଟନ ଲାଗି ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ ଶ୍ରୀ ରାୟ ସିଧାସଳଖ ପ୍ରଶ୍ନ ପଚାରିଥିଲେ ମଧ୍ୟ ସମବାୟ ମନ୍ତ୍ରୀ ଏହା ଉପରେ କୌଣସି ଉତ୍ତର ରଖିନାହାନ୍ତି। ଏଠାରେ ଉଲ୍ଲେଖନୀୟ ଯେ ସୁନ୍ଦରଗଡ଼ର ସାଂସଦ ଜୁଏଲ୍ ଓରାମ ଏବେ କେନ୍ଦ୍ର ସରକାରରେ ଅନୁସୂଚିତ ଜନଜାତି ବ୍ୟାପାର ମନ୍ତ୍ରୀ ଥିବା ବେଳେ ତାଙ୍କ ବିଭାଗର କମିଶନ ଏହି ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍କୁ ମେଡ଼ିକାଲ କଲେଜରେ ପରିଣତ କରିବା ସଂକ୍ରାନ୍ତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଳନରେ କେନ୍ଦ୍ର ସରକାର ବିଳମ୍ବ କରୁଥିବା ବେଳେ ରାଉରକେଲାରେ ରାଜ୍ୟ ସରକାରଙ୍କ ଅନ୍ୟ ଏକ ପ୍ରକଳ୍ପ ନିର୍ମାଣ ଉପରେ କେନ୍ଦ୍ରୀୟ ସଂସ୍ଥାର ପ୍ରତିବନ୍ଧକ ଘେନି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଆପୋଷ ଆଲୋଚନା ଭିତ୍ତିରେ ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ମତ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top